୪ ଜିଲ୍ଲାରେ ଜଳୁଛି ଜଙ୍ଗଲ

୨୯୦ ସ୍ଥାନରୁ ଆୟତ୍ତରେ ୨୧୯, ୭୧ଟି ସ୍ଥାନରେ ଏବେ ବି ଜଳୁଛି
ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ଧ୍ବଂସ ହେବାକୁ ବସିଲାଣି

ବ୍ରହ୍ମପୁର : ଅଭୟାରଣ୍ୟ ଶିମିଳିପାଳରେ ଜଙ୍ଗଲ ନିଆଁ ବ୍ୟାପିବା କେବଳ ଚର୍ଚ୍ଚାରେ। ହେଲେ ଏ‌ପଟେ ଜଙ୍ଗଲମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧରେ ହୁତ୍‌ହୁତ୍‌ ହୋଇ ଜଳୁଛି ଜଙ୍ଗଲ। ଏହି ୪ଟି ଜିଲ୍ଲାର ଜଙ୍ଗଲର ୨୯୦ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଶୁକ୍ରବାର ରାତି ସୁଦ୍ଧା ୨୧୯ଟି ସ୍ଥାନରେ ନିଆଁ ଆୟତ୍ତକୁ ଆସିଛି। ବାକି ୭୧ଟି ସ୍ଥାନରେ ଜଙ୍ଗଲ ଏବେ ବି ଜଳୁଛି।

ଗଞ୍ଜାମ ଜିଲ୍ଲାରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ପ୍ରତିନିଧିତ୍ବ କରୁଛନ୍ତି। ମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ୩ଟି ବନଖଣ୍ଡ ରହିଛି। ବ୍ରହ୍ମପୁର ବନଖଣ୍ଡରେ ଗତକାଲି ସନ୍ଧ୍ୟା ସୁଦ୍ଧା ୧୩ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ସବୁକୁ ଆୟତ୍ତ କରାଯାଇଥିବା ବନ ବିଭାଗ କହିଛି। ସେହିପରି ଘୁମୁସର(ଦକ୍ଷିଣ) ବନଖଣ୍ଡ ଅଧୀନ ୭୨ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ୪୪ସ୍ଥାନରେ ବନ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆହୁରି ୨୮ଟି ସ୍ଥାନରେ ବନ କର୍ମଚାରୀ ପହଞ୍ଚି ପାରି ନ ଥିବା ବେଳେ ଜଙ୍ଗଲ ଜଳୁଛି। ସେହିପରି ଘୁମୁସର(ଉତ୍ତର) ବନଖଣ୍ଡ ଅର୍ନ୍ତଗତ ଜଙ୍ଗଲର ୪୮ଟି ଜାଗାରେ ନିଆଁ ଲାଗିଥିଲା। ଗତକାଲି ସନ୍ଧ୍ୟା ସୁଦ୍ଧା ସବୁ ଆୟତ୍ତକୁ ଆସିଥିବା ବନ ବିଭାଗ କହିଛି। ତେବେ ଆଜି ସନ୍ଧ୍ୟାରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ସୋରଡ଼ାର ୩ ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ରାସ୍କିଯୋଡ଼ି ଜଙ୍ଗଲ, ବାଇମେଳା ଜଙ୍ଗଲ ଓ ଭୂତପଙ୍କାଳ ଜଙ୍ଗଲ ହୁତ୍‌ହୁତ୍‌ ହୋଇ ଜଳୁଛି।

ଗତକାଲି ସନ୍ଧ୍ୟା ସୁଦ୍ଧା ଗଜପତି ଜିଲ୍ଲାର ୧୧୧ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ୬୯ଟିକୁ ଆୟତ୍ତ କରାଯାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡର ୧୬ଟି ସ୍ଥା‌ନରେ ନିଆଁ ଲାଗିଥିବା ବେଳେ ସବୁଯାକ ଆୟତ୍ତ କରା ଯାଇଥିବା ଜଣାପଡ଼ିଛି। ସେହିପରି ବାଲିଗୁଡ଼ା ବନଖଣ୍ଡର ୫ଟି ସ୍ଥାନ ମଧ୍ୟରୁ ୪ଟି ସ୍ଥାନରେ ନିଆଁ ଲିଭିଛି। ବୌଦ୍ଧ ଜିଲ୍ଲାର ବୌଦ୍ଧ ବନଖଣ୍ଡର ୨୫ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ସବୁ ଆୟତ୍ତ କରା ଯାଇଥିବା ଜଣାପଡ଼ିଛି।

ଚଳିତ ବର୍ଷ ଫେବ୍ରୁଆରିରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଗଛ ପତ୍ରଝଡ଼ା ଦେବା ଆରମ୍ଭ କରିଛି। ବିଶେଷତଃ ଆମ ରାଜ୍ୟର ଜଙ୍ଗଲ ନିଆଁ ଗ୍ରାଉଣ୍ଡ ଫାୟାର ପର୍ଯ୍ୟାୟର। ଜଙ୍ଗଲରେ ପଡ଼ିଥିବା ପତ୍ରରେ କୌଣସି କାରଣରୁ ନିଆଁ ଲାଗିଲେ ତାହା ଚାରି ଆଡ଼କୁ ବ୍ୟାପିଥାଏ। ବନସୁରକ୍ଷା ସମିତିର ମୁଖ୍ୟ କାର୍ଯ୍ୟ ହେଲା ଜଙ୍ଗଲ ସୁରକ୍ଷା। ତେଣୁ ଜଙ୍ଗଲ ନିଆଁ ରୋକିବା ଭିଏସ୍‌ଏସ୍‌ର ଏକ ପ୍ରମୁଖ କାମ ହୋଇଥିବା ବେଳେ ଭିଏସ୍‌ଏସ୍‌ ଗୁଡ଼ିକ ସକ୍ରିୟତାର ସହ କାମ କରୁ ନ ଥିବା କୁହାଯାଉଛି। ବ୍ରହ୍ମପୁର ଆଞ୍ଚଳିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ କାର୍ଯ୍ୟାଳୟରେ ଫରେଷ୍ଟ ଫାୟାର ମନିଟରିଂ ୟୁନିଟ୍‌ ଖୋଲାଯାଇଛି। ଏଥିସହ ପ୍ରତି ବନଖଣ୍ଡ ଓ ବନାଞ୍ଚଳରେ ଜଙ୍ଗଲ ନିଆଁ ରୋକିବା ଲାଗି ମଧ୍ୟ ସ୍କ୍ବାଡ଼ ଗଠନ ହୋଇଛି।

ଫରେଷ୍ଟ ସର୍ଭେ ଇଣ୍ଡିଆର ତଥ୍ୟ ଅନୁଯାୟୀ, ୨୦୧୭ ମସିହାରେ ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ଜଙ୍ଗଲର ୧୯୨ଟି ସ୍ଥାନରେ ନିଆଁ ଲାଗିଥିଲା। ୭୭.୨୫ ହେକ୍ଟର ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ଘୁମୁସର ଉତ୍ତରର ୩୩୬ ସ୍ଥାନରେ ନିଆଁ ଲାଗି ୯୦.୯୦ ହେକ୍ଟର ଓ ଘୁମୁସର ଦକ୍ଷିଣର ୬୩୦ଟି ସ୍ଥାନରେ ନିଆଁ ଲାଗି ୩୭୪.୦୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା। ୨୦୦୬ରୁ ୨୦୧୬ ମଧ୍ୟରେ ରାଜ୍ୟ ଜଙ୍ଗଲର ୧୮୪୮୧ଟି ସ୍ଥାନରେ ନିଆଁ ଲାଗିଛି। ଏଥି ମଧ୍ୟରୁ ୩୬.୧ ପ୍ରତିଶତ କେବଳ ବ୍ରହ୍ମପୁର ସର୍କଲ ଅର୍ନ୍ତଗତ ୭ଟି ବନଖଣ୍ଡରେ ଲାଗିଥିବା ଜଣାପଡ଼ିଛି।

ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ଜଙ୍ଗଲରେ ନିଆଁ ସମ୍ପର୍କରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଶିମିଳିପାଳରେ ଯେଉଁ ନିଆଁ ଲାଗିଛି ତାହାର ଅନୁଧ୍ୟାନ ଲାଗି ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି। ନିଆଁ ଲିଭା କାର୍ଯ୍ୟରେ ୧ହଜାର ଲୋକ ଲାଗିଛନ୍ତି। ବନ କର୍ମଚାରୀଙ୍କ ପରିଶ୍ରମ ଓ ଜନସଧାରଣଙ୍କ ସହଯୋଗରେ ଶିମିଳିପାଳ ନିଆଁ ନିୟନ୍ତ୍ରଣକୁ ଆସିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର