ଭୁବନେଶ୍ୱର : ଆବଶ୍ୟକ ପରିମାଣର ବିହନ ନାହିଁ। ଠିକ୍ ସମୟରେ ସାର ମିଳୁନି। କୀଟନାଶକ ଯୋଗାଣରେ ଭୀଷଣ ଅବ୍ୟବସ୍ଥା। ବର୍ଷା ଯଦି ଠିକ୍ ଭାବେ ନ ହେଲା, ତେବେ କଥା ସରିଲା।

Advertisment

କରୋନା ଭଳି ସାଂଘାତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲୋକେ ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି, ଓଡ଼ିଶାର କୃଷି କ୍ଷେତ୍ରରୁ ଏଭଳି ନକାରାତ୍ମକ ସଙ୍କେତ ଆସୁଛି। କେବଳ ସେତିକି ନୁହେଁ, ଯେଉଁ ଚାଷୀ ଫସଲ ଉତ୍ପାଦନ କରିସାରିଲେଣି ସେ ବି ଚିନ୍ତାରେ। କାରଣ ଆଖିଦୃଶିଆ ଫସଲ ଉତ୍ପାଦନ କଲେ ମଧ୍ୟ ଚାଷୀର ଅଭାବୀ ବିକ୍ରି ପିଛା ଛାଡ଼ୁନି। ଦଲାଲଙ୍କ କବଳରୁ ଚାଷକୁ ମୁକାଳିପାରୁନାହାନ୍ତି ସରକାର।

କୃଷି ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି ଯେ କୃଷି, ଜଳସେଚନ, ସମବାୟ, ଖାଦ୍ୟ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ଅଛି ନା ନାହିଁ? ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ରାଜ୍ୟ ସରକାର କୃଷି କ୍ୟାବିନେଟ୍ ବୈଠକ କରନ୍ତି। କାହିଁକି ଦୁଇବର୍ଷ ହେଲାଣି ଏହି ବୈଠକ ବସୁନାହିଁ? ଚାଷୀ ଓ ଚାଷ ଆଉ କିଭଳିସ୍ତରରେ ପହଞ୍ଚିଲେ, ସରକାର ହେଜିବେ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ କୃଷି କ୍ୟାବିନେଟ୍ ଗଠନ ହୋଇଛି ତ?

publive-image

ଏହି ମହଲର ମତ ହେଉଛି, ରାଜ୍ୟ ସରକାର ୨୦୧୩-୧୪ ମସିହାରୁ କୃଷି କ୍ଷେତ୍ରର ବିକାଶ ପାଇଁ ସ୍ବତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରୁଛନ୍ତି। ପୂର୍ବାପେକ୍ଷା କୃଷି ପାଇଁ ଯଥେଷ୍ଟ ଅଧିକ ଅର୍ଥ ବରାଦ କରାଯାଉଛି। ହେଲେ ଏହାର ଠୋସ୍ ପ୍ରଭାବ ଏଯାଏ ଦେଖିବାକୁ ମିଳିପାରୁନାହିଁ। ଏଇଥିପାଇଁ ଯେ ଓଡ଼ିଶାର କୃଷି କ୍ଷେତ୍ର ବା ଚାଷ ଓ ଚାଷୀ ଉଭୟ କେବଳ ଗୋଟିଏ ବିଭାଗ ସହିତ ଯୋଡି଼ ହୋଇନାହାନ୍ତି। ଧାନ ବିହନ କୃଷି ବିଭାଗ ଦେଉଥିବା ବେଳେ ଋଣ ଦେବ ସମବାୟ ବିଭାଗ। ଧାନ ଆଦି କିଣିବ ଖାଦ୍ୟ ଯୋଗାଣ ବିଭାଗ। ସେହିଭଳି ଅଧା କୃଷିଜାତ ସାମଗ୍ରୀ ସମବାୟ ବିଭାଗ ଅଧୀନରେ ଥିବା ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ କିଣାଯିବ। ଜଳଯୋଗାଣ ଜଳସଂପଦ ବିଭାଗ ଉପରେ ନିର୍ଭର କରେ। ଏଭଳି ସ୍ଥିତିରେ ଯଦି ବିଭାଗମାନଙ୍କ ମଧ୍ୟରେ ସମନ୍ବୟ ନ ରହେ, ଥରୁଟିଏ ଏକାଠି ବସି ସ୍ଥିତିର ସମୀକ୍ଷା ନ କରନ୍ତି, ତେବେ ଏଭଳି ସ୍ବତନ୍ତ୍ର ବଜେଟ୍ କିପରି ପ୍ରଭାବ ରଖିବ।

କୃଷି ବିଭାଗ ଅଧୀନରେ ତିନି ତିନିଟି ନିଗମ କାମ କରୁଛି। ଏପିକଲ୍, ବିହନ ନିଗମ ଓ କୃଷି ଶି​ଳ୍ପ ନିଗମ। ଏହି ତିନିଟି ନିଗମରେ ସରକାର ରାଜନୈତିକ ନେତାଙ୍କୁ ବିଭିନ୍ନ ସମୟରେ ଅଧ୍ୟକ୍ଷ ଦାୟିତ୍ବ ଦେଇଛନ୍ତି। ଏସବୁ ସଂସ୍ଥାର ୱେବ୍‌ସାଇଟ୍ ତଥ୍ୟ ସୂଚାଇ ଦେଉଛି ଯେ ଓଡ଼ିଶାର ଚାଷ ପ୍ରତି ଏମାନଙ୍କର ଯୋଗଦାନ କଣ ଓ ନିଷ୍ଠା କେତେ। ଏପିକଲରେ ଛୋଟ ଛୋଟ କୃଷି ଉଦ୍ୟୋଗୀଙ୍କ ପାଇଁ କୌଣସି ସୁଯୋଗ ନାହିଁ। ସବୁଠାରୁ ବଡ଼ କଥା ହେଲା, ଏହି ସଂସ୍ଥାରେ ଜିଲ୍ଲାସ୍ତରର ଚାଷୀଙ୍କୁ ପରାମର୍ଶ େଦବାକୁ କେହି ନାହାନ୍ତି। ପାରମ୍ପରିକ କୃଷି ପରିବର୍ତେ ଆଧୁନିକ କୃଷି ପ୍ରଣାଳୀକୁ ଆପଣାଇବା ଲାଗି ଚାଷୀଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ନାହିଁ। ଚାଷୀଙ୍କ ପାଇଁ ରହିଥିବା ତାଲିମ୍ ବ୍ୟବସ୍ଥା ବି ରାଜନୈତିକ ଢଙ୍ଗରେ ପରିଚାଳନା କରାଯିବା ଅଭିଯୋଗ ସମସ୍ତେ ଜାଣନ୍ତି, ଯାହାର ଶତପ୍ରତିଶତ ନିରାକରଣ ସମ୍ଭବ ହୋଇନାହିଁ।

େସହିଭଳି ଅନ୍ୟ ଚାଷ କଥା ଦୂରେ ଥାଉ, ଖୋଦ୍ ଧାନ ବିହନ ଯୋଗାଇବା କ୍ଷେତ୍ରରେ ଓଡ଼ିଶା ବିହନ ନିଗମ ଏଯାଏ ସ୍ବୟଂ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, କୃଷି ବିଜ୍ଞାନ କେନ୍ଦ୍ର କଥା ନ କହିବା ଭଲ।

publive-image Agrospectrum India

ସେପଟେ ସମବାୟ ବିଭାଗ ଅଧୀନରେ ମାର୍କଫେଡ୍ କାର୍ଯ୍ୟ କରୁଛି। ଚାଷୀକୁ ଠିକ୍ ସମୟରେ ସାର ଯୋଗାଇବା କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ। ହେଲେ ବିହନ ଭଳି ଚାଷୀକୁ ଠିକ୍ ସମୟରେ ସାର ନମିଳିବା ଓ ଖୋଲା ବଜାରରେ ସାର କଳାବଜାର ହେବା ଅଭିଯୋଗ ବହୁ ପୂରୁଣା। ରୋଗ ପୋକ ଦମନ କ୍ଷେତ୍ରରେ କୀଟନାଶକ ବ୍ୟବହାର ଓ ପରାମର୍ଶ କ୍ଷେତ୍ରରେ ହଜାର ହଜାର ଚାଷୀ ବଜାରରେ ଏସବୁ ବିକ୍ରି କରୁଥିବା ଦୋକାନୀଙ୍କୁ ଭରସା କରୁଛନ୍ତି।

ଚାଷୀର ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ ଓ ବଜାର ଉଭୟ କଥା ସମବାୟ ଓ କିଛି କ୍ଷେତ୍ରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉପରେ ନିର୍ଭର କରୁଛି। କୌତୂହଳ କଥା ହେଲା, ଉଭୟ କ୍ଷେତ୍ରରେ ଚାଷୀ କଠିନ ପରିସ୍ଥିତି ଦେଇ ଗତି କରୁଛି। ଓଡ଼ିଶାରେ ଶୀତଳଭଣ୍ଡାର କରିବା ଲାଗି ନୂଆ ଉଦ୍ୟୋଗୀ ଆଗ୍ରହୀ ପ୍ରକାଶ କରୁନାହାନ୍ତି। କାରଣ ଶୀତଳଭଣ୍ଡାରରେ ବିଦ୍ୟୁତ ଦେୟ ଏତେ ଅଧିକ ହେଉଛି ଯେ ତାହା ବ୍ୟବସାୟ ଅନୁକୂଳ ହେଉନାହିଁ। ଏଣୁ ଚାଷୀ ତରବର ହୋଇ ବିକ୍ରି କରିବା ବେଳେ ଏହାର ଫାଇଦା ମଧ୍ୟସ୍ଥ ଓ ଦଲାଲ ନେଉଛନ୍ତି। ଆନ୍ଧ୍ର, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁରେ ପଞ୍ଚାୟତସ୍ତରରେ ମଣ୍ଡି ଅଛି। ଯେଉଁଠି ଚାଷୀ ତା ପରିବା ଆଦି ସର୍ବଭାରତୀୟ ବଜାର ଦର ଅନୁସାରେ ବିକ୍ରି କରେ ଓ ତାର ଆକାଉଣ୍ଟକୁ ପ୍ରାପ୍ୟ ଯାଏ। ଓଡ଼ିଶାରେ ଏମିତି ବ୍ୟବସ୍ଥା ଏଯାଏ ହୋଇପାରିଲା ନାହିଁ।

୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରକୁ ଅଧିକ ସଂଗଠିତ କରିବା ଲାଗି ଜଣେ ମନ୍ତ୍ରୀ କୃଷି, ସମବାୟ ଓ ମତ୍ସ୍ୟ ଏବଂ ପଶୁପାଳନ ବିଭାଗ ଦେଇଥିଲେ। ହେଲେ ତାହା ପ୍ରଭାବୀ ସାବ୍ୟସ୍ତ ହେବା ପୂର୍ବରୁ ମନ୍ତ୍ରୀ ତ ବଦଳିଲେ, ସରକାର ସ୍ବତନ୍ତ୍ର କୃଷି ବଜେଟ୍ କଲେ ଓ କୃଷି କ୍ୟାବିନେଟ୍ ଗଠନ କଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିୟମିତ ବ୍ୟବଧାନରେ ଏହି କ୍ୟାବିନେଟ୍ ବୈଠକ ବସିବା କଥା। ହେଲେ ନା ଏ ବୈଠକ ବସିପାରୁଛି ନା ବିଭାଗ ମାନଙ୍କ ମଧ୍ୟରେ ସମନ୍ବୟ ରହୁଛି। ସାମଗ୍ରିକ କୃଷି ବ୍ୟବସ୍ଥାକୁ ବିପଜ୍ଜନକ ସ୍ଥିତିକୁ ଠେଲିଦେଇ କୃଷକଙ୍କ ପାଇଁ ପ୍ୟାକେଜ୍ କଲେ କଣ ହେବ?