ବରଗଡ଼: ବରଗଡ଼ ଜିଲ୍ଲା ଅତାବିରାର ପ୍ରମୋଦ ଭଗତ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ। ବ୍ୟାଡ୍ମିଣ୍ଟନ ଏକକ ବର୍ଗରେ ଏହା ଭାରତ ପାଇଁ ଐତିହାସିକ ସଫଳତା ଥିଲା। ପଦକ ଲାଭ କରିବା ପରେ ପ୍ରମୋଦଙ୍କୁ ଶୁଭେଚ୍ଛାର ସୁଅ ଛୁଟିଲା। ପ୍ରଧାନମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ବି ଶୁଭେଚ୍ଛାଦାତା ତାଲିକାରେ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୋଦଙ୍କ ସହ ଭିଡିଓରେ କଥା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଲେ। ଦୁଇ ଦିନ ଧରି ଦେଶବ୍ୟାପୀ ପ୍ରମୋଦଙ୍କୁ ନେଇ ଚର୍ଚ୍ଚା ଏବଂ କେବଳ ଚର୍ଚ୍ଚା ଚାଲିଲା। ପ୍ରମୋଦଙ୍କ ସମେତ ପାରା ଅଲିମ୍ପିକ୍ସର ଅନ୍ୟ ପଦକ ବିଜେତା ସ୍ବଦେଶ ପ୍ରତ୍ୟାବର୍ତନ କରିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ତାଙ୍କ ସହ ଦିଲ୍ଲୀରେ ଫଟୋ ଉଠାଇଛନ୍ତି; ଫଟୋକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ଗୁରୁବାର ସମସ୍ତ ପାରାଲିମ୍ପିକ୍ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ଦିଲ୍ଲୀଠାରେ ସମ୍ବର୍ଦ୍ଧନା ଦେବେ। କିନ୍ତୁ ଏତିକିରେ ହିଁ କଥା ସରୁଛି। ନା ପ୍ରମୋଦଙ୍କ ପାଇଁ କେହି ପୁରସ୍କାର ଘୋଷଣା କଲେ, ନା କୌଣସି ଚାକିରି ଘୋଷଣା ହେଲା। କେବଳ ଶୁଭେଚ୍ଛାରେ କାମ ସରିଲା।
ସୂଚନାଯୋଗ୍ୟ ଯେ ଏଥର ଟୋକିଓ ଅଲିମ୍ପିକ୍ରେ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଉପରେ ତତ୍କ୍ଷଣାତ୍ ପୁରସ୍କାର ବୃଷ୍ଟି ହୋଇଥିଲା। ରାତାରାତି ନୀରଜ ଜଣେ କୋଟିପତି କ୍ରୀଡ଼ାବିତ୍ ହୋଇଗଲେ। ନୀରଜଙ୍କ ପାଇଁ ହରିୟାଣା ସରକାର ୬କୋଟି ଟଙ୍କା, ବିସିସିଆଇ ଏବଂ ଚେନ୍ନାଇ ସୁପର୍ କିଂଗ୍ସ କୋଟିଏ, ବାଇଜୁସ୍ ୨କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କରିଥିଲେ। ଏପରିକି ତାଙ୍କୁ ଲୋଭନୀୟ ଅଫର୍ ବି ବିଭିନ୍ନ ସଂସ୍ଥା ପକ୍ଷରୁ ଦିଆଯାଇଛି। ସେହିପରି ପୁରୁଷ ହକିରେ କାଂସ୍ୟ ପଦକ ହାସଲ କରିଥିବା ଦଳକୁ ମଧ୍ୟ ପୁରସ୍କାରର ବର୍ଷା ହୋଇଥିଲା। କାଂସ୍ୟପଦକ ଜିତିଥିବା ପୁରୁଷ ହକି ଦଳର ଦୁଇ ଓଡ଼ିଆ ଖେଳାଳିଙ୍କ ରାଜ୍ୟ ସରକାର ଅଢ଼େଇ କୋଟି ଲେଖାଏଁ ପୁରସ୍କାର ଦେଲେ। ସେହିପରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ମହିଳା ହକି ଦଳର ଦୁଇ ଓଡ଼ିଆ ସଦସ୍ୟାଙ୍କୁ ମଧ୍ୟ ୫୦ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଆକାରରେ ଦେଲେ। ଉଭୟ ମହିଳା ଏବଂ ପୁରୁଷ ହକି ଦଳ ପାଇଁ ଓଡ଼ିଶା ସରକାର ପ୍ରଯୋଜକ ରହିଛନ୍ତି। ସେହିପରି ଦୈାଡ଼ରାଣୀ ଦୂତି ଚାନ୍ଦ ଏସୀୟ ପ୍ରତିଯୋଗିତାରେ ଦୁଇଟି ରୈାପ୍ୟ ପଦକ ପାଇ ମୋଟ ୩ କୋଟି ଟଙ୍କା ରାଜ୍ୟ ସରକାରଙ୍କଠାରୁ ପୁରସ୍କାର ଆକାରରେ ପାଇଥିଲେ। କିନ୍ତୁ ପ୍ରମୋଦ ଭଗତଙ୍କ କ୍ଷେତ୍ରରେ ପୁରସ୍କାରର ମରୁଡ଼ି ପଡ଼ିଛି। କେନ୍ଦ୍ର ଓ ରାଜ୍ୟ ସରକାର ତ ଦୂରର କଥା, କୌଣସି ବେସରକାରୀ ସଂସ୍ଥା ମଧ୍ୟ ଏଥିପାଇଁ ଆଗ୍ରହ ଦେଖାଇ ନାହାନ୍ତି।
ଜଣେ ପଙ୍ଖା ମେକାନିକ୍ରୁ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିବା ପ୍ରମୋଦଙ୍କ ସଂଘର୍ଷମୟ କାହାଣୀ ସଭିଙ୍କୁ ଜଣା। ପ୍ରମୋଦଙ୍କ ରୢାଙ୍କିଙ୍ଗ୍ ମଧ୍ୟ ବିଶ୍ବରେ ଏକ ନମ୍ବର ରହିଛି। ସେ ମଧ୍ୟ ୨୦୧୩, ୨୦୧୫ ଓ ୨୦୧୯ରେ ମୋଟ୍ ୪ଥର ବିଶ୍ବ ଚାମ୍ପିଅନ୍ ହୋଇଛନ୍ତି। ଏହାବାଦ୍ ସେ ଅର୍ଜୁନ ପୁରସ୍କାର ବିଜେତା। ଏଣେ ଭିନ୍ନକ୍ଷମମାନଙ୍କୁ ଦିବ୍ୟାଙ୍ଗ ଆଖ୍ୟା ଦିଆଯାଇ ସେମାନେ ଯେପରି ଅନ୍ୟ ସମସ୍ତ ସାଧାରଣ ସକ୍ଷମ ବର୍ଗ ସହ ସମାଜରେ ସମାନ ଗଣାଯିବେ ସେ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ମହଲରେ ବାର୍ତ୍ତା ଦେଉଛନ୍ତି, ଅଥଚ ପ୍ରମୋଦଙ୍କୁ ଅଣଦେଖା କରି ଏ ନେଇ ଉକ୍ତ ବାର୍ତ୍ତାରେ ଆଦୌ ଆନ୍ତରିକତା ନଥିବା ପ୍ରମାଣ କରୁଥିବା ନେଇ ଆଲୋଚନା ହେଉଛି।