ବ୍ରହ୍ମପୁର : ବ୍ରହ୍ମପୁରର ଅନ୍ୟତମ ବରପୁତ୍ର, ଦେଶର ଚତୁର୍ଥ ରାଷ୍ଟ୍ରପତି ତଥା ଭାରତରତ୍ନ ଭି.ଭି. ଗିରିଙ୍କ ଶନିବାର ଥିଲା ଶ୍ରାଦ୍ଧ ଦିବସ। ୧୯୮୦ ମସିହା ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା। ଜନ୍ମ ହୋଇଥିଲେ ବ୍ରହ୍ମପୁରରେ, ଦେହତ୍ୟାଗ କଲେ ମାଡ୍ରାସ୍(ବର୍ତ୍ତମାନ ଚେନ୍ନାଇ)ରେ। ଆଜିର ବିଶେଷ ଦିନରେ ତାଙ୍କୁ ଜନ୍ମଭୂମିରେ କେହି ମନେ ପକାଇଲେନି। କୌଣିସି ଅନୁଷ୍ଠାନ ପକ୍ଷରୁ ନାହିଁ କିମ୍ବା ଜିଲ୍ଲା ଅବା ସ୍ଥାନୀୟ ପ୍ରଶାସନ କେହିବି ଆଜି ତାଙ୍କର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଦେଖିବାକୁ ମିଳିଲାନି। କେବଳ ସେତିକି ନୁହେଁ, ବ୍ରହ୍ମପୁରରେ ତାଙ୍କ ସ୍ମୃତି ରକ୍ଷା ପାଇଁ ମଧ୍ୟ କୌଣସି ଉଦ୍ୟମ ହେଉନାହିଁ। ନିଜ ଜନ୍ମଭୂମି ବ୍ରହ୍ମପୁର ସହରରେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିନାହିଁ। ୧୯୭୪ମସିହାରେ ସ୍ଥାପନ ହୋଇଥିବା ଗିରି ମାର୍କେଟକୁ ତତ୍କାଳୀନ ରାଷ୍ଟ୍ରପତି ଭି.ଭି.ଗିରି ଉଦ୍ଘାଟନ କରିଥିଲେ। କୋଠାଟି ଜରାଜୀର୍ଣ୍ଣ ହୋଇପଡ଼ିବାରୁ ତାକୁ ଏବେ ଭାଙ୍ଗି ଦିଆଯାଇଛି। ଭି.ଭି.ଗିରିଙ୍କ ସ୍ମୃତି ବହନ କରିଥିବା ଉଦ୍ଘାଟନୀ ଫଳକକୁ ସଂରକ୍ଷିତ ରଖିବା ଉପରେ ବି ଗୁରୁତ୍ବ ଦିଆଯାଇନି।
ଭାରତରତ୍ନ ଭି.ଭି ଗିରିଙ୍କ ନିଜ ଜନ୍ମଭୂମି ପ୍ରତି ବିଶେଷ ଅବଦାନ ଥିଲା। ଐତିହାସିକ ତଥ୍ୟ ମୁତାବକ, ୧୮୯୪ମସିହା ଅଗଷ୍ଟ ୧୦ରେ ବ୍ରହ୍ମପୁରର ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ସେ ଜନ୍ମଲାଭ କରିଥିଲେ। ପିତା ବରାହଗିରି ଯୋଗେୟା ପାନ୍ତୁଲୁ, ଜେଜେ ବାପା ବରାହଗିରି ରାମେୟା ପାନ୍ତୁଲୁ ଓ ଅଜା ଦିଗମୂର୍ତ୍ତି ରାମେୟା ସମସ୍ତେ ଜଣେ ଜଣେ ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ଥିଲେ। ସେମାନଙ୍କ ଠାରୁ ଭି.ଭି. ଗିରି ପ୍ରେରଣା ଲାଭ କରିଥିଲେ। ପ୍ରାଥମିକ ଶିକ୍ଷା ବ୍ରହ୍ମପୁରରେ କରିଥିଲେ। ପରବର୍ତ୍ତୀ ସମୟରେ ଇଂଲଣ୍ଡରେ ବାରିଷ୍ଟର ଶିକ୍ଷା ଲାଭ କରି ଫେରିଥିଲେ ଜନ୍ମମାଟିକୁ । ଗାନ୍ଧୀଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତ ବେଳେ ତାଙ୍କୁ ଭେଟିବା ସହ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଅବକାରୀ ନିଲାମ ବିରୋଧରେ ଆନ୍ଦୋଳନ କରି ଗିରଫ ହେବା ସହ ବ୍ରହ୍ମପୁର ଜେଲ୍ରେ ଥିଲେ। ତ୍ରୁଟିପୂର୍ଣ୍ଣ ଖାଦ୍ୟକୁ ନେଇ ଜେଲ୍ରେ ଅନଶନ କରିଥିଲେ। ନିଜ ଖାଦ୍ୟ ନିଜେ ରାନ୍ଧି ଖାଇବା ପାଇଁ ଅନୁମତି ଦେବାକୁ ଜେଲ୍ କର୍ତ୍ତୃପକ୍ଷ ଶେଷରେ ବାଧ୍ୟ ହୋଇଥିଲେ। ଏହା ପରେ ସେ ସ୍ଥାନୀୟ ନେତାରୁ ଜାତୀୟସ୍ତରର ନେତାରେ ପରିଣତ ହୋଇଥିଲେ।
ଜେଲ୍ରୁ ମୁକୁଳିବା ପରେ ଶ୍ରମିକ ଆନ୍ଦୋଳନରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ। ୧୯୨୮ରେ ଅବିଭକ୍ତ ଭାରତବର୍ଷର ସମସ୍ତ ରେଳ କର୍ମଚାରୀଙ୍କୁ ସଂଗଠିତ କରି ନିଖିଳ ଭାରତ ରେଳ କର୍ମଚାରୀ ମହାସଂଘ ଗଠନ କରିଥିଲେ। ୧୯୨୭ରେ ଜେନେଭା ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଶ୍ରମିକ ସମ୍ମିଳନୀରେ ଭାରତୀୟ ଶ୍ରମିକ କଂଗ୍ରେସର ପ୍ରତିନିଧିତ୍ବ କରିଥିଲେ। ୧୯୩୧ରେ ଲଣ୍ଡନରେ ଅନୁଷ୍ଠିତ ଦ୍ବିତୀୟ ଗୋଲ୍ଟେବୁଲ୍ ବୈଠକରେ ଭାରତୀୟ ଶ୍ରମଜୀବୀଙ୍କ ପ୍ରତିନିଧି ଭାବେ ଯୋଗଦେବା ସହ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନ ହୋଇଥିବା ବେଳେ ସେ ଜବାହରଲାଲ୍ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଶ୍ରମ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରେ ଉତ୍ତରପ୍ରଦେଶ, କେରଳ ଓ ମହୀଶୂରର ରାଜ୍ୟପାଳ ହୋଇଥିଲେ। ୧୯୬୭ରେ ଉପରାଷ୍ଟ୍ରପତି ଏବଂ ୧୯୬୯ରେ ରାଷ୍ଟ୍ରପତି ହୋଇଥିଲେ। ଦେଶର ପ୍ରଥମ ନାଗରିକ ହେବା ପରେ ମଧ୍ୟ ନିଜ ଜନ୍ମମାଟିକୁ ଭୁଲି ନଥିଲେ। ଏଭଳି ଜଣେ ମହାପୁରୁଷଙ୍କ ସ୍ମୃତିରକ୍ଷା ପାଇଁ ଯଥୋଚିତ ଉଦ୍ୟମ ନହେବା ଆଚମ୍ବିତ କରିଛି।