ଭୁବନେଶ୍ବର: ନିକଟରେ କେନ୍ଦ୍ର ସରକାର ଓଡ଼ିଶାରେ ୬ ହଜାର ୬ ଶହ କୋଟିରୁ ଅଧିକ ପୁଞ୍ଜି ନିବେଶରେ ୨୮ଟି ରାଷ୍ଟ୍ରୀୟ ରାଜମାର୍ଗ ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କରିଛନ୍ତି। ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଏନ୍ଏଚ୍-୧୬ର ଚଣ୍ଡୀଖୋଲଠାରୁ ଭଦ୍ରକ ଉପଖଣ୍ଡ ପର୍ଯ୍ୟନ୍ତ ୬ ଲେନିଂ ଓ ଏନ୍ଏଚ୍-୪୯ର ବାହାରଗୋଡ଼ା ସିଂଘରା ଖଣ୍ଡର ୪ ଲେନିଂ ରାସ୍ତାର ଲୋକାର୍ପଣ ଓ ୨୬ଟି ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ହେଲେ ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ(କୋଷ୍ଟାଲ୍ ହାଇୱେ) ପ୍ରକଳ୍ପକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇନାହିଁ। ଯାହାକୁ ନେଇ ଉପକୂଳ ଓଡ଼ିଶାରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସମୂଦ୍ର କୂଳେ କୂଳେ ପ୍ରଶସ୍ତ ରାସ୍ତା ଯିବ। ଉପକୂଳ ଅଞ୍ଚଳ ବିକାଶର ନୂଆ ଧାରାରେ ସାମିଲ ହେବ। ସହଜ ଗମନାଗମନ, ପର୍ଯ୍ୟଟନର ବିକାଶ ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ବନ୍ଦରକୁ ବନ୍ଦର ରାସ୍ତା ସଂଯୋଗ ଫଳରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ। ୮ ବର୍ଷ ତଳେ ଓଡ଼ିଶାବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ। ୨୦୨୪ ଶେଷସୁଦ୍ଧା ଓଡ଼ିଶାରେ ଜାତୀୟ ରାଜପଥ ପ୍ରକଳ୍ପ ଅଧୀନ ସବୁ ରାସ୍ତା ଆମେରିକା ଭଳି ଉଚ୍ଚମାନର ହେବ ବୋଲି ମଧ୍ୟ ନିକଟ ଅତୀତରେ ପୁଣି ମନ୍ତବ୍ୟ ଦେଇଥିଲେ। କିନ୍ତୁ ଘୋଷଣାକୁ ଗୋଟିଏ ଦଶନ୍ଧି ଛୁଇଁବାକୁ ବସିଥିବା ବେଳେ ଉପକୂଳ ରାଜପଥ ପ୍ରକଳ୍ପ କାମ ଆରମ୍ଭ ହେବା ଦୂରର କଥା, ନକ୍ସା ଚୂଡ଼ାନ୍ତ ହୋଇପାରୁ ନାହିଁ। ପ୍ରଥମେ ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ପ୍ରାୟ ୪୪୦ କିମି ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଯିବାର ଥିଲା। କିନ୍ତୁ ଏକ୍ସପର୍ଟ ଆପ୍ରାଇଜାଲ୍ କମିଟି(ଇଏସି) ଚିଲିକା, ବାଲୁଖଣ୍ଡ ଓ ଭିତରକନିକାଠାରୁ ଦୂରରେ ରାଜପଥ ନେବାକୁ ପରାମର୍ଶ ଦେଇଥିଲେ। ଏହାପରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରୁ ବାହାରି ରତନପୁର ଦେଇ ଦୀଘା ପର୍ଯ୍ୟନ୍ତ(୩୮୨ କିମି) ଉପକୂଳ ରାଜପଥ ରହିବା ପାଇଁ ସ୍ଥିର ହୋଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଜଗତସିଂହପୁରରେ କୌଣସି ସମସ୍ୟା ନଥାଇ ଓ ହଳଦିଆ ପିଲାର(ଚୂଡ଼ାନ୍ତ ଖୁଣ୍ଟ) ପୋତାଯିବା ପରେ ମଧ୍ୟ ଚଞ୍ଚକତା କରାଯାଇ ସମୂଦ୍ରଠାରୁ ପ୍ରାୟ ୨୫ କିମି ଦୂରରେ ରାଜପଥ ନିଆଯିବାକୁ ନକ୍ସା-୩ରେ ଦର୍ଶାଯାଇଥିଲା। ଯାହାକୁ ନେଇ ଦୀର୍ଘ ମାସ ହେବ ବାଲିକୁଦା, ଏରସମା ଓ ଅସ୍ତରଙ୍ଗର ପ୍ରାୟ ୮୦ଟି ପଞ୍ଚାୟତରେ ଲକ୍ଷାଧିକ ଲୋକ ‘ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି’ ଜରିଆରେ ଆନ୍ଦୋଳନ ଜାରି ରଖିଛନ୍ତି। ଯାହାର ପ୍ରଭାବରେ ନକ୍ସା-୩ ଅନୁସାରେ ହୋଇଥିବା ଟେଣ୍ଡରକୁ ବାତିଲ କରାଯାଇଛି।
ଅନ୍ୟପଟେ ପୂର୍ବ ପ୍ରସ୍ତାବିତ (ନକ୍ସା-୨ ଅନୁସାରେ) ସମୁଦ୍ର କୂଳ ନିକଟରେ ଉପକୂଳ ରାଜପଥ ନେବାକୁ ମୁଖ୍ୟ ଶାସନ ସଚିବ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍ଏଚ୍ଏଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ପ୍ରଶ୍ନ ଉଠାଇ ତୁରନ୍ତ ଉପକୂଳ ରାଜପଥ କାମ ଆରମ୍ଭ କରିବାକୁ ସ୍ବର ଉଠାଇଥିଲେ। କିନ୍ତୁ ଟେଣ୍ଡର ବାତିଲ ହେବାକୁ ୬ ମାସ ବିତିଯାଇଥିଲେ ହେଁ ଏଯାଏ ନୂଆ ନକ୍ସା ମଞ୍ଜୁର ହୋଇପାରୁନାହିଁ। ଏନେଇ ପ୍ରକଳ୍ପ ନିର୍ଦ୍ଦେଶକ ଏନ୍ ନାଗେଶ୍ବର ରାଓ କହିଛନ୍ତି, ଟେଣ୍ଡର ବାତିଲ ପରେ ଚୌତନ୍ୟ କନସଲଟାନ୍ସି ଏକ ନୂଆ ନକ୍ସା ପ୍ରସ୍ତୁତ କରିଛି। ନୂଆ ନକ୍ସା ଅନୁସାରେ ରାସ୍ତା ସମୂଦ୍ର ନିକଟକୁ ଯାଉଛି। ମନ୍ତ୍ରାଳୟକୁ ଚୂଡ଼ାନ୍ତ ନକ୍ସା ମଞ୍ଜୁର ପାଇଁ ପଠାଯାଇଛି। ଏନେଇ ଏଷ୍ଟିମେଟ୍ କରାଯାଉଛି। ଇଲେକ୍ଟ୍ରି ପାଇଁ ଟିପିସିଓଡିଏଲ୍ ଓ ଓିପିଟିସିଏଲ୍ ଏଷ୍ଟିମେଟ୍ ଦେବା ପରେ ଚୂଡ଼ାନ୍ତ ଏଷ୍ଟିମେଟ୍ ମନ୍ତ୍ରାଳୟକୁ ପଠାଯିବ। ଏଥିପାଇଁ ପାଖା ପାଖି ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆସନ୍ତା ଏପ୍ରିଲ୍ ସୁଦ୍ଧା ନୂଆ ନକ୍ସା ଆଧାରରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।