ଅମୃତ ସହରକୁ ଭୁଲିଗଲେ! କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣାରେ ସୀମିତ

କେଉଁଠି ଖତ ଖାଉଛି, କେଉଁଠି ଶିଳାନ୍ୟାସରେ ଅଟକିଛି

ବାଲେଶ୍ବର : କେଉଁଠି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାପରେ କାର୍ଯ୍ୟକାରୀ ହୋଇନପାରି ଖତ ଖାଉଛି ତ ଆଉ କେଉଁଠି ଦୀର୍ଘବର୍ଷ ଧରି ଶିଳାନ୍ୟାସରେ ସୀମିତ ରହିଛି। ପୁଣି କେଉଁଠି କାମ ଆରମ୍ଭ ପରେ ବି ବର୍ଷବର୍ଷ ଧରି ଶେଷ ହୋଇପାରୁନି। ଅମୃତ ସହର ବାଲେଶ୍ବର ପୌରପାଳିକା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଘୋଷଣା ହୋଇଥିବା ମାଳମାଳ ପ୍ରକଳ୍ପଗୁଡ଼ିକର ଏହାହେଉଛି ବାସ୍ତବ ସ୍ଥିତି। ସହରାଞ୍ଚଳର ବିକାଶ ପ୍ରକ୍ରିୟା ଏକପ୍ରକାର ଠପ୍ ହୋଇ ଯାଇଥିବାରୁ ଚଳିତ ମୌସୁମୀ ଅଧିବେଶନରେ ବାଲେଶ୍ବର ସଦର ବିଧାୟକ ଏହି ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ବିଭିନ୍ନ ମହଲ‌ରୁ ଦାବି ଉଠିଛି।

Kalinga TV

ବାଲେଶ୍ବର ସହରରେ ଖତ ଖାଉଥିବା କୋଟି କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକ ମଧ୍ୟରୁ ସିଟିବସ୍ ସେବା ହେଉଛି ଅନ୍ୟତମ। ୪ ବର୍ଷ ତଳେ ପ୍ରାୟ ସାଢ଼େ ୭ କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ୧୦ଟି ବସ୍‌ ବାଲେଶ୍ବର ସହରରେ ମାତ୍ର ଗୋଟିଏ ମାସ ଗଡ଼ିବା ପରେ ବନ୍ଦ ହୋଇଗଲା। ତା’ ପରଠୁ ଆଜିଯାଏ ସେହି ନୂଆ ବସ୍‌ଗୁଡ଼ିକ ଗାନ୍ଧୀ ସ୍ମୃତିଭବନ ପରିସରରେ ଖୋଲା ଆକାଶ ତଳେ ପଡ଼ିରହିଛି। ଦୀର୍ଘଦିନ ଧରି ବ୍ୟବହାର ନ ହେବାରୁ ବସ୍‌ଗୁଡ଼ିକ ଆଉ ଚାଲିବା ଅବସ୍ଥାରେ ନାହିଁ। ଏପରିକି ସେଗୁଡ଼ିକୁ ସଜଡ଼ାଗଲେ ମଧ୍ୟ କିଣା ମୂଲ୍ୟଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି।

ଅନ୍ୟ ଏକ ପ୍ରକଳ୍ପ ହେଉଛି ବାଲେଶ୍ବର ସହରରେ ଭେଣ୍ଡିଂ ଜୋନ୍‌। ସହରର ରାସ୍ତାକଡ଼ରେ ଅସ୍ଥାୟୀ ଭାବେ ବସୁଥିବା ଦୋକାନୀଙ୍କ ପାଇଁ ୨୦୧୫ ମସିହାରେ ଷ୍ଟେସନ୍‌ ଛକ, ଓଟି ରୋଡ୍‌, ପୁଲିସ ଲାଇନ୍‌, ସେଣ୍ଟ୍ରାଲ୍‌ ସ୍କୁଲ ଛକରେ ଭେଣ୍ଡିଂ ଜୋନ୍‌ ବ୍ୟବସ୍ଥା କରାଯାଇଥିଲା। ସେଥିପାଇଁ ସରକାରୀ ରାଜକୋଷ ସିନା ଖାଲି ହେଲା, କିନ୍ତୁ ଦୂରଦୃଷ୍ଟି ଅଭାବରୁ ଏହି ପ୍ରକଳ୍ପ ଆରମ୍ଭରୁ ହିଁ ଦିଗହରା ହୋଇଗଲା। ଓଟି ରୋଡ୍‌ ଡିଫେନ୍ସ କଲୋନି ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍‌ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ହୋଇଥିବାବେଳେ ଷ୍ଟେସନ୍‌ ଛକରେ ଭେଣ୍ଡିଂ ଜୋନ୍ କରା ଯାଇଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତା’ର ନିର୍ମାଣ କାମ ଅଧାରୁ ଅଟକିଛି। ସେହିପରି ପୁଲିସ ଲାଇନ୍‌ରୁ ଆଇଜି କାର୍ଯ୍ୟାଳୟ ଓ ଆଇଟିଆଇ ଛକଠାରେ ନିର୍ମିତ ହୋଇଥିବା ଭେଣ୍ଡିଂଜୋନ୍‌ରେ ଅନେକ ଦୋକାନ ଗୃହ ଖତ ଖାଉଛି।

YouTube

ଅନୁରୂପ ଭାବେ ପିଇବା ପାଣି ଯୋଗାଣ ଲାଗି ବିଛା ଯାଉଥିବା ପାଇପ୍‌, ବର୍ଷାଜଳ ନିଷ୍କାସନ ପାଇଁ ତିଆରି ହେଉଥିବା ଡ୍ରେ‌ନ୍, ଖାଲଖମାରେ ପରିପୂର୍ଣ୍ଣ ରାସ୍ତାଘାଟ ଆଦିର ମରାମତି ଓ ନବୀକରଣ କଥା ନକହିବା ଭଲ। ୨୦୧୫ରୁ ଆରମ୍ଭ ହୋଇଥିବା ଏହି କାମ ୨୦୧୭ରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିରେ ବ୍ୟାପକ ଅନିୟମିତତା ସାଙ୍ଗକୁ ମନ୍ଥରଗତିରେ କାମ ଚାଲିଥିବା ଦେଖିବାକୁ ମିଳିଛି।

ପ୍ରଶ୍ନ ଉଠୁଛି, ବାଲେଶ୍ବରବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଅତୀତରେ ଏହି ସବୁ ଜନକଲ୍ୟାଣକାରୀ ପ୍ରକଳ୍ପ ଘୋଷଣା କରିଥିଲେ ହେଁ ଏଯାଏ ସେସବୁ କାହିଁକି ପୂର୍ଣ୍ଣାଙ୍ଗ ହୋଇପାରିନି? ଯେଉଁ ପ୍ରକଳ୍ପଗୁଡ଼ିକର ନିର୍ମାଣ ସରିଛି ବା କାର୍ଯ୍ୟକାରୀ ହୋଇ ପୁଣି ବନ୍ଦ ହୋଇଯାଇଛି, ସେଥିପାଇଁ ଦାୟୀ କିଏ? ବିଧାନସଭାରେ ଏସବୁ ପ୍ରସଙ୍ଗ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଜରୁରି ନୁହେଁ କି ବୋଲି ସହରର ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶ୍ନ କରିଛନ୍ତି।

ଏ ସଂପର୍କରେ ସଦର ବିଧାୟକ ସ୍ବରୂପ କୁମାର ଦାସ କହିଛନ୍ତି, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହ ସମନ୍ବୟ ରଖି ସେଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧିତ ଖବର