ରାୟଗଡ଼ା : ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାରେ ଖଣି ପାଇଁ ବଳିପଡୁଛି ଜଙ୍ଗଲ। ନୂତନ ଖଣି ସର୍ଭେ ପାଇଁ ଜଙ୍ଗଲ ପ୍ରଭାବିତ ହେବାରେ ଲାଗିଛି। ତେଣୁ ଜୈବ ବିବିଧତାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି।
ସରକାରୀ ତଥ୍ୟ ଅନୁସାରେ ଖଣି ପାଇଁ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ ରାୟଗଡ଼ା ଜିଲ୍ଲାରେ ୨୬୧.୩ କିଲୋମିଟର ଏବଂ ତା’ ତଳକୁ କନ୍ଧମାଳ ଜିଲ୍ଲାରେ ୨୧୩.୭ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଛି। ନିୟମ ଅନୁସାରେ, ଜଙ୍ଗଲ କିସମ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମୋଦନ ଦେଇଥା’ନ୍ତି। ଏହି ନିୟମ ଅନୁସାରେ ରାୟଗଡ଼ା ଜିଲ୍ଲାରେ ରହିଥିବା ପ୍ରାୟ ୨୧ଟି ଛୋଟବଡ଼ ଖଣି ପାଇଁ ରାୟଗଡ଼ାରେ ୭୦୪୦.୬୯ ହେକ୍ଟର, ମୁନିଗୁଡାରେ ୮୪୦୮.୫ ହେକ୍ଟର ଓ କାଶୀପୁରରେ ସର୍ବାଧିକ ୧୨୫୭୪.୨୦ ହେକ୍ଟର ଜମି ଚିହ୍ନଟ ହୋଇଛି। ସେହିପରି ରାୟଗଡ଼ାରେ ୧୭୫୪୫. ୭୦ ହେକ୍ଟର, ମୁନିଗୁଡ଼ାରେ ୨୮୧୧୬.୧୫ ହେକ୍ଟର ଏବଂ କାଶୀପୁରରେ ୧୧୩୭୮.୨୦ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଇଛି। ଯାହାଫଳରେ, ଜିଲ୍ଲାର ୬ଟି ଗ୍ରାଫାଇଟି ଖଣି, ୮ଟି ବକ୍ସାଇଟ, ୯ଟି ମାଙ୍ଗାନିଜ ଓ ଗୋଟିଏ ଚିନା ମାଟି ଖଣି ପାଇଁ ୨୬୧.୩ କିଲୋମିଟର ଜଙ୍ଗଲର ସବୁଜ ବଳୟ ନଷ୍ଟ ହୋଇଛି। ଏଥିଯୋଗୁ ଜିଲ୍ଲାରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ବନ୍ୟଜନ୍ତୁ, ଭୂତଳ ଜଳସ୍ତର କମିବା ଓ ତାପମାତ୍ରା ବୃଦ୍ଧି ପାଇଥିବା କୁହାଯାଉଛି।
ବଢୁଛି ତାପମାତ୍ରା, କମୁଛି ବର୍ଷା ପରିମାଣ
ବନୀକରଣରେ ଜଙ୍ଗଲ ଜମିକୁ ଅଣଦେଖା
କମ୍ପାନିକୁ ପ୍ରଶାସନର ଅହେତୁକ ଅନୁକମ୍ପା
ଅନ୍ୟପକ୍ଷରେ, ୨୦୦୧ ମସିହାରୁ ରାୟଗଡ଼ା ଜିଲ୍ଲାରେ ଖଣି ସର୍ଭେରେ ୧୦୮ଟି ଡ୍ରିଲିଂ ଓ ଛୋଟବଡ଼ ମିଶାଇ ୫୩୨୮ଟି ବୃକ୍ଷ ନଷ୍ଟ ହୋଇଛି। ସରକାରୀ ସର୍ତ୍ତ ଅନୁସାରେ ଜିଲ୍ଲାରେ ଶିଳ୍ପ କିମ୍ବା ଖଣି ସଂସ୍ଥା ଯେତିକି ପରିମାଣରେ ଜଙ୍ଗଲ ଅକ୍ତିଆର କରିବେ କିମ୍ବା ଗଛ ନଷ୍ଟ କରିବେ ସେହି ପରିମାଣରେ ଅଣ ଜଙ୍ଗଲ ଜମି ସୃଷ୍ଟି କିମ୍ବା ଦୁଇ ଗୁଣ ପରିମାଣରେ ବନୀକରଣ କରିବେ। ପୁଣି ଅକ୍ତିଆର କରିଥିବା ଜଙ୍ଗଲ ଜମି ବାବଦରେ କ୍ଷତିପୂରଣ ପ୍ରଦାନ କରିବେ। କିନ୍ତୁ, ଅନେକବର୍ଷ ବିତି ଯାଇଥିଲେ ସୁଦ୍ଧା ଖଣି ପାଇଥିବା କମ୍ପାନି କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି। କେବଳ ପରିବେଶ ସୁରକ୍ଷା କାଗଜ କଲମରେ ସୀମିତ ଥିବାବେଳେ ବାସ୍ତବରେ ସ୍ଥିତି ସଂପୂର୍ଣ୍ଣ ଅଲଗା। ସରକାରୀ ତଥ୍ୟ ଅନୁସାରେ, ୨୦୦୧ରୁ ୨୦୧୯ ମସିହା ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାରେ କଟା ଯାଇଥିବା ଗଛ ସ୍ଥାନରେ ପ୍ରାୟ ୧୪୧୯.୫୦ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି। କିନ୍ତୁ, ଅନେକ ଜଙ୍ଗଲ ଜମିକୁ ଅଣଦେଖା କରାଯାଇଛି। ୨୦୦୧ରୁ ୨୦୧୦ ମସିହା ମଧ୍ୟରେ ୨୫.୭ କିଲୋମିଟର, ୨୦୧୦ରୁ ୨୦୧୪ ମସିହା ମଧ୍ୟରେ ୦.୬୭ କିଲୋମିଟର, ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ୨୩. ୩ କିଲୋମିଟର, ୨୦୧୯ରୁ ୨୦୨୧ ମସିହା ମଧ୍ୟରେ ୧୩.୮୧ କିଲୋମିଟର ଅଞ୍ଚଳରେ ବୃକ୍ଷରୋପଣ କରାଯାଇଛି। ଜିଲ୍ଲା ଖଣି ବିଭାଗ ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରୁନି।
ଏ ସମ୍ପର୍କରେ ଜିଲ୍ଲା ଖଣି ବିଭାଗ ଆଞ୍ଚଳିକ ଅଧିକାରୀ କାଠି ପ୍ରଧାନଙ୍କ କହିବା ହେଲା, ଖଣି ଖାଦାନ ଯୋଗୁ ବୃକ୍ଷ ନଷ୍ଟ ହେଲେ କ୍ଷତି ଭରଣା କରିବା ଖଣି କମ୍ପାନିର କାମ। ବନ ବିଭାଗ ସହିତ ଆଲୋଚନା କରି ଖଣି ଅନୁଦାନ ଅର୍ଥରେ ଏହି ସବୁ ଅଞ୍ଚଳରେ ବନୀକରଣ ସାଙ୍ଗକୁ ପରିବେଶ ସୁରକ୍ଷା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିବା ଦିଗରେ ପଦକ୍ଷେପ ନିଆଯିବ।