ଖଣି ପାଇଁ ବଳି ପଡ଼ୁଛି ଜଙ୍ଗଲ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣି ପାଇଁ ଜଙ୍ଗଲ କଟାଯାଉଛି। ଏଥିଯୋଗୁଁ ଉତ୍ତାପ ବୃଦ୍ଧି ପାଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ୍‌ରେ ପ୍ରାୟ ୩୬ ହଜାର ହେକ୍ଟର ସଂରକ୍ଷିତ, ଅଣସଂରକ୍ଷିତ ଓ ରାଜସ୍ବ ଜଙ୍ଗଲ ଜମି ରହିଛି। ନିଶା, ରାଇଝରଣ, କଙ୍କରେ଼ଇ ଆଦି ଗ୍ରାମରେ କୋଇଲା ଖଣି ଖନନ ପାଇଁ ପାଖାପାଖି ୨୦ ପ୍ରତିଶତ ଜଙ୍ଗଲ କଟା ସରିଲାଣି। ଏଥିଯୋଗୁଁ ଗତ ଦୁଇବର୍ଷ ହେଲା ଅଞ୍ଚଳର ତାପମାତ୍ରା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରି ପାର୍‌ କରିଥିଲା। ଗତ ୨୦ ଦିନ ହେଲା ଅଞ୍ଚଳରେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଏହିଭଳି ଉତ୍ତାପ ବୃଦ୍ଧି ପାଇଲେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ନିକଟ ଭବିଷ୍ୟତରେ ନୟନୀ ଓ ଛେଣ୍ଡିପଦା ୨ ନମ୍ବର କୋଲ୍‌ ବ୍ଲକ୍‌ରେ ଖଣି ଖନନ ପାଇଁ ବହୁ ପରିମାଣର ଘଞ୍ଚ ସଂରକ୍ଷିତ ଜଙ୍ଗଲ କଟାଯିବ। ଜଙ୍ଗଲ କଟାଯିବା ପରେ ଅଞ୍ଚଳରେ ଯେଉଁ ଅସମ୍ଭାଳ ତାତି ହେବ, ତାହାର କିପରି ମୁକାବିଲା କରାଯିବ ବୋଲି ଅଞ୍ଚଳବାସୀଙ୍କୁ ଏବେଠୁ ଚିନ୍ତା ଘାରିଲାଣି। ଘଞ୍ଚ ଜଙ୍ଗଲ କଟା ଯାଉଥିବାରୁ ପରିବେଶର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଅଞ୍ଚଳରେ ବୃଷ୍ଟିପାତ ଯଥେଷ୍ଟ ହ୍ରାସ ପାଇଲାଣି। ପୂର୍ବରୁ ବର୍ଷକୁ ୧୪୦୦ ରୁ ୧୬୦୦ ମି.ଲି. ବର୍ଷା ହେଉଥିଲା। ଗତ ୫ ବର୍ଷହେଲା ବର୍ଷା ପରିମାଣ ୯୦୦ ରୁ ୧୦୦୦ ମି.ଲି. ମଧ୍ୟରେ ରହୁଛି।

ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ପନିପରିବା ଉତ୍ପାଦନ ବାଧାପ୍ରାପ୍ତ ହେଉଛି। କୂଅ ପୋଖରୀ ଶୁଖିଯାଉଛି। ଫଳରେ ଉତ୍କଟ ପାନୀୟଜଳ ସମସ୍ୟା ଦେଖାଦେଇଛି। ଯେଉଁ ପରିମାଣରେ ଗଛ କଟା ଚାଲିଛି ସେଇ ପରିମାଣରେ ବୃକ୍ଷରୋପଣ ହେଉନାହିଁ। ଅନ୍ୟପକ୍ଷରେ ଜଙ୍ଗଲରେ ନିଆଁ ଲାଗୁଥିବାରୁ, ଅନେକ ସ୍ଥାନରେ କୋଠାଘର ନିର୍ମାଣ ହେଉଥିବାରୁ, ବିଭିନ୍ନ କାର୍ଯ୍ୟାଳୟରେ ଓ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିବା ଲୋକେ ଏସି ବ୍ୟବହାର କରୁଥିବାରୁ ତାହା ଉତ୍ତାପ ବୃଦ୍ଧିରେ ସହାୟକ ହେଉଛି। ଅଞ୍ଚଳରେ ଏଭଳି ତାତି ବଢ଼ିଛି ଯେ ଦିନ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରାସ୍ତା, ବଜାର ଜନଶୂନ୍ୟ ହୋଇପଡ଼ୁଛି। ଅତ୍ୟଧିକ ଉତ୍ତାପ ବୃଦ୍ଧି ଯୋଗୁଁ ଅନେକ ଗାଁରେ ଲୋକେ ଜ୍ବର, ଝାଡ଼ାରେ ଆକ୍ରାନ୍ତ ହୋଇଛନ୍ତି। ଛେଣ୍ଡିପଦା, କୋଶଳା, ଜରପଡା, ବାଗଡିଆ, ବାଲିପଟ୍ଟା, ଗଡ଼ମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଜ୍ବର ଓ ଝାଡ଼ାରୋଗୀ ଚିକିତ୍ସିତ ହୋଇ ଫେରିଛନ୍ତି। ଗତ ୧୦ ଦିନ ମଧ୍ୟରେ ୮୦ ରୁ ଅଧିକ ଲୋକ ଜ୍ବର, ଝାଡ଼ାରେ ଆକ୍ରାନ୍ତ ହୋଇଛନ୍ତି। ଆଗାମୀ ଦିନରେ ଅଧିକ ଖଣି ଖୋଳାଯିବାକୁ ଥିବାବେଳେ ଅଞ୍ଚଳରୁ ଗଛ କଟା ଯାଇ ଜଙ୍ଗଲ ଧ୍ୱଂସ ପାଇଯିବା ଆଶଙ୍କା ଦେଖାଦେଲାଣି। ଆଗାମୀ ଦିନରେ ତେଣୁ ଉତ୍ତାପ ବୃଦ୍ଧି ପାଇ ଲୋକଙ୍କ ଅବସ୍ଥା ଦୁର୍ବିଷହ ହୋଇପଡ଼ିବ। ଏ ସଂପର୍କରେ ଛେଣ୍ଡିପଦା ଓକିଲ ସଂଘ ସଭାପତି ନଗେନ ନନ୍ଦ କହିଛନ୍ତି, ସାଂପ୍ରତିକ ସମୟରେ ବୃକ୍ଷ ରୋପଣ କରାଯିବା ସହ ଜଙ୍ଗଲ ସଂରକ୍ଷଣ କରାଯିବା ଅତ୍ୟନ୍ତ ଜରୁରି ହୋଇପଡ଼ିଛି। କିନ୍ତୁ ଏଥିପାଇଁ ସରକାର କିମ୍ବା ଜନସାଧାରଣ, କେହି ଗୁରୁତ୍ବ ଦେଉନାହାନ୍ତି। ତେବେ ଆଗାମୀ ଦିନରେ ଉତ୍ତାପ ବୃଦ୍ଧି ରୋକିବା ପାଇଁ ସରକାର କି ପଦକ୍ଷେପ ନେବେ, ତାହା ସମୟ କହିବ।

ସମ୍ବନ୍ଧିତ ଖବର