‘ଓଡ଼ିଶା ସ୍ବାର୍ଥ’ ଭୁଲିଗଲେ! ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବି ହାସଲ ନୋହିଲା

ସ୍ବତନ୍ତ୍ର ଫୋକସ୍‌ଡ ରାଜ୍ୟ ଦାବି ରଖି ବି ଚୁପ୍, ଭାଷଣବାଜି, ଚିଠିରେ ବିତିଗଲା ୪୦ ବର୍ଷ

ଭୁବନେଶ୍ବର (ଭବାନୀ ଶଙ୍କର ତ୍ରିପାଠୀ) : ‘‘ଯଦି କେନ୍ଦ୍ର ସରକାର ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଇପାରୁନାହାନ୍ତି, ତେବେ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଥିବା କାରଣରୁ ଏହାକୁ ସ୍ବତନ୍ତ୍ର ଫୋକସ୍‌ଡ ରାଜ୍ୟର ମାନ୍ୟତା ଦିଆଯାଉ। ସବୁ ସମୟ ପାଇଁ ନ ହେଲେ ନାହିଁ ଅନ୍ତତଃ ଯେଉଁ ବର୍ଷ ଏଭଳି ବିପର୍ଯ୍ୟୟ ସାମ୍ନା କରୁଛି, ସେବର୍ଷ କେନ୍ଦ୍ର ସରକାର ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଏଭଳି ଗୁରୁତ୍ବ ଦିଅନ୍ତୁ। କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୯୦:୧୦ ଅନୁପାତରେ ପାଣ୍ଠି ଆବଣ୍ଟନ କରାଯାଉ।’’

ଗତବର୍ଷ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏଭଳି ଦାବି କରିଥିଲେ। ହେଲେ ଏହି ଦାବି ଉପରେ କେନ୍ଦ୍ର ସରକାର କି ଆଭିମୁଖ୍ୟ ଗ୍ରହଣ କଲେ, ରାଜ୍ୟ ସରକାର ଏ ପ୍ରସଙ୍ଗଟିକୁ କେନ୍ଦ୍ର ସାମ୍ନାକୁ କାହିଁକି ଆଉ ଆଣୁନାହାନ୍ତି, ସର୍ବୋପରି ବିରୋଧୀ କଂଗ୍ରେସ ଦଳର ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ପ୍ରଥମେ ବାତ୍ୟା ଅମ୍ଫାନ୍ ଓ ପରବର୍ତୀ ସମୟରେ ମୌସୁମୀ ବର୍ଷା ଓ ତଦ୍‌ଜନିତ ବର୍ଷା କାରଣରୁ ଚଳିତବର୍ଷ ଓଡ଼ିଶା ଗଭୀର ଭାବେ ପ୍ରଭାବିତ ହୋଇଛି। କେନ୍ଦ୍ର ସରକାର ଅମ୍ଫାନ୍ ବାତ୍ୟା ପାଇଁ ଅଗ୍ରୀମ ୫୦୦କୋଟି ଟଙ୍କା ଦେଇଥିଲେ। ପରେ ଅତିରିକ୍ତ ୧୨୮ କୋଟି ୨୩ଲକ୍ଷ ଟଙ୍କା ରାଜ୍ୟକୁ ମିଳିଛି। ହେଲେ ଅମ୍ଫାନ୍ କ୍ଷତିଜନିତ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ନିକଟରେ କ୍ଷତିଗ୍ରସ୍ତ ୧୦ଟି ଜିଲ୍ଲା ବାବଦରେ ଯେଉଁ ୧୬ ହଜାର ୩୨କୋଟିର ଦାବି ଉପସ୍ଥାପନ କରାଯାଇଥିଲା, ତା ଉପରେ କେନ୍ଦ୍ର ସରକାର ଠୋସ୍ ପଦକ୍ଷେପ ନେଇନାହାନ୍ତି। ସମାନ୍ତରାଳ ଭାବେ ମୌସୁମୀ ଜନିତ ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଲାଗି ମଗାଯାଇଥିବା ୧୫୬୯ କୋଟି ୫୦ଲକ୍ଷ ଟଙ୍କା ଉପରେ ବି କେନ୍ଦ୍ର ଏଯାଏ ନିରବ ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗକୁ ନେଇ ୪୦ବର୍ଷ ଧରି ବିଭିନ୍ନ ସରକାର ତମ୍ବିତୋଫାନ କରିଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶ ଏ ପ୍ରସଙ୍ଗ ପୁଣି ଥରେ ଉଠାଇଛି। ହେଲେ ଓଡ଼ିଶା ସରକାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଆଉ ଉଠାଉନାହାନ୍ତି କି ସ୍ବତନ୍ତ୍ର ଫୋକସ୍‌ଡ ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ଉଁ କି ଚୁଁ କହୁନାହାନ୍ତି। ଆଞ୍ଚଳିକ ଦଳ ଭାବେ ସ୍ଥାନୀୟ ପ୍ରସଙ୍ଗକୁ ଅଗ୍ରାଧିକାର ଦେଇ ଆସୁଥିବା ବିଜେଡି ମଧ୍ୟ ମହାନଦୀ ଭଳି ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରୁଛି। ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଅହରହ ଚିନ୍ତା କରୁଛନ୍ତି ବୋଲି ଗର୍ଜନ ତର୍ଜନ କରୁଥିବା ବିଜେପି ଆନ୍ଦୋଳନାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଦୂରେ ଥାଉ ଉଭୟ ପ୍ରସଙ୍ଗରେ ମୁହଁ ଖୋଲିନି। ଆଉ କଂଗ୍ରେସ କଥା ନ କହିବା ଭଲ। ବିଧାନସଭା ଭିତରେ ଦଳ ଯେଭଳି ଆଭିମୁଖ୍ୟ ଗ୍ରହଣ କରୁଛି; ବିଧାନସଭା ବାହାରେ ଠିକ୍ ଓଲଟା।

ସ୍ମରଣଯୋଗ୍ୟ ଯେ ୧୯୭୯ ମସିହାରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ନେଇ ଦାବି ହୋଇ ଆସିଛି। ସେବର୍ଷ ଫେବ୍ରୁଆରି ୨୪ ତାରିଖରେ ଜାତୀୟ ଉନ୍ନୟନ ପରିଷଦରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ପ୍ରଥମେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିଥିଲେ। କେବଳ ସେତିକି ନୁହେଁ, ସପ୍ତମ ଅର୍ଥ କମିସନଙ୍କ ନିକଟରେ ଏ ସଂକ୍ରାନ୍ତ ଦାବି ଉପସ୍ଥାପନ କରାଯାଇଥିଲା। ୧୯୯୧ ମାର୍ଚ୍ଚ ୫ ତାରିଖରେ ଦଶମ ବିଧାନସଭାର ଚତୁର୍ଥ ଅଧିବେଶନରେ ଓଡ଼ିଶାକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଲାଗି ବିଧାନସଭା ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। ପରବର୍ତୀ ସମୟରେ ୧୯୯୭ ଡିସେମ୍ବର ୧୮ ତାରିଖ ଓ ୨୦୧୩ ମସିହା ଏପ୍ରିଲ ୪ ତାରିରେ ବିଧାନସଭାରେ ଏ ସଂକ୍ରାନ୍ତ ସଂକଳ୍ପ ସର୍ବସମ୍ମତ ଭାବେ ପାରିତ ହୋଇଛି ଓ କେନ୍ଦ୍ର ସରକାରଙ୍କୁ ଗୃହର ମତ ଜଣାଇ ଦିଆଯାଇଛି। କେବଳ ଥରେ ଯେ କେନ୍ଦ୍ର ନିକଟରେ ଓଡ଼ିଶା ଏହି ଦାବି ରଖିଛି ବା ତିନି ତିନି ଥର ସବୁ ବିଧାୟକ ଗୋଟିଏ ସ୍ବରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଉପସ୍ଥାପନ କରିଛନ୍ତି ତା ନୁହେଁ, ଗତ ୪୦ ବର୍ଷ ମଧ୍ୟରେ ପାଖାପାଖି ୨୭ ଥର ବିଭିନ୍ନ ସରକାର ଭିନ୍ନ ଭିନ୍ନ ଢଙ୍ଗରେ କେନ୍ଦ୍ରକୁ ଓଡ଼ିଶାର ଏ ଦାବି ସଂପର୍କରେ ଜଣାଇଛନ୍ତି। ବେସରକାରୀ ଭାବେ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ବାରମ୍ବାର ଉଠିଛି। ବିଭିନ୍ନ ସମାବେଶ, ବିକ୍ଷୋଭ ହୋଇଛି ଦିଲ୍ଲୀରେ।

ରାଜ୍ୟ ସରକାର ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରର ପ୍ରାୟ ସବୁ କଥାରେ ହଁରେ ହଁ ମିଶାଉଥିବା ବେଳେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗକୁ କିନ୍ତୁ ନ୍ୟାୟ ମିଳିନାହିଁ। କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ ଥିବା ବେଳେ ଏ ଦାବି ପୂରଣ ନେଇ ଆଗ୍ରହ ଦେଖାଇନାହାନ୍ତି। ଅନ୍ୟ ଅଣକଂଗ୍ରେସ ସରକାର ମଧ୍ୟ ଓଡ଼ିଶାର ଏ ପ୍ରସଙ୍ଗ ଉପରେ ଆଦୌ ତତ୍ପରତା ଦେଖାଇନାହାନ୍ତି। ଏପରିକି ଏନଡିଏ-୧ରେ ଅର୍ଥାତ୍ ଅଟଳ ବିହାର ବାଜପେୟୀଙ୍କ ସରକାର ସମୟରେ ବିଜେଡି କେନ୍ଦ୍ରରେ ଅଂଶୀଦାର ଥିଲା ଓ ରାଜ୍ୟରେ ବିଜେଡି-ବିଜେପି ଭାଗୁଆଳୀ ଶାସନରେ ଥିଲେ। ସେତେବେଳେ ନିର୍ବାଚନୀ ଇସ୍ତାହାରରେ ଏ ପ୍ରସଙ୍ଗକୁ ସ୍ଥାନ ମିଳିଥିଲା। ହେଲେ ପୂରଣ ହେଲାନାହିଁ। ସରକାରୀ ତଥ୍ୟକୁ ବିଶ୍ବାସ କରାଗଲେ, ୨୦୦୧ ମେ’ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କୁ ଏକଥା ଜଣାଇଥିଲେ। ସେହିବର୍ଷ ସେପ୍ଟେମ୍ବର ପହିଲାରେ ଅନୁଷ୍ଠିତ ଜାତୀୟ ଉନ୍ନୟନ ପରିଷଦ ବୈଠକର ପ୍ରମୁଖ ଦାବି ଭାବେ ଏହା ସ୍ଥାନ ପାଇଥିଲା। ୨୦୦୨ ଡିସେମ୍ବର ୨୧ ତାରିଖ ବୈଠକରେ ଏକଥା ଦୋହରାଇଥିଲା ଓଡ଼ିଶା। ୨୦୦୩-୦୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ଯୋଜନାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପୂର୍ବରୁ ଯୋଜନା କମିସନ ଉପାଧ୍ୟକ୍ଷଙ୍କ ନିକଟରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦାବି ରଖାଯାଇଥିଲା। ହେଲେ କେନ୍ଦ୍ର ସରକାରଙ୍କ ମନରେ ଏହି ଦାବିକୁ ପ୍ରଭାବୀ ଢଙ୍ଗରେ ରଖିବାରେ ସମ୍ଭବତଃ ରାଜ୍ୟ ସରକାର ବିଫଳ ହୋଇଥିଲେ କିମ୍ବା ଏକଥା ବି ଧରି ନିଆଯାଇପାରେ ଯେ ଏନଡିଏ ସରକାରଙ୍କ ଓଡ଼ିଶା ପ୍ରତି ନିର୍ଦୟ ଆଭିମୁଖ୍ୟର ଏହା ଏକ ଉଦାହରଣ।

୧୯୭୯ ମସିହାରୁ ଉଠିଥିବା ଏହି ପ୍ରସଙ୍ଗଟିକୁ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଜାନୁଆରି ୧୮ ତାରିଖରେ ଉଠାଇଥିଲେ। ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏକଥା ଦର୍ଶାଇଥିଲେ ଯେ ଓଡ଼ିଶାରେ ଏକ ବଡ଼ ଭାଗ ଲୋକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର। କେବଳ ସେତିକି ନୁହେଁ, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ବିକାଶ ରାସ୍ତାରେ ପାଚେରି ଭଳି ଠିଆ ହେଉଛି। ଏଥିପାଇଁ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମାଗୁଛି, ଯାହା ମାଧ୍ୟମରେ ରାଜ୍ୟର ଶିଳ୍ପ ବିକାଶକୁ ନୂଆ ରୂପ ଦିଆଯାଇପାରିବ ଏବଂ ଯୁବକଙ୍କ ହାତକୁ ଚାକିରି ଆସିବ। ହେଲେ ଚିଠି ଦିଆନିଆ, କେନ୍ଦ୍ର ଠାରେ ଦାବି ଉପସ୍ଥାପନ, ରାଜଧାନୀ ଭୁବନେଶ୍ବର ଠାରୁ ଦେଶର ରାଜଧାନୀ ନୂଆଦିଲ୍ଲୀ ଯାଏ ଆନ୍ଦୋଳନ ଓ ବିଧାନସଭା ଭିତରେ କିମ୍ବା ବାହାରେ ବିକ୍ଷୋଭ ପାଣିଫୋଟକା ଭଳି ମିଳାଇଯାଇଛି। ଓଡ଼ିଶାର ଦାବି ଏତେ କ୍ଷୀଣ ଓ ବିଭାଜିତ ଯେ ଏହି ଗୋଟିଏ ପ୍ରସଙ୍ଗ ହାସଲ ହେବା ପାଇଁ ୪୦ ବର୍ଷ ବିତିଗଲାଣି; ତଥାପି ଅସମ୍ଭବ ଜଣାପଡୁଛି। ରାଜନୈତିକ ଛକାପଞ୍ଝା, ବୟାନବାଜି ଭିତରେ ଓଡ଼ିଶା ସ୍ବାର୍ଥ ସହିତ ଜଡିତ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ପଶାପାଲିର ଗୋଟି ଭଳି ଏପଟ ସେପଟ ହେବା ପରେ ଏବେ ନିଶ୍ଚଳ ପ୍ରାୟ ପଡ଼ିରହିଛି।

ସମ୍ବନ୍ଧିତ ଖବର