ଭୁବନେଶ୍ବର: ବନାଗ୍ନି କବଳରୁ ମୁକୁଳିପାରୁନି ଓଡ଼ିଶା। ଅଧାରୁ ଅଧିକ ଜିଲ୍ଲାକୁ ଗ୍ରାସ କରିସାରିଲାଣି। ଗଞ୍ଜାମର ୯ଟି ରେଞ୍ଜରେ ନିଆଁ ଅଣାୟତ୍ତ। ସମ୍ବଲପୁର, ରାୟଗଡ଼ାରେ ବି ଅନୁରୂପ ସ୍ଥିତି। ଗଜପତି, କନ୍ଧମାଳ, ନୟାଗଡ଼, ସୁନ୍ଦରଗଡ଼ରେ ଜଙ୍ଗଲ ଜଳୁଛି। ଦିନ ପରେ ଦିନ ଗଡ଼ୁଥିଲେ ମଧ୍ୟ ବନାଗ୍ନି ଥମିବାର ନାଁ ନେଉନି। ପରିଣାମ ସ୍ବରୂପ ଆଜି ବି ୨୨ ଜିଲ୍ଲାର ୮୪ଟି ରେଞ୍ଜରେ ୧୪୭ଟି ବଡ଼ଧରଣର ଜଙ୍ଗଲ ଜଳୁଛି। ଦେଶରେ ମୋଟ ୩୩୭ଟି ସ୍ଥାନରେ ବଡ଼ଧରଣର ନିଆଁ ସାମ୍ନାକୁ ଆସିଥିଲେ ମଧ୍ୟ ସେଥିରୁ ୪୪% କେବଳ ଓଡ଼ିଶାରେ। ଗତକାଲି ଅପେକ୍ଷା ଆଜି ବନାଗ୍ନି ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ନିୟନ୍ତ୍ରଣକୁ ଆସିପାରି ନାହିଁ। କାରଣ ଆଜି ରାଜ୍ୟର ୯୫୭ଟି ସ୍ଥାନରେ ଛୋଟ ବଡ଼ ଜଙ୍ଗଲ ନିଆଁ ସାଟେଲାଇଟ୍‌ରେ ଚିହ୍ନଟ କରାଯାଇଛି। ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେଉଥିବା ବେଳେ ବନ୍ୟଜନ୍ତୁଙ୍କ ପ୍ରତି ଏବେ ବ‌ିପଦ ସୃଷ୍ଟି ହୋଇଛି। ନିଆଁ କୋପରୁ ରକ୍ଷା ପାଇବା ଲାଗି ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଲେଣି। ମୟୂର ଗଛ ଛାଡ଼ି ରାସ୍ତାରେ ବୁଲିଲେଣି। ବିଲୁଆ, କୋକିଶିଆଳ, ସମ୍ବର ପରି ବନ୍ୟଜନ୍ତୁ ଏବେ ବାସହରା ହୋଇ ଏଣେତେଣେ ଧାଉଁଛନ୍ତି। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ପରି ଜିଲ୍ଲାରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଭୁବନେଶ୍ବରରେ ବନାଗ୍ନି ମୁହଁରୁ ହାତୀ ରକ୍ଷା ପାଇଥିବାର ଖବର ଏବେ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Advertisment

୮୪ ରେଞ୍ଜର ୧୪୭ ସ୍ଥାନରେ ଜଳୁଛି
ଜଙ୍ଗଲ ଛାଡ଼ି ଜନବସତି ମୁହାଁ ବନ୍ୟଜନ୍ତୁ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବନାଗ୍ନି ସ୍ଥିତିକୁ ନେଇ ରାଜ୍ୟ ସରକାର ଗତକାଲି ସମୀକ୍ଷା କରିଥିଲେ। ନିଆଁ ମନୁଷ୍ୟକୃତ ହୋଇଥିବାରୁ ଲୋକଙ୍କୁ ସଚେତନ କରିବା, ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ବନ କର୍ମଚାରୀଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ନେଇଥିଲେ। ଇତିମଧ୍ୟରେ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାର ପ୍ରଭାବ ଦୃଷ୍ଟିଗୋଚର ହୋଇ ନାହିଁ। ଗୋଟିଏ ପରେ ଗୋଟିଏ ଜଙ୍ଗଲ ଜଳୁଥିବା ବେଳେ ଅନ୍ୟପଟେ ସଚେତନତା ଓ ତାଲିମ କଥା କହି ବନ ବିଭାଗର ବାବୁମାନେ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛନ୍ତି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ଆଜି ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ତାହା ଆଶ୍ଚର୍ଯ୍ୟ କଲା ଭଳି। ସେ କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲାଗୁନି। ବରଂ ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ପ୍ରଣାଳୀରେ ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି। ଯେଉଁଥିପାଇଁ ସାଟେଲାଇଟ୍‌ରେ ଅଧିକ ନିଆଁ ଲାଗିଥିବା ଚିତ୍ର ଆସୁଛି। ଏହାକୁ ନେଇ ପରିବେଶବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

ସେମାନଙ୍କ କହିବା କଥା‌ ହେଉଛି ଯେ ସାଟେଲାଇଟ୍‌ ଆଧାରରେ ଓଡ଼ିଶାରେ ଜଙ୍ଗଲ ବଢ଼ିଥିବାର ଚିତ୍ର ସାମ୍ନାକୁ ଆସୁଛି, ଯାହାକୁ ନେଇ ରାଜ୍ୟ ସରକାର ବାହାବା ସାଉଁଟୁଛନ୍ତି। ସେହି ସାଟେଲାଇଟ୍‌ ଚିତ୍ର ବନାଗ୍ନି ସମୟରେ କିଭଳି ବଦଳି ଯାଉଛି। ଜଙ୍ଗଲରେ ନିଆଁ ଲାଗିବା ଯଦି ଭୁଲ୍‌ ତାହା ହେଲେ ଜଙ୍ଗଲ ବଢ଼ିବା ତଥ୍ୟ ବି ଭୁଲ୍‌। ଏହି ସାଟେଲାଇଟ୍‌ ଚିତ୍ର ଆଧାରରେ ହିଁ ଅନ୍ୟ ରାଜ୍ୟ ନିଆଁ ଆୟତ୍ତ କରିବା ଦିଗରେ ପଦକ୍ଷେପ ନେଉଛନ୍ତି। ମାତ୍ର ଏଠାକାର ବାବୁମାନେ ଶୀତତାପ କୋଠରୀରେ ବସି ନିଆଁ ଲାଗି ନ ଥିବା କହିବା ଦୁର୍ଭାଗ୍ୟର ବିଷୟ। ଜଙ୍ଗଲ ନିଆଁକୁ ଲୁଚାଇବାକୁ ରାଜ୍ୟ ସରକାର କାହିଁକି ଏଭଳି ବାହାନା କରୁଛନ୍ତି ବୋଲି ସେମାନେ ମତପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ତିଆ(ଏଫ୍‌ଏସ୍‌ଆଇ) ତଥ୍ୟ ଅନୁଯାୟୀ ଗତକାଲି ୧୭୪୬ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ଆଜି ତାହା ହ୍ରାସ ପାଇ ୯୫୭ରେ ପହଞ୍ଚିଛି। ମାତ୍ର ଦଶପଲ୍ଲା ଭଳି ରାଜ୍ୟର କିଛି ରେଞ୍ଜର ୧୦ରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଛି। ଯାହାକୁ ନିୟନ୍ତ୍ରଣ କରିବା ବନ କର୍ମଚାରୀଙ୍କ ଲାଗି କାଠିକର ପାଠ ହୋଇପଡ଼ିଲାଣି। ଦିନ ରାତି କର୍ମଚାରୀମାନେ ନିଆଁ ଲିଭାଉ ଥିଲେ ମଧ୍ୟ ଆୟତ୍ତ କରିବାରେ ସକ୍ଷମ ହେଉ ନାହାନ୍ତି। ପରିଣାମ ସ୍ବରୂପ ଗତ ୭ଦିନରେ ରାଜ୍ୟରେ ବଡ଼ଧରଣ ବନାଗ୍ନି ସଂଖ୍ୟା ୬୨୫ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ମିଜୋରାମରେ ୨୧୮, ଛତିଶଗଡ଼ରେ ୨୧୪, ମଣିପୁରରେ ୨୦୨ଟି ବଡ଼ଧରଣର ବନାଗ୍ନି ସଙ୍ଗଠିତ ହୋଇଛି। ନଭେମ୍ବରରୁ ଏପର୍ଯ୍ୟନ୍ତ ଦେଶରେ ୬୭୨୭ଟି ବଡ଼ଧରଣର ବନାଗ୍ନି ହୋଇଥିବା ବେଳେ ସେଥିରୁ କେବଳ ଓଡ଼ିଶାର ୧୧୯୮ଟି ରହିଛି। ସେହିପରି ନଭେମ୍ବରରୁ ଏପର୍ଯ୍ୟନ୍ତ ଓଡ଼ିଶାର ୧୮ ହଜାର ୮୩୮ଟି ସ୍ଥାନରେ ଛୋଟ ବଡ଼ ବନାଗ୍ନି ହୋଇଥିବା ବେଳେ ସେଥିରୁ ଗତ ୭ଦିନରେ କେବଳ ୮,୦୨୩ଟି ଚିହ୍ନଟ କରାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜଙ୍ଗଲଗୁଡ଼ିକ ଏବେ ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି। ଅଧିକାଂଶ ବଡ଼ଧରଣର ନିଆଁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସାମ୍ନାକୁ ଆସିଛି।

ଜଙ୍ଗଲ ନିଆଁ ଲାଗିଥିବା ୯୮ ଭାଗ ଅଞ୍ଚଳରେ ମୁକାବିଲା କରୁଛୁ: ମନ୍ତ୍ରୀ

ଭୁବନଶ୍ବେର: ବିଧାନସଭାର ପ୍ରଶ୍ନକାଳରେ ଆଜି ଜଙ୍ଗଲ ନିଆଁ ପ୍ରସଙ୍ଗ ଉଠିଥିଲା। ରାଜ୍ୟରେ ଜଳବାୟୂ ପରିବର୍ତ୍ତନ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଆଲୋଚନା ଚାଲିଥିଲା ବେଳେ ଜଙ୍ଗଲ ନିଆଁ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଜଙ୍ଗଲ ଜଳୁଥିଲା ବେଳେ ତାହାକୁ ଲିଭାଇବା ପାଇଁ ପୁଲିସ୍‌ କି ପଦକ୍ଷେପ ନେଉଛି ବୋଲି କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ। ବିଜେପି ବିଧାୟିକା କୁସୁମ ଟେଟେ ବି ସମାନ ପ୍ରଶ୍ନ କରିଥିଲେ। ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ, ସାଟେଲାଇଟରେ ଯେଉଁ ରିପୋର୍ଟ ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି। ବରଂ ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି। ଧାନ କାଟିବା ପରେ ଯେଉଁ ବଳକା ରହିଯାଉଛି ସେଥିରେ ବି ଚାଷୀମାନେ ନିଆଁ ଲଗେଇ ଦେଉଛନ୍ତି। ଏଥିପାଇଁ ସାଟେଲାଇଟରେ ଅଧିକ ନିଆଁ ଲାଗିଥିବା ଆସୁଛି। ଯେତିକି ଅଞ୍ଚଳରେ ନିଆଁ ଲାଗିଛି, ତାହାର ୯୮ ପ୍ରତିଶତ ଅଞ୍ଚଳରେ ଆମେ ପଦକ୍ଷେପ ନେଇଛୁ। ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଛି। ଆଧୁନିକ ପ୍ରଣାଳୀରେ ନିଆଁକୁ ଆୟତ୍ତ କରାଯାଉଛି। ଗତକାଲି ମୁଖ୍ୟ ଶାସନ ସଚିବ ଏ ସଂକ୍ରାନ୍ତରେ ଏକ ବୈଠକ କରିଛନ୍ତି। ଯେଉଁମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯେଉଁମାନେ ଜଙ୍ଗଲରେ ସନ୍ଦେହଜନକ ଭାବେ ବୁଲାବୁଲି କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ନଜର ରଖାଯାଉଛି।