ଭୁବନେଶ୍ବର: ଓଡ଼ିଶାର ଅଧାରୁ ଅଧିକ ଜଙ୍ଗଲକୁ ନିଆଁ ବ୍ୟାପିସାରିଲାଣି। କେଉଁଠି ୭ ଦିନ ହେଲା ଜଳୁଛି ତ ଆଉ କେଉଁଠି ୨୪ ଘଣ୍ଟା ଭିତରେ ନିଆଁ ଲାଗିଛି। ଯେଉଁଥିରେ ଏକର ଏକର ସବୁଜିମା ସାଙ୍ଗକୁ ବହୁ ଔଷଧୀୟ ବୃକ୍ଷ ମଧ୍ୟ ଜଳିପୋଡ଼ି ପାଉଁଶ ହେଉଛି। ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇ ନ ଥିବା ବନ ବିଭାଗ କହୁଥିଲେ ମଧ୍ୟ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବଢ଼ୁଥିବାରୁ ନିୟନ୍ତ୍ରଣ କରା ନ ଗଲେ ଭବିଷ୍ୟତରେ ଅଧିକରୁ ଅଧିକ ଜଙ୍ଗଲ ପ୍ରଭାବିତ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆଜି ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୨୫୭ଟି ସ୍ଥାନରେ ଜଙ୍ଗଲ ଜଳୁଛି। କୋରାପୁଟ ସର୍କଲରେ ସର୍ବାଧିକ ନିଆଁ ଲାଗିବା ସହ ଅଧିକ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ସର୍କଲରେ ୭୨ଟି ବନାଗ୍ନି ଚିହ୍ନଟ କରାଯାଇଛି। ଏହାବ୍ୟତୀତ ଭବାନୀପାଟଣା ସର୍କଲରେ ୬୬ଟି, ରାଉରକେଲା ସର୍କଲରେ ୪୭, ବ୍ରହ୍ମପୁର ସର୍କଲରେ ୨୭, ସମ୍ବଲପୁର ସର୍କଲରେ ୨୬, ବାରିପଦା ସର୍କଲରେ ୧୩, ଅନୁଗୁଳ ସର୍କଲରେ ୯ ଓ ଭୁବନେଶ୍ବର ସର୍କଲର ଗୋଟିଏ ସ୍ଥାନରେ ବନାଗ୍ନି ଦେଖାଦେଇଛି। ଉପକୂଳ ଓଡ଼ିଶାରେ ସେଭଳି ଜଙ୍ଗଲ ନିଆଁ ଦୃଷ୍ଟି ଗୋଚର ହୋଇ ନାହିଁ। ଯେତେବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏବେ ବି ଜଙ୍ଗଲ ହୁ ହୁ ହୋଇ ଜଳୁଛି। ସଚେତନତା ସତ୍ତ୍ବେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଚଳିତବର୍ଷ ନୂଆ କୌଶଳର ସାହାରା ନେଇଛି ବନ ବିଭାଗ। ପ୍ରତି ସଂରକ୍ଷିତ ଜଙ୍ଗଲ ସହ ଏହା ସଂଲଗ୍ନ ଗାଁଗୁଡ଼ିକରେ ଅଗ୍ନି ନିରୋଧକ ମଞ୍ଚା ହୋଇଛି। ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ବନାଗ୍ନି ରୋକିବାରେ ତାହା କୌଣସି ପ୍ରକାର ସହାୟକ ହୋଇ ପାରୁନାହିଁ।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ) ତଥ୍ୟ ଅନୁଯାୟୀ କୋରାପୁଟ ସର୍କଲର ମାଲକାନଗିରି ଡିଭିଜନ୍ ସମେତ ନବରଙ୍ଗପୁର, ଜୟପୁର, କୋରାପୁଟ, ରାୟଗଡ଼ା, ରାଉରକେଲା ସର୍କଲର ସୁନ୍ଦରଗଡ଼, ରାଉରକେଲା, ଦେବଗଡ଼, ବଣାଇ, କେନ୍ଦୁଝର, ବାରିପଦା ସର୍କଲର କରଞ୍ଜିଆ ଓ ବାରିପଦା ଡିଭିଜନ୍ରେ ବନାଗ୍ନି ଚିହ୍ନଟ ହୋଇଛି। ବ୍ରହ୍ମପୁର ସର୍କଲର ବାଲିଗୁଡ଼ା, ବୈଦ୍ଧ, ପାରଳାଖେମୁଣ୍ଡି, ଫୁଲବାଣୀ, ଘୁମୁସର, ଭବାନୀପାଟଣା ସର୍କଲର ଖରିଆଳ, ସୁନବେଢ଼ା, କଳାହାଣ୍ଡି ଦକ୍ଷିଣ, ସୁବର୍ଣ୍ଣପୁର ଡିଭିଜନ୍ରେ ମଧ୍ୟାହ୍ନ ସୁଦ୍ଧା ନିଆଁ ରହିଛି। ଭୁବନେଶ୍ବର ସର୍କଲର କେବଳ ନୟାଗଡ଼ ଡିଭିଜନ୍ର ମହିପୁର ରେଞ୍ଜରେ ବନାଗ୍ନି ସାମ୍ନାକୁ ଆସିଛି।
କୋରାପୁଟ, ଭବାନୀପାଟଣା ସର୍କଲ ଅଧିକ ପ୍ରଭାବିତ
୭ ଦିନରେ ଓଡ଼ିଶାରେ ୨,୫୮୬, ଦେଶରେ ଦ୍ବିତୀୟ
କାମ ଦେଉନି ବନ ବିଭାଗର ସଚେତନତା
କୋରାପୁଟ ସର୍କଲରେ ନିଆଁ ରୋକିବାକୁ ଅଭିନବ ବ୍ୟବସ୍ଥା ହୋଇଛି। କୋରାପୁଟ ଓ ଜୟପୁର ବନଖଣ୍ଡ ଅଧୀନ କୋରାପୁଟ, ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ସେମିଳିଗୁଡା, ପଟାଙ୍ଗୀ, ଲମତାପୁଟ, ନନ୍ଦପୁର, ଜୟପୁର, ବୈପାରିଗୁଡା, କୁନ୍ଦୁରା ଓ ବୋରିଗୁମ୍ମା ଅଞ୍ଚଳରେ ମଞ୍ଚା ବନ୍ଧା ଯାଇଛି। ବରଗଡ଼ ବନଖଣ୍ତ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବନ ସୁରକ୍ଷା ସମିତିଗୁଡ଼ିକୁ ଏଲ୍ପିଜି ସଂଯୋଗ ଉପରେ ଗୁରୁତ୍ବ ନିଆଯାଇଛି। ଏହାଦ୍ବାରା ଅଞ୍ଚଳବାସୀ ଜଙ୍ଗଲ କାଠ ଉପରେ ଅଧିକ ନିର୍ଭରଶୀଳ ନ ହୋଇ ଏପିଜି ବ୍ୟବହାର କରିବେ। ସପ୍ତାହକ ତଳେ ଖୋଦ୍ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ କେନ୍ଦୁଝର ଜିଲ୍ଲାର ତେଲକୋଇ, ବାଂଶପାଳ ଅଞ୍ଚଳରେ ବନାଗ୍ନି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏତେ କାର୍ଯ୍ୟକ୍ରମ ପରେ ମଧ୍ୟ ବନାଗ୍ନି ନିୟନ୍ତ୍ରଣ ହୋଇ ପାରୁନାହିଁ।
କେବଳ ଯେ ଓଡ଼ିଶାରେ ଜଙ୍ଗଲ ଜଳୁଛି ତାହା ନୁହେଁ; ଦେଶର ଅଧାରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶାସତ ଅଞ୍ଚଳର ଜଙ୍ଗଲ ବନାଗ୍ନି ଦ୍ବାରା ପ୍ରଭାବିତ ହୋଇଛି। ମାର୍ଚ୍ଚ ମାସରେ ଖରା ବଢ଼ିବା ସହ ଜଙ୍ଗଲ ନିଆଁ ମଧ୍ୟ ବ୍ୟାପିବାରେ ଲାଗିଛି। ଗତ ୭ ଦିନ ମଧ୍ୟରେ ତେଲେଙ୍ଗାନାର ୫,୨୨୫ଟି, ଓଡ଼ିଶାରେ ୨,୫୮୬, ଆନ୍ଧ୍ରପ୍ରଦେଶରେ ୨,୪୨୬ରେ ନିଆଁ ଲାଗିଛି। ଆଜି ଦିନରେ ଦେଶରେ ୨୧୭ଟି ବଡ଼ଧରଣ ବନାଗ୍ନି ସାମ୍ନାକୁ ଆସିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶରେ ୪୦, ମହାରାଷ୍ଟ୍ରରେ ୩୨, ଆନ୍ଧ୍ରପ୍ରଦେଶରେ ୩୧ ତେଲେଙ୍ଗାନାରେ ୨୨, ଓଡ଼ିଶା ଓ କର୍ଣ୍ଣାଟକରେ ୧୬ଟି ଲେଖାଏ ବଡ଼ଧରଣ ବନାଗ୍ନି ରହିଛି। ମାର୍ଚ୍ଚ ୧ରୁ ଆଜି ମଧ୍ୟରେ ଓଡ଼ିଶାରେ ୩୨୨ଟି ବଡ଼ଧରଣର ବନାଗ୍ନି ରେକର୍ଡ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/fire-SUNABADA-forest-fire.jpg)