ଅନୁଗୁଳ: ଖଣି ଗିଳୁଛି ଜଙ୍ଗଲ। କଳକାରଖାନା ପାଇଁ ବି ବଳି ପଡ଼ୁଛନ୍ତି ହଜାର ହଜାର ଗଛ। ଏପଟେ କୋଠାବାଡ଼ି ନିର୍ମାଣ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ପ୍ରତିବର୍ଷ ଗଛକଟା ଚାଲିଛି। ଏ ସବୁ କାରଣରୁ ଅନୁଗୁଳରେ ଜଙ୍ଗଲ ସଂପଦ କମିବାରେ ଲାଗିଛି। ଅଥଚ ସେହି ଅନୁପାତରେ ଗଛଲଗା ହେଉନି। ଗତ ୫ ବର୍ଷରେ ଅନୁଗୁଳରେ ନୂତନ ଜଙ୍ଗଲ ସୃଷ୍ଟି ‌ପାଇଁ ନିଆଯାଇଥିବା ପଦକ୍ଷେପରୁ ଏହା ସ୍ପଷ୍ଟ।  

Advertisment

ସରକାରୀ ତଥ୍ୟ ଅନୁସାରେ, ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ୨୦୨୪-୨୫ରେ ମାତ୍ର ଗୋଟିଏ ହେକ୍ଟର୍‌ ଜମିରେ ନୂଆ ଚାରା ଲଗାଯାଇଛି। ୨୦୨୩-୨୪ରେ ୪୦ ହେକ୍ଟର୍‌ ଜମିରେ ବୃକ୍ଷରୋପଣ କରାଯାଇଥିଲା। ଏହା ପୂର୍ବରୁ ସ୍ଥିତି ଭଲ ନଥିଲା। ୨୦୨୧-୨୨ରେ ୪୦ ହେକ୍ଟର୍‌ ଓ ୨୦୨୨-୨୩ରେ ୧୨ ହେକ୍ଟର୍‌ ଜଙ୍ଗଲ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଛି। ତେବେ ୨୦୨୦-୨୧ରେ ୧୦୧ ହେକ୍ଟର୍‌ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଅନୁଗୁଳ ବନଖଣ୍ଡର ଏହି ପରିସଂଖ୍ୟାନ ସ୍ବାଭାବିକ ଭାବେ ଉଦ୍‌ବେଗ ସୃଷ୍ଟି କରିଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଗତ ୫ ବର୍ଷ‌ରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ କାଣିଚାଏ ବି ଉଦ୍ୟମ ହୋଇନି। 

ନୂତନ ଜଙ୍ଗଲ ପାଇଁ ଆଠମଲ୍ଲିକ ବନଖଣ୍ଡ ପକ୍ଷରୁ ବି ସେମିତି କିଛି ଖାସ୍‌ ଉଦ୍ୟମ ହୋଇନି। ଆଗରୁ ଏହି ବନଖଣ୍ଡ ପକ୍ଷରୁ ଅଧିକ ବୃକ୍ଷରୋପଣ କରାଯାଉଥିଲା ବେଳେ ଏବେ କମି ଚାଲିଛି। ଆଠମଲ୍ଲିକ ବନଖଣ୍ଡ ପକ୍ଷରୁ ୨୦୨୪-୨୫ରେ ୪୯.୬୫ ହେକ୍ଟର୍‌ ଜମିରେ ନୂଆ ଗଛ ଲଗାଯାଇଛି। ୨୦୨୩-୨୪ରେ ମାତ୍ର ୩୦ ହେକ୍ଟର୍‌ ଜମିରେ ବୃକ୍ଷରୋପଣ କରାଯାଇଥିଲା। ଅପରପକ୍ଷରେ ଏହା ପୂର୍ବରୁ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଅଧିକ ଗୁରୁତ୍ବ ଦିଆଯାଉଥିଲା। ୨୦୨୦-୨୧ରେ ୨୯୩ ହେକ୍ଟର, ୨୦୨୧-୨୨ରେ ୨୮୩ ହେକ୍ଟର୍‌ ଓ ୨୦୨୨-୨୩ରେ ୩୧୨ ହେକ୍ଟର୍‌ ଜମିରେ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଥିଲା। ୨୦୨୩ ପରଠାରୁ ଏଠାରେ ନୂତନ ଜଙ୍ଗଲ ପାଇଁ ଆଉ ଆଗ୍ରହ ଲକ୍ଷ୍ୟ କରାଯାଉନି। ସେପଟେ ଦେବଗଡ଼ ବନଖଣ୍ଡ ଅଧୀନରେ ଅନୁଗୁଳ ଜିଲ୍ଲାର କିଛି ଅଂଶ ରହିଥିଲେ ମଧ୍ୟ ଏଠାରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ ଅତି ନଗଣ୍ୟ। ନୂଆ ଜଙ୍ଗଲ ସୃଷ୍ଟି ପାଇଁ ବର୍ଷକୁ ବର୍ଷ ଆଗ୍ରହ କମୁଥିବା ବେଳେ ଗଛକଟା କିନ୍ତୁ ବଢ଼ି ଚାଲିଛି।

ଚଳିତବର୍ଷ ଛେଣ୍ଡିପଦାରେ ଗୋଟିଏ କୋଇଲା ଖଣି ପାଇଁ ପ୍ରାୟ ଲକ୍ଷେ ଗଛକଟା ହେଉଛି। ଆଗକୁ ଆଉ ୧୦ରୁ ୧୫ଟି କୋଇଲା ଖଣି କାର୍ଯ୍ୟକ୍ଷମ ହେବାର ପ୍ରକ୍ରିୟା ଚାଲିଥିବାରୁ ଏହି ପରିମାଣ ଆହୁରି ବଢ଼ିବ। ଖଣି ଖାଦାନ ଓ ଶିଳ୍ପାନୁଷ୍ଠାନ ପାଇଁ ବହୁ ପୁରୁଣା ଗଛକୁ କାଟି ପଦା କରି ଦିଆଯାଉଛି। ଏଥିପାଇଁ ଜିଲ୍ଲାରେ ଜଙ୍ଗଲ ପରିମାଣ କମିବାରେ ଲାଗିଛି। ଭାରତୀୟ ଜଙ୍ଗଲ ସର୍ଭେକ୍ଷଣ ସଂସ୍ଥା (ଏଫ୍‌ଏସ୍‌ଆଇ) ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ, ଅନୁଗୁଳ ଜିଲ୍ଲାରେ ୨୦୨୩ ମସିହା ବେଳକୁ ୨୭୭୩.୯୪ ବର୍ଗ କିମି ଜଙ୍ଗଲ ରହିଥିଲା। ପ୍ରତି ୨ ବର୍ଷରେ ଏହି ସର୍ଭେ ହେଉଥିବା ବେଳେ ୨୦୨୧ ତୁଳନାରେ ସେତେବେଳେ ୫.୫୬ ବର୍ଗ କିମି କମ୍‌ ଜଙ୍ଗଲ ରହିଥିଲା। ଅର୍ଥାତ୍ ଅନୁଗୁଳରେ ଜଙ୍ଗଲ କମୁଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଏହା ସତ୍ତ୍ବେ ନୂତନ ଜଙ୍ଗଲ ସୃଷ୍ଟି ଦିଗରେ ଗୁରୁତ୍ବ ଦିଆ ଯାଉନାହିଁ।