ରାଜକିଶୋର ଦାଶ
ବାରିପଦା: ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଗଠନରେ ସେ ସାଜିଥିଲେ ମୁଖ୍ୟ ପୁରୋଧା। ‘ଉତ୍କଳ ସମ୍ମିଳନୀର ସେ ମୁଖ୍ୟ ପୃଷ୍ଠପୋଷକ ଥିଲେ। ୧୯୦୩ ଡିସେମ୍ବର ୩୦ ରେ କଟକର ଇଦ୍‌ଗା ପଡ଼ିଆରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନର ପ୍ରଥମ ସଭାପତି ଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ ତାଙ୍କର ଗୁଣଗ୍ରାହୀ। ଶିକ୍ଷା, ସ୍ବାସ୍ଥ୍ୟ, କଳା ସଂସ୍କୃତିଠାରୁ ଆରମ୍ଭ କରି ଶିଳ୍ପର ବିକାଶରେ ସେ ଥିଲେ ଜଣେ ଧୁରୀଣ ସ୍ଥାବକ। ମାତ୍ର ଏପରି ମହାନ ବ୍ୟକ୍ତିତ୍ବଙ୍କୁ ରାଜ୍ୟ ସରକାର ଯେପରି ମର୍ଯ୍ୟାଦା ଦେବାକଥା ଦେଇନାହାନ୍ତି। ଭଞ୍ଜ ମାଟିର ସୁବର୍ଣ୍ଣ ଯୁଗର ପ୍ରବର୍ତ୍ତକ ତଥା ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଗରିମାମୟ ଜୀବନୀ ଅନେକ ସ୍ବାକ୍ଷର ବହନ କରୁଛି। ଚଳିତ ବର୍ଷ ପଡ଼ୁଛି ତାଙ୍କର ୧୫୦ତମ ଜୟନ୍ତୀ। ମାତ୍ର ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ପଦୁଟିଏ ଖବର ମଧ୍ୟ ରଖିନାହାନ୍ତି। ଯାହାକି ଏହି ମହାପୁରୁଷଙ୍କୁ ଭଲପାଉଥିବା ଅଗଣିତ ବ୍ୟକ୍ତିଙ୍କୁ ଆନ୍ଦୋଳିତ କରୁଛି। ବର୍ଷକରେ ଥରେ ମାତ୍ର ସୂଚନା ଭବନରେ ମହାରାଜାଙ୍କ ଜୟନ୍ତୀ ପାଳନରେ ସରୁଛି ଔପଚାରିକତା। ସେହିପରି ଜିଲ୍ଲା ପ୍ରଶାସନ ମଧ୍ୟ କେବଳ ଜୟନ୍ତୀ ପାଳନ ବେଳେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କାମ ସାରିଦିଏ। ମାତ୍ର ତାଙ୍କ କୃତିତ୍ବକୁ ମନେ ପକେଇବା କିମ୍ବା ଆଗାମୀ ପିଢ଼ିଙ୍କୁ ଜଣେ ଦୂରଦ୍ରଷ୍ଟା ବିକାଶ ପୁରୁଷଙ୍କ ସମ୍ପର୍କରେ ଜଣେଇବାକୁ କେହି କିଛି ପଦକ୍ଷେପ ନେଇନାହାନ୍ତି। ଆଉ ମାତ୍ର ୨ ଦିନ ପରେ ଗୁରୁବାର (୧୭ତାରିଖ) ଦିନ ଏହି ଯୋଗଜନ୍ମା ବିକାଶ ପୁରୁଷଙ୍କ ଜୟନ୍ତୀ।

Advertisment

କଟକ ବଡ଼ ମେଡିକାଲ୍‌ ଓ ରେଭେନ୍‌ସା ବିଶ୍ବବିଦ୍ୟାଳୟ ମୁକସାକ୍ଷୀ

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନ ସମୟରେ (୧୮୯୨) କୃଷକମାନେ ଜମିର ମାଲିକାନା ସତ୍ୱ ଲାଭ କରିଥିଲେ; ଫଳରେ ସେମାନଙ୍କର ସାମାଜିକ ନିରାପତ୍ତା ସୁରକ୍ଷା ସମ୍ଭବ ହୋଇଥିଲା। ମହାଜନମାନଙ୍କ ନିକଟରୁ ପ୍ରଜାମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ନିୟମ ପ୍ରଚଳନ କରିବା ସହିତ ସ୍ୱଳ୍ପ ସୁଧରେ ଶସ୍ୟ ଋଣ ଦେବାର ବ୍ୟବସ୍ଥା କରିଥିଲେ। ଜଳସେଚନର ସୁବିଧା ନିମନ୍ତେ ରାଜ କୋଷରୁ ୬ ଲକ୍ଷ ଟଙ୍କା ବ୍ୟୟ ବରାଦରେ ହଳଦିଆ, ବାଲିଡ଼ିହା ଓ ଗୋହିରା ଖାଳ ମହାରାଜାଙ୍କ ସ୍ମୃତି ବହନ କରୁଛି। ବାମନଘାଟି ସବଡିଭିଜନ ଟସର ଚାଷ ନିମନ୍ତେ ଉପଯୁକ୍ତ କ୍ଷେତ୍ର ହୋଇଥିବାରୁ ମହାରାଜା ଢ଼ାକାରୁ କେତେକ ତନ୍ତୁବାୟଙ୍କୁ ଆଣି ବହଳଦାଠାରେ ଥଇଥାନ କରାଇ ଟସର ଉତ୍ପାଦନ ଆରମ୍ଭ କରିଥିଲେ। ମସଲିନ୍ ଲୁଗା ବୁଣିବାର କୌଶଳ ମୟୂରଭଞ୍ଜରେ ଆରମ୍ଭ କରାଇଥିଲେ। ତାଙ୍କ ସମୟରେ ଶିମିଳିପାଳ ସହିତ ଆଖପାଖ ଅଞ୍ଚଳରୁ ସଂଗୃହୀତ ଲାଖକୁ ବ୍ୟବସାୟ ଉପଯୋଗୀ କରାଇବା ଉଦ୍ଦେଶ୍ୟରେ ବାମନଘାଟି ଉପଖଣ୍ଡରେ ଲାଖ କାରଖାନା ପ୍ରତିଷ୍ଠା କରାଯାଇଥିଲା।ମୟୂରଭଞ୍ଜର ଛଉ ନୃତ୍ୟକୁ ବିଶ୍ବପ୍ରସିଦ୍ଧ କରିବାରେ ତାଙ୍କର ଅବଦାନ ଥିଲା ଅନସ୍ବିକାର୍ଯ୍ୟ।

ସେହିପରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ନିମନ୍ତେ ରେଭେନ୍‌ସା ମହାବିଦ୍ୟାଳୟ(ବିଶ୍ବବିଦ୍ୟାଳୟ) ପ୍ରତିଷ୍ଠାରେ ସେ ଥିଲେ ଅନ୍ୟତମ ପୁରୋଧା। ଜନସାଧାରଣଙ୍କ ସ୍ବାସ୍ଥ୍ୟସେବା ନିମନ୍ତେ କଟକ ବଡ଼ ମେଡିକାଲ ସ୍ଥାପନରେ ସେ ସାଜିଥିଲେ ମୁଖ୍ୟ କର୍ଣ୍ଣଧାର। ଗୋବୀଜ ଟିକାକୁ ବାଧ୍ୟତା ମୂଳକ କରାଯାଇଥିଲା। ଉତ୍ତମ ଶାସନ ବ୍ୟବସ୍ଥା ନିମନ୍ତେ ବାରିପଦାରେ ସେ ପ୍ରତିଷ୍ଠା କରିଥିଲେ ଏକ ସ୍ବତନ୍ତ୍ର ହାଇକୋର୍ଟ। ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ଅଧିକାର ସମଗ୍ର ଭାରତ ବର୍ଷରେ କେବଳ ମୟୂରଭଞ୍ଜ ମହାରାଜାଙ୍କୁ ମିଳିଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ୧୧ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ କରିଥିଲେ। ବାରିପଦାରେ କୁଷ୍ଠ ରୋଗୀଙ୍କ ଆଶ୍ରୟ ପାଇଁ ଏକ କୋଷ୍ଠାଶ୍ରମ ନିର୍ମାଣ ହେଉ ଅବା ଜୁବଲୀ ଲାଇବ୍ରେରୀ, ଉଦ୍ୟାନ, ସ୍କୁଲ ସଂଲଗ୍ନ ଛାତ୍ରାବାସ(ଫ୍ରେଜାର ହଷ୍ଟେଲ), ବ୍ରାହ୍ମ ମନ୍ଦିର, ଜନସାଧାରଣଙ୍କ ଦୈନନ୍ଦିନର ଆବଶ୍ୟକତା ପୂରଣ ପାଇଁ ଗୁଜରୀ ମାର୍କେଟ ଆଦି ତାଙ୍କର ଗୋଟିଏ ଗୋଟିଏ କୀର୍ତ୍ତି। ୧୯୦୩ ଓ ୧୯୧୧ ମସିହାରେ ସେ ଦିଲ୍ଲୀ ଦରବାରକୁ ନିମନ୍ତ୍ରିତ ହୋଇଥିଲେ। ମହାରାଜାଙ୍କ ତତ୍ତ୍ବାବଧାନରେ ପ୍ରତ୍ନତତ୍ତ୍ବ ବିଭାଗ ସୃଷ୍ଟି ହୋଇଥିଲା। ବାରିପଦା ସହରକୁ କଟକ ଓ କଲିକତା ସହିତ ଟେଲିଗ୍ରାଫ ସଂଯୋଗ କରାଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ରହିଥିବା ବରେହିପାଣି ଜଳପ୍ରପାତର ପାଣିକୁ ବନ୍ଧ ବାନ୍ଧି ସେଥିରୁ ଜଳବିଦ୍ୟୁତ ଉତ୍ପାଦନ ସହିତ ଜଳସେଚନ ଉପେଯାଗୀ କରାଇବାର ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ କରିଥିଲେ। ମାତ୍ର ତାଙ୍କର ଅକାଳ ବିୟୋଗ କାରଣରୁ ଏହା ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇପାରି ନାହିଁ।

ତାଙ୍କର ବିକାଶୋନ୍ମୁଖୀ ଚିନ୍ତାଧାରାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଚାରପ୍ରସାର ନିମନ୍ତେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବାର ସମୟ ଉପନୀତ। ମାତ୍ର କେବଳ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଦେଲେ ଏହା ସମ୍ପୂର୍ଣ୍ଣ ହେବନାହିଁ। ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ଜାଜ୍ଜୁଲ୍ୟମୟ ଜୀବନୀ ସମ୍ପର୍କରେ ଗବେଷଣାର ଆବଶ୍ୟକତା ରହିଛି। ଏନେଇ ଡକ୍ୟୁମେଣ୍ଟେସନ୍‌ର ମଧ୍ୟ ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଞ୍ଜବଂଶର ଦାୟାଦ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ।