ଜିଲ୍ଲାର ଶିଳ୍ପ ବିକାଶକୁ ଭୁଲିଗଲେ ଶିଳ୍ପମନ୍ତ୍ରୀ: ମାଳ ମାଳ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ଝୁଲୁଛି ତାଲା

ବିଭାଗୀୟ ଅଧିକାରୀଙ୍କ ସହ କଲେନି ଆଲୋଚନା

ରାଉରକେଲା: ଗତକାଲି ରାଜ୍ୟ ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଆର୍‌ଏମ୍‌ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଜର ଗୁରୁତ୍ବପୂର୍ଣ୍ଣ ବିଭାଗ ଶିଳ୍ପ ସଂକ୍ରାନ୍ତରେ ଯେମିତି ସମୀକ୍ଷା କରିବା କଥା କରି ନଥିଲେ। ନିର୍ମାଣଧୀନ ହକି ଷ୍ଟାଡିୟମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟାଡୟିମ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଶ୍ଚର୍ଯ୍ୟ କଥା, ଜିଲ୍ଲାରେ ରୁଗ୍‌ଣସ୍ଥିତିରେ ଚାଲିଥିବା ‌କଳ କାରଖାନାଗୁଡ଼ିକ କିପରି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏବଂ ଜିଲ୍ଲାର ନିଯୁକ୍ତି ସୃଷ୍ଟି ‌ହେବ, ସେ ସଂକ୍ରାନ୍ତରେ ବିଶେଷ ଆଲୋଚନା କରି ନଥିଲେ।

କେବଳ ପଞ୍ଚାୟତସ୍ତରରେ ବିଭିନ୍ନ ଶିଳ୍ପର ପୁନରୁଦ୍ଧାର କରାଯାଇ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ ବୋଲି କହି କାମ ସାରିଦେଇଥିଲେ। ଏଥିରୁ ଜିଲ୍ଲାର ଶିଳ୍ପର ବିକାଶକୁ ମନ୍ତ୍ରୀ କେତେ ଧ୍ୟାନ ଦେଉଛନ୍ତି, ତା’ ସହଜେ ଅନୁମେୟ। ଅନ୍ୟପଟେ ରାଉରକେଲା ବଣିକ ସଂଘର ପ୍ରତିନିଧିମାନେ ଜିଲ୍ଲାରେ ଶିଳ୍ପର ପୁନରୁଦ୍ଧାର ସଂକ୍ରାନ୍ତରେ ଆଲୋଚନା ପାଇଁ ସଂଘ କାର୍ଯ୍ୟାଳୟରେ ଏକ ବୈଠକ ଆୟୋଜନ କରିଥିଲେ। କାର୍ଯ୍ୟବ୍ୟସ୍ତତା କିମ୍ବା ଅନ୍ୟ କିଛି କାରଣରୁ ମନ୍ତ୍ରୀ ବଣିକ ସଂଘ କାର୍ଯ୍ୟାଳୟକୁ ଯାଇନଥିଲେ। ସେପଟେ ଜିଲ୍ଲାରେ ଶିଳ୍ପ କ୍ଷେତ୍ରରେ ଶିଳ୍ପମନ୍ତ୍ରୀ କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ନଥିବାରୁ ଜିଲ୍ଲାବାସୀଙ୍କୁ ପୁଣି ନିରାଶ ହେବାକୁ ପଡିଛି। ସେମିତି ନିକଟରେ ବଣିକ ସଂଘର ପ୍ରତିନିଧି ରୁଗ୍‌ଣ ଅବସ୍ଥାରେ ଚାଲିଥିବା ଶିଳ୍ପକୁ ଚଲାଇବାକୁ ବିଦ୍ୟୁତ୍‌ ବିଲ୍‌ ହ୍ରାସ କରିବାକୁ ଶିଳ୍ପମନ୍ତ୍ରୀଙ୍କୁ ଅନେକଥର ଅନୁ‌ରୋଧ କରିଛନ୍ତି। ଆଜି ପର୍ଯ୍ୟନ୍ତ ସରକାର ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନେଇନାହାନ୍ତି।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ରେ ପରିଚାଳନାତ ତ୍ରୁଟି , ବ୍ୟାଙ୍କ ଋଣ ବୋଝ, ବର୍ଦ୍ଧିତ  ବିଦ୍ୟୁତ୍‌ ବିଲ୍‌ ମାଡ଼, ଆବଶ୍ୟକ କଞ୍ଚାମାଲ ଅଭାବରୁ ବର୍ଷ ବର୍ଷ ଧରି ଚାଲିଥିବା ପ୍ରାୟ ୧୫୦୦ରୁ ଅଧିକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ତାଲା ଝୁଲୁଛି। ଯେଉଁ କେ‌ତୋଟି ଚାଲିଛି, ତା’ର ସ୍ଥିତି ମଧ୍ୟ ଦୟନୀୟ। ମହାମାରୀ କରୋନା ମାଡ଼ରେ  ରୁଗ୍‌ଣ ସ୍ଥିତିରେ ଚାଲିଥିବା ଏସବୁ କାରଖାନାଗୁଡ଼ିକ ସ୍ଥିତି  ଆହୁରି ସଙ୍ଗିନ ହୋଇ ପଡିଛି। ଜିଲ୍ଲାର ପ୍ରାୟ ୪୫ରୁ ଅଧିକ ସ୍ପଞ୍ଜ କାରଖାନାଗୁଡ଼ିକ ମଧ୍ୟରୁ  ୭୦% ବନ୍ଦ ପଡିଛି। ମାତ୍ରାଧିକ ବିଜୁଳି ବିଲ୍‌ ଓ ଠିକ୍‌ ଆବଶ୍ୟକ କଞ୍ଚାମାଲ ଅଭାବରୁ ଅବଶିଷ୍ଟ ଶିଳ୍ପ କାରଖାନା ମଧ୍ୟରୁ ଅଧିକାଂଶ ଗୋଟିଏ ପରେ ଗୋଟିଏ ବନ୍ଦ ହେବାକୁ ବସିଛି। ତେବେ ଶିଳ୍ପକୁ ପ୍ରାଥମିକତା ଦିଆଯାଉଥିବା କଥା କହୁଥିବା ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉନାହାନ୍ତି।

ସେପଟେ ଶିଳ୍ପ ଉପରେ ପ୍ରତ୍ୟେକ୍ଷ ଓ ପରୋକ୍ଷ  ଭାବେ ନିର୍ଭରଶୀଳ ସୁନ୍ଦରଗଡ଼ ଜିଲ୍ଲାର  ଲକ୍ଷାଧିକ ଶ୍ରମିକ କର୍ମସଂସ୍ଥାନ ହରାଇଛନ୍ତି। ସେମିତି ରୁଗ୍‌ଣସ୍ଥିତିରେ ଚାଲିଥିବା କାରଖାନା ଅଧିକାଂଶ ଶ୍ରମିକଙ୍କୁ ଛଟେଇ କରିବାରୁ ଜିଲ୍ଲାର ଶ୍ରମିକଙ୍କ  ଆର୍ଥିକ ସ୍ଥିତି ଆହୁରି ଦୟନୀୟ ହୋଇପଡିଛି। ଜିଲ୍ଲାରେ ପ୍ରାୟ ୨ ହଜାର ୫୦୦ରୁ ଅଧିକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପଞ୍ଜିକୃତ ହୋଇଛି। ୮ଟି ବ୍ଲକ ଯଥା ବଣାଇଗଡ, କୋଇଡା, ଗୁରୁଣ୍ଡିଆ, ଲହୁଣିପଡା, ଲାଠିକଟା, କୁଆରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକରେ ମୋଟ ୧୨୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ  ରହିଛି। ୪୦୦ରୁ ଅଧିକ ଶିଳ୍ପରେ ତାଲା ଝୁଲୁଛି। ସେମିତି ସୁନ୍ଦରଗଡ଼ ସଦର, ରାଜଗାଙ୍ଗପୁର, କୁତ୍ରା, ବଡଗାଁ, ହେମଗିରି, ଟାଙ୍ଗରପାଲି, ବାଲିଶଙ୍କରା, ଲେଫ୍ରିପଡା, ସବ୍‌ଡେଗାରେ ମୋଟ ୧୫୦୦ରୁ ଅଧିକ ଛୋଟ, ବଡ କଳକାରଖାନା ରହିଛି। ଏଥିରୁ ୮୦୦ରୁ ଅଧିକ ଯେନତେନ ପ୍ରକାରେ ଚାଲୁଥିବାବେଳେ ୭୦୦ ଶିଳ୍ପ କାଖାନା ବନ୍ଦ ପଡିଛି। ତେବେ ଶିଳ୍ପର ବିକାଶକୁ ନେଇ ସଦାସର୍ବଦା ଡିଣ୍ଡିମ ପିଟୁଥିବା ସରକାର ଜିଲ୍ଲାର ଆର୍ଥିକ ବିକାଶ ପାଇଁ ଶିଳ୍ପକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର