ଐତିହାସିକ ବାରବାଟୀ ଗଡ଼ଖାଇକୁ ଭୁଲିଗଲେ, ୧୭ କୋଟିର ପୁନରୁଦ୍ଧାର ଯୋଜନା ଆରମ୍ଭରୁ ବନ୍ଦ
କଟକ : କଟକର ସମୃଦ୍ଧ ଇତିହାସ ବାରବାଟୀ ଦୁର୍ଗ ସହ ଜଡ଼ିତ। ଗଙ୍ଗବଂଶର ରାଜତ୍ବ ସମୟରେ ନିର୍ମିତ ବାରବାଟୀ ଦୁର୍ଗର ଭଗ୍ନାବଶେଷ, ଦୁର୍ଗର ଭଗ୍ନ ଫାଟକ ଏବଂ ଗଡ଼ଖାଇ ଏବେ ବି କଟକର ପରିଚୟ ଆଉ ଅନ୍ୟତମ ଆକର୍ଷଣ ହୋଇ ରହିଛି। ପର୍ଯ୍ୟଟନର ବିକାଶରେ ଏହାର ସବୁଠୁ ଅଧିକ ଗୁରୁତ୍ବ ରହିଥିଲେ ବି ଏଥିପ୍ରତି ସତେ ଯେମିତି ସମସ୍ତେ ଆଖିବୁଜି ଦେଇଛନ୍ତି। ଗଡ଼ଖାଇର ପୁନରୁଦ୍ଧାର ଯୋଜନା ବିଭିନ୍ନ ସମୟରେ ଆରମ୍ଭ ହୋଇ ଅଧାରୁ ବନ୍ଦ ହୋଇ ଯାଇଛି। ଏଭଳି ପ୍ରକ୍ରିୟାରେ ସରକାରୀ ରାଜକୋଷରୁ କେବଳ ଲକ୍ଷାଧିକ ଟଙ୍କା ଶ୍ରାଦ୍ଧ ହୋଇଥିଲେ ବି ଗଡ଼ଖାଇର ପୁନରୁଦ୍ଧାର ହୋଇପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବାରବାଟୀ ଦୁର୍ଗ ଅଞ୍ଚଳ ଅର୍ଥାତ ଗଡ଼ଖାଇ ପରିସୀମା ଭିତରେ ଥିବା ଅଞ୍ଚଳ ଏବଂ ଭାରତୀୟ ପ୍ରତ୍ନତତ୍ବ ବିଭାଗ (ଏଏସ୍ଆଇ) ନିୟନ୍ତ୍ରଣରେ ରହିଛି। କିନ୍ତୁ ଏହି ଅଞ୍ଚଳର ବିକାଶ ଦିଗରେ ଏଏସ୍ଆଇର ଶିଥିଳତା ଏବେ ଏହି ଆକର୍ଷଣୀୟ ଅଞ୍ଚଳର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିଛି। ବାରବାଟୀ ଦୁର୍ଗକୁ ଘେରି ରହିଥିବା ଗଡ଼ଖାଇ ଦଳରେ ଭରି ରହିବା ସହିତ ଧୀରେ ଧୀରେ ପୋତି ହୋଇଗଲାଣି। ଦୁର୍ଗ ଭିତରେ ଥିବା କ୍ବାର୍ଟର୍, କ୍ଲବ୍ର ଆବର୍ଜନା ପାଣି ସିଧା ଗଡ଼ଖାଇରେ ମିଶୁଛି। ଏଠାରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶର ପର୍ଯ୍ୟାପ୍ତ ସୁଯୋଗ ଥିଲେ ବି ଏ ଦିଗରେ ସରକାରୀ ନିଷ୍କ୍ରିୟତା ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ତଥ୍ୟ ଅନୁଯାୟୀ ୨୦୧୦ରେ ଗଡଖାଇ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୨୦୧୨ ସୁଦ୍ଧା ପ୍ରକଳ୍ପ ସରିବ ବୋଲି ମୁଖ୍ୟମନ୍ତ୍ରୀ ସେତେବେଳେ ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କର ସହରାଞ୍ଚଳ ଭିତ୍ତିଭୂମି ବିକାଶ ଯୋଜନା ଅଧୀନରେ ଏହି ପ୍ରକଳ୍ପ ପାଇଁ ୧୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରହିଥିଲା। ଦୀର୍ଘ ୨.୫ କିମି ଲମ୍ବ ଗଡ଼ଖାଇର ଖନନ, ଏହାର ସୌନ୍ଦର୍ଯ୍ୟକରଣ କରିବାକୁ ଯୋଜନା ହୋଇଥିଲା। ଇତିମଧ୍ୟରେ ୧୨ ବର୍ଷ ବିତିଯାଇଥିଲେ ବି ଗଡ଼ଖାଇର ପୁନରୁଦ୍ଧାର କଥା ସମସ୍ତେ ଭୁଲି ଗଲେଣି। ବାରବାଟୀ ଦୁର୍ଗ ଭିତରେ ବି ସଂରକ୍ଷଣ ଅଭାବରୁ ଐତିହ୍ୟ କୀର୍ତ୍ତିରାଜି ପ୍ରାଚୀନ, ପଥର ମୂର୍ତ୍ତି ସବୁ ବିକ୍ଷିପ୍ତ ହୋଇ ପଡିରହିଛି। ସେଥିରୁ ଅନେକ ଭାଂଗିରୁଜି ଗଲାଣି। ବାରବାଟୀ ଦୁର୍ଗର ଫାଟକରୁ ପଥର ଖସିଲାଣି। ସେଠାରେ ବରଗଛ ଉଠିଲାଣି। ନିୟମ, କାନୁନ ଓ କଟକଣାକୁ ଆଳ କରି ଏଏସ୍ଆଇ ଓଡ଼ିଶାର ଗର୍ବ ଗୌରବ ସହିତ ଖେଳିବା ଘଟଣା ଏବେ ଅସନ୍ତୋଷର କାରଣ ହୋଇଛି।