ଖଣି ପାଇଁ ବିରଳ କଳାବାଘକୁ ବି ଭୁଲିଗଲେ !

ସୁନ୍ଦରଗଡ଼: ଓଡ଼ିଶା ଜଙ୍ଗଲରେ  ପ୍ରଥମ କରି  ୨୦୧୮ ମଇ ମାସରେ ବିରଳ କଳାବାଘ (ବ୍ଲାକ୍ପନ୍ଥର) ଠାବ ହୋଇଥିଲା ସୁନ୍ଦରଗଡ଼ ବନଖଣ୍ଡ ଅଧୀନସ୍ଥ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ। ଯାହା  ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିବା ସହ ରାଜ୍ୟ ବନବିଭାଗକୁ ବେଶ ଉତ୍ସାହିତ କରିଥିଲା। ପରବର୍ତ୍ତୀ ସମୟରେ ସେଠାରେ ଦୁଇଟି କଳାବାଘ ଛୁଆ ଦୃଷ୍ଟିଗୋଚର ହୋଇଥିବା ଚର୍ଚ୍ଚାକୁ ଆସିଥିଲା। ତାକୁ ଦୃଷ୍ଟିରେ ରଖି ଗର୍ଜନପାହାଡ଼କୁ ଅଭୟାରଣ୍ୟର ମାନ୍ୟତା ଦେବାକୁ ବନବିଭାଗ ଯୋଜନା କରିଥିଲା। ଗର୍ଜନପାହାଡ଼ର ଶାନ୍ତ ପରିବେଶ ସହ  ତାକୁ ଲାଗି ରହିଥିବା ପଡ଼ୋଶୀ ଛତିଶଗଡ଼ ରାଜ୍ୟ ତମନାର କତରଲିଆ ଓ ପଡ଼ୋଶୀ ଜିଲ୍ଲା ଝାରସୁଗୁଡ଼ାର ଟେଙ୍ଗନାମାଲ ବିଶାଳ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଅବାଧ ଚଳପ୍ରଚଳ ଓ  ନିରାପଦ ଆଶ୍ରୟସ୍ଥଳୀ ହୋଇଥିବା ଗର୍ଜନପାହାଡ଼ ଅଭୟାରଣ୍ୟ ପାଇଁ ସମସ୍ତ ଯୋଗ୍ୟତା ରଖିଥିବା କୁହାଗଲା।

ତେବେ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲ କଡ଼େ କଡ଼େ ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଏମସିଏଲ ସମେତ ଏସିପିଏଲ, ଏନଟିପିସି କୋଇଲା ଖଣି ରହିଥିବା ଓ  ଆଗକୁ ବିଜାହାଣ୍ଡ, ଜାମକାନି,  ସାନରମ୍ପିଆ, ଘୋଘରପାଲି, ସାନଘୁମଡ଼ା ଅଞ୍ଚଳରେ ୧୮ରୁ ଅଧିକ କୋଇଲା ଖଣି ଖନନ ହେବାକୁ ଥିବାରୁ ଏହା ଅଭୟାରଣ୍ୟ ପାଇଁ ବାଧକ ହୋଇପାରେ ବୋଲି ସେତେବେଳେ ଆଶଙ୍କା ପ୍ରକାଶ କରିଥିଲା ବନବିଭାଗ। ଏବେ ସେ ଆଶଙ୍କା ସତ ହେବାକୁ ଯାଉଛି। କୋଇଲା ଖଣି ପାଇଁ ଏଠାରେ ଅଭୟାରଣ୍ୟ କରିବାକୁ ସରକାର ଚାହୁ ନଥିବା ଚର୍ଚ୍ଚା ହେଉଛି। ଗତ ୨୦୨୧ ଅଗଷ୍ଟରେ ଓଡ଼ିଶା ଆଠମଲ୍ଲିକ ଉତ୍ତର, ଖୋର୍ଦ୍ଧାର ବରବରା ଓ ବଲାଙ୍ଗୀର, ବରଗଡ଼ ସୀମାନ୍ତ ଜଙ୍ଗଲକୁ ଅଭୟାରଣ୍ୟ ମାନ୍ୟତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିରଳ କଳାବାଘକୁ ନେଇ ଚର୍ଚ୍ଚାରେ ଥିବା ଗର୍ଜନପାହାଡ଼କୁ ଏହି ବନ୍ୟଜନ୍ତୁ ସୁରକ୍ଷା କରିଡରରେ ସାମିଲ କରାଯାଇ ନାହିଁ।

ସୁନ୍ଦରଗଡ଼ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ ହେମଗିର ଅଞ୍ଚଳର ହେମଗିର ଓ ଗୋପାଳପୁର ବନାଞ୍ଚଳକୁ ନେଇ ୧୦୦୩୮.୧୨ ହେକ୍ଟର ପରିମିତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲ ବହୁ ଜୈବ ବିବିଧତାରେ ପରିପୂର୍ଣ୍ଣ। ବହୁ ମୂଲ୍ୟବାନ ବିଶାଳକାୟ ଗଛ, ଔଷଧୀୟ ଗୁଲ୍ମ, ଛୋଟ ବଡ଼ ନାଳ, ହାତୀ, ବାଘ, ଭାଲୁ, ହରିଣ, ବାରହା, ସମ୍ବର, କୁଟୁରା, ଝିଙ୍କ, ବଜ୍ରକାପ୍ତା ପରି ବନ୍ୟପ୍ରାଣୀ,  ମୟୂର, ଶୁଆଶାରୀ, କଜଳପାତି, କପୋତ, କାଠହଣା ଚଢ଼େଇ ଓ  ଅଜଗର, ଅହିରାଜ, କଳା ନାଗ, ଗୋଧି ଆଦି ବହୁ ସରୀସୃପ ଗର୍ଜନପାହାଡ଼କୁ ଅଧିକ ଶୋଭନୀୟ ଓ ଚଳଚଞ୍ଚଳ କରିଛି। ୪୦୯୦.୬୫ ହେକ୍ଟର ପରିମିତ ଗୋପାଳପୁର ବନାଞ୍ଚଳରେ  ଗର୍ଜନପାହାଡ଼, ଧନୁବାଉଁଶ, ପୁଞ୍ଜିପାହାଡ଼, ପାଣିଖୋଲିଆ, ରେଗଡ଼ାଖୋଲ, ଝାଟିଖୋଲ, ବାଲିଜୋରି, ପଣ୍ଡ୍ରିପାଣି, କଲତାପାଣି, କଳାମେଘ, ଢୋକଲାପାହାଡ଼, ସରଙ୍ଗିଝରିଆ ବଣ ରହିଥିବା ବେଳେ ଜଙ୍ଗଲକୁ ଲାଗି ରହିଛି ଜନବସତି ଗାଁ କୁତାବଗା, ସାହାଜପୁର, ଗଡ଼ଦ୍ବାର, କୁଣ୍ଡ, ଚକ୍ରପୁର, ଝୁପୁରୁଙ୍ଗା, ପତ୍ରାପାଲି।

ସେହିପରି ୫୯୪୭.୪୭ ହେକ୍ଟର ପରିମିତ ହେମଗିର ବନାଞ୍ଚଳରେ ଛେଙ୍ଗାପାହାଡ଼, ହୁଣ୍ଡାରଖୋଲ, ଶିଶୁପାହାଡ଼, ମାକରଚଟା, ଗିରିପାହାଡ଼, ବୁଦଲାଖମନ, ବେହେରାମୁଣ୍ଡା, ଚିଟକିଖାଡ଼ୁ, ରୋହିଣି, ସିଙ୍ଗାରିବାହାଲ, ଧନୁବାଉଁଶ, ଗର୍ଜନପାହାଡ଼ ଜଙ୍ଗଲ ଓ ତଳି ଅଞ୍ଚଳରେ ଜନବସତି ଗାଁ ବେହେରାମୁଣ୍ଡା, ବଡ଼ରମ୍ପିଆ, ସାନରମ୍ପିଆ, ପୂର୍ଣ୍ଣା, ଦାଘୋରା, ଖଜୁରବାହାଲ, ରାମଲତା, ସୁରୁଲତା, କୋଡ଼ବାହାଲ ରହିଛି। ବନ୍ୟପ୍ରାଣୀଙ୍କ ୨୪ ଘଣ୍ଟିଆ ନିରୀକ୍ଷଣ ଓ ସୁରକ୍ଷା ପାଇଁ ଦାଘୋରା ଜଙ୍ଗଲର ଚିରସ୍ରୋତା ଡଙ୍ଗାଖୋଲ ନାଳ ପାଖରେ ଗତ ନଭେମ୍ବର ୩ ତାରିଖରେ ବନଖଣ୍ଡ ଅଧିକାରୀ ଶ୍ରୀ ୱାମେନଙ୍କ ଉଦ୍ୟମରେ ବନବିଭାଗର ଏକ ସ୍ଥାୟୀ ଶିବିର ପ୍ରତିଷ୍ଠା କରାଯାଇଛି।

ଯେଉଁଠି ଏକ ସୁରକ୍ଷିତ କୋଠା, ଭିଏଚ୍ଏଫ ବ୍ୟବସ୍ଥା ମଧ୍ୟରେ ୬ ଜଣ ବନ କର୍ମଚାରୀ ସଦାପ୍ରସ୍ତୁତ ହୋଇ ରହିଛନ୍ତି। ଶିବିରକୁ ବନ୍ୟପ୍ରାଣଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାରିପଟେ ସୋଲାରା ଫେନିସିଂ କରାଯାଇଛି। ହେମଗିର ବନାଞ୍ଚଳର ଗର୍ଜନପାହାଡ଼, ଢେକନାପାଣି, ରୋହିଣୀ ସଂରକ୍ଷିତ ଜଙ୍ଗଲରେ ୨୫ରୁ ଅଧିକ କଲରାପତରିଆ ଓ ଚିତାବାଘ ରହିଥିବା ଆକଳନ କରାଯାଇଥିବା ବେଳେ ୨୦୧୮ ମଇ ମାସରେ ଗର୍ଜନପାହାଡ଼ରେ ଏକ ବିରଳ କଳାବାଘ ନଜରକୁ ଆସିଥିଲା। ଏହା ପରେ ବେଶ ଉତ୍ସାହିତ ହୋଇପଡ଼ିଥିବା ବନବିଭାଗ  ଗର୍ଜନପାହାଡ଼ ଉପରେ ପୂରା ଦୃଷ୍ଟି ନିବିଦ୍ଧ କରି ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା।

ସେତେବେଳେ ସୁନ୍ଦରଗଡ଼ ବନବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ଖଞ୍ଜି କଳାବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ବାଘଟି ବର୍ଷେ ଗର୍ଜନପାହାଡ଼ରେ ରହିଥିବା ଭିତରେ  ୨୦୧୯ରେ ଦୁଇଟି ଛୁଆ ଜନ୍ମ କରିଥିବା ଚର୍ଚ୍ଚା ହୋଇଥିଲା। ବିରଳ କଳାବାଘ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ଉପଯୋଗୀ ଆଶ୍ରୟସ୍ଥଳୀ ଗର୍ଜନପାହାଡ଼କୁ ଅଭୟାରଣ୍ୟ ମାନ୍ୟତା ଦିଆଗଲେ ଏହା ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିବ ବୋଲି ପରିବେଶ ଓ ବନ୍ୟପ୍ରାଣୀ ପ୍ରେମୀମାନେ ମତପ୍ରକାଶ କରି ଆସୁଛନ୍ତି। କିନ୍ତୁ କୋଇଲା ଖଣି ପାଇଁ   ବିରଳ ପ୍ରଜାତିର କଳାବାଘର ସଂରକ୍ଷଣକୁ ବି ପଛକୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର