ଭୁଲିଗଲେ ‘ବିଜୁ ଗାଁ ରେଡିଓ’

ଆବେଦନ କଲେ, ହେଲେ ଦେୟ ଦେଲେନି
୧୮କୃଷି ବିଜ୍ଞାନ କେନ୍ଦ୍ରର ଆବେଦନ ହେବ ଖାରଜ!
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଚେତାବନୀ

ଅନୁଗୁଳ,(ବିକାଶ ଚନ୍ଦ୍ର ସାହୁ): ପ୍ରାୟ ଚାରି ବର୍ଷ ତଳେ ଓଡ଼ିଶାରେ ‘ବିଜୁ ଗାଁ ରେଡିଓ’ ସ୍ଥାପନ ପାଇଁ ହୋଇଥିଲା ଘୋଷଣା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍‌ କି ବାତ୍‌’ ଶୈଳୀରେ ମୁଖ୍ୟମନ୍ତ୍ରୀ ବି ରେଡିଓରେ କଥା ହେବାକୁ କରିଥିଲେ ଯୋଜନା। ପ୍ରତିମାସରେ ଅନ୍ୟୁନ ୧୦ମିନିଟ୍ ଲୋକଙ୍କ ଉଦ୍ଦେଶ୍ୟରେ ରେଡିଓ କାର୍ଯ୍ୟକ୍ରମ ପ୍ରସାରିତ ହେବ। ବିଶେଷ କରି କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ବାର୍ତ୍ତା ରହିବ। ସରକାରଙ୍କ ଏହି ଯୋଜନାକୁ ସାକାର କରିବା ପାଇଁ ପ୍ରତି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରକୁ ମାଧ୍ୟମ କରାଗଲା। କେନ୍ଦ୍ର ଗୁଡ଼ିକ ଜରିଆରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ କମ୍ୟୁନିଟି ରେଡିଓ ପରିଚାଳନା ପାଇଁ ଆବେଦନ କରାଗଲା। କିନ୍ତୁ ତା ପରଠାରୁ ଏହି ରେଡିଓ ସ୍ଥାପନ ଯୋଜନାକୁ ରାଜ୍ୟ ସରକାର ସତେ ଯେମିତି ପାସୋରି ଯାଇଛନ୍ତି। ଆବେଦନକୁ ଇତିମଧ୍ୟରେ ପ୍ରାୟ ତିନି ବର୍ଷ ବିତି ଯାଇଥିଲେ ହେଁ ‘ବିଜୁ ଗାଁ ରେଡିଓ’ ସ୍ଥାପନ ପାଇଁ ସରକାର ଆବଶ୍ୟକ ଦେୟ ପୈଠ କରି ନାହାନ୍ତି। ଯାହାର ଫଳସ୍ବରୂପ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶାର ୧୮ଟି କୃଷି ବିଜ୍ଞାନ କେନ୍ଦ୍ର ସମେତ ମୋଟ ୩୦ଟି ସଂସ୍ଥାକୁ ନୋଟିସ୍‌ ଜାରି କରିଛି। ଆବେଦନକାରୀ କୃଷି ବିଜ୍ଞାନ କେନ୍ଦ୍ର ରେଡିଓ ସେଣ୍ଟରର ଆଶ୍ରୟପତ୍ର(ଏଲଓଆଇ) କୁ କାହିଁକି ନାକଚ କରାନଯିବ ସେ ସଂପର୍କରେ ମାସକ ମଧ୍ୟରେ କାରଣ ଦର୍ଶାଇବାକୁ ମନ୍ତ୍ରଣାଳୟର କମ୍ୟୁନିଟି ରେଡିଓ ସେଲ୍ ନୋଟିସ୍‌ରେ ପ୍ରଶ୍ନ କରିଛି। ମାସକ ମଧ୍ୟରେ ଏହାର କୌଣସି ଜବାବ୍‌ ନ ମିଳିଲେ ଇସ୍ୟୁ କରାଯାଇଥିବା ଆଶ୍ରୟପତ୍ର(ଏଲଓଆଇ)କୁ ବାତିଲ କରାଯିବ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି।

ନୋଟିସ୍‌ ଜାରି ହୋଇଥିବା ଏହି ୧୮ଟି କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟରେ ରହିଛି ଅନୁଗୁଳ, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ପୁରୀ ଜିଲ୍ଲାର ଗୋଟିଏ ଏବଂ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ଲେଖାଏଁ କୃଷି ବିଜ୍ଞାନ କେନ୍ଦ୍ର । ସରକାରଙ୍କ ଘୋଷଣା ମୁତାବକ, କୃଷି ବିଜ୍ଞାନ କେନ୍ଦ୍ରରେ ସ୍ଥାପିତ ହେବାକୁ ଥିବା ଏହି କମ୍ୟୁନିଟି ରେଡିଓ ସେଣ୍ଟର(ବିଜୁ ଗାଁ ରେଡିଓ) ପ୍ରତିଦିନ ଏକ ଘଣ୍ଟାର କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ସ୍ଥିର ହୋଇଥିଲା। ଯାହା ମୁଖ୍ୟତଃ କୃଷି ସମ୍ପର୍କିତ ହେବ ବୋଲି କୁହାଯାଇଥିଲା। କୃଷକ ବାଦ୍‌ ଗ୍ରାମୀଣ କ୍ଷେତ୍ରର ସ୍ବୟଂ ସହାୟିକା ଗୋଷ୍ଠୀ, ଯୁବ ଗୋଷ୍ଠୀ, ମହିଳାମାନଙ୍କ ସହ ଏହା ଜରିଆରେ ସରକାର ଯୋଡ଼ି ହେବାକୁ ଯୋଜନା କରିଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ଘଣ୍ଟାଏ କାଳ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ରାତି ୮ଟାରେ ଉକ୍ତ କାର୍ଯ୍ୟକ୍ରମ ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଥିଲା।

ଏହି ରେଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କର ପ୍ରତିମାସରେ ୧୦ମିନିଟ୍‌ର କାର୍ଯ୍ୟକ୍ରମ ରହିଥିଲା। ‘ମନ୍‌ କି ବାତ୍‌’ ଶୈଳୀରେ ଏହି କାର୍ଯ୍ୟକ୍ରମର ନାମ ‘ତୁମ ପାଇଁ…’ ରଖାଯିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ହୋଇଥିଲା। ଓୟୁଏଟି ବିଶ୍ବବିଦ୍ୟାଳୟ ତତ୍ତ୍ବାବଧାନରେ ଓଡ଼ିଶାର ୩୨ଟି କୃଷି ବିଜ୍ଞାନ କେନ୍ଦ୍ର ନାମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ରେଡିଓ ସ୍ଥାପନ ପାଇଁ ଆବେଦନ କରାଗଲା। ସେହି ମୁତାବକ, କେନ୍ଦ୍ର ସରକାର ବିଜ୍ଞାନ କେନ୍ଦ୍ରକୁ ଆଶୟ ପତ୍ର(ଏଲଓଆଇ) ଦେଲେ। ମାସକ ମଧ୍ୟରେ ଅନ୍ୟାନ୍ୟ କାଗଜପତ୍ର ଏବଂ ରେଡିଓ ସ୍ଥାପନ ପାଇଁ ଆବଶ୍ୟକ ଦେୟ ଦେବାକୁ ମନ୍ତ୍ରଣାଳୟ ଅନୁରୋଧ କରିଥିଲା। କିନ୍ତୁ, ବର୍ଷକ ପରେ ବର୍ଷ ଗଡ଼ିଯାଇଥିଲେ ହେଁ ଟଙ୍କା ପୈଠ କରାଯାଉ ନାହିଁ କି କାଗଜପତ୍ର ଦାଖଲ କରାଯାଉ ନାହିଁ। ଯେଉଁଥିପାଇଁ ମନ୍ତ୍ରଣାଳୟ ୧୮ଟି କୃଷି ବିଜ୍ଞାନ କେନ୍ଦ୍ରକୁ ନୋଟିସ୍‌ ଜାରି କରିଛି। ମାସକ ମଧ୍ୟରେ ଉତ୍ତର ନ ରଖିଲେ ଆଶ୍ରୟପତ୍ର ନାକଚ କରିବାକୁ ଚେତାବନୀ ଦେଇଛି।

କେନ୍ଦ୍ରରୁ ଆସିଥିବା ଏ ପ୍ରକାର ଚେତାବନୀ ରାଜ୍ୟ ସରକାରଙ୍କ ଅବହେଳାକୁ କେବଳ ସୂଚାଉ ନାହିଁ, ବରଂ ମୋଦୀଙ୍କ ଷ୍ଟାଇଲ୍‌ରେ ଓଡ଼ିଶା ଲୋକଙ୍କ ମନ ଜିଣିବା ପାଇଁ ରାଜ୍ୟ ସରକାର ଯେଉଁ ‘ବିଜୁ ଗାଁ ରେଡିଓ’ ଯୋଜନା ଘୋଷଣା କରିଥିଲେ ତାହା ଆପାତତଃ ଫେଲ୍ ମାରିବାକୁ ଯାଉଛି ବୋଲି ତଥ୍ୟାଭିଜ୍ଞ ମହଲ ଆଶଙ୍କା ବ୍ୟକ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର