ଅର୍ଥ ଆୟୋଗ ଗଠନ କରିବାକୁ ଭୁଲିଗଲେ!

୬ମାସ ତଳୁ କେନ୍ଦ୍ରୀୟ ଅର୍ଥ ଆୟୋଗ ଗଠନ ହେଲାଣି

ଭୁବନେଶ୍ବର: କେନ୍ଦ୍ର ସରକାର ୬ ମାସ ତଳୁ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରି ସାରିଲେଣି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଡିସେମ୍ବର ୩୧ ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରି ସାରିଛନ୍ତି। ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା ଷୋଡ଼ଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଆ ଅର୍ଥନୀତିଜ୍ଞ ତଥା ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋ‌ନୋମିକ ଗ୍ରୋଥ୍‌ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆୟୋଗର ସଦସ୍ୟ କରାଯାଇଛି। କମିଟି ଯେକୌଣସି ମୁହୂର୍ତ୍ତରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଗସ୍ତ କରି ସରକାର, ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଆଦିଙ୍କର ମତାମତ ସଂଗ୍ରହ କରିବେ। ଏପଟେ କିନ୍ତୁ ଓଡ଼ିଶା ସରକାର ବର୍ତ୍ତମାନ ସୁଦ୍ଧା ଷଷ୍ଠ ଅର୍ଥ ଆୟୋଗ ଗଠନ କରିପାରିନାହାନ୍ତି। ପୂର୍ବରୁ ନିର୍ଦ୍ଧାରିତ ସମୟରେ ଅର୍ଥ ଆୟୋଗ ଗଠନ କରିବାର ଇତିହାସ ଓଡ଼ିଶାର ରହିଛି। କିନ୍ତୁ ରାଜ୍ୟ ସରକାର ଷଷ୍ଠ ଅର୍ଥ ଆୟୋଗ ଗଠନ କରିବାରେ ବିଳମ୍ବ କରୁଥିବାରୁ ଆୟୋଗ କେତେ ମାତ୍ରାରେ ତାହାର କାର୍ଯ୍ୟ ପାରଦର୍ଶିତାର ସହ କରିବାରେ ସକ୍ଷମ ହେବ, ତାହା ଅର୍ଥନୀତିଜ୍ଞ ଏବଂ ବୁଦ୍ଧିଜୀବୀମାନଙ୍କ ମନକୁ ଆନ୍ଦୋଳିତ କଲାଣି।

ଓଡ଼ିଶାର ପଞ୍ଚମ ଅର୍ଥ ଆୟୋଗ ଉପରେ ନଜର ପକାଇଲେ ଜଣାଯାଏ ଯେ ୫ ବର୍ଷ ପାଇଁ ଅର୍ଥାତ୍‌ ୨୦୨୦ ଏପ୍ରିଲରୁ ୨୦୨୫ ମାର୍ଚ୍ଚ ପାଇଁ ଏହି ଆୟୋଗ ବିଭିନ୍ନ ସୁପାରିସ କରିଥିଲା। ତେଣୁ ୨୦୨୫ ଏପ୍ରିଲରୁ ନୂଆ ଅର୍ଥ ଆୟୋଗର ସୁପାରିସ କାର୍ଯ୍ୟକାରୀ ହେବ। ଆୟୋଗ ଗଠନ ପରେ ତାହାକୁ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ପାଖାପାଖି ବର୍ଷେ ସମୟ ଲାଗିବ। ସେ ଦୃଷ୍ଟିରୁ ଦେଖିଲେ ଷଷ୍ଠ ଅର୍ଥ ଆୟୋଗ ଗଠନ କରି ରିପୋର୍ଟ ପ୍ରଦାନ କରିବା ଲାଗି ହାତରେ ଅଳ୍ପ ସମୟ ରହିଛି।

ଅନ୍ୟପକ୍ଷରେ ଷୋଡ଼ଶ ଅର୍ଥ ଆୟୋଗ ୨୦୨୫ ଅକ୍ଟୋବର ୩୧ ସୁଦ୍ଧା ତାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ। କେନ୍ଦ୍ରୀୟ ଅର୍ଥ ଆୟୋଗର ସୁପାରିସ ଆଧାରରେ କେନ୍ଦ୍ର-ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଟିକସ ଆବଣ୍ଟନ କରାଯିବ। ତେଣୁ ଏହା ପୂର୍ବରୁ ଯଦି ରାଜ୍ୟ ଅର୍ଥ ଆୟୋଗ ରିପୋର୍ଟ ଦାଖଲ ନକରିବ ତା’ହେଲେ ପୌରସଂସ୍ଥା ଏବଂ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ମଧ୍ୟରେ ସମ୍ବଳ ଆବଣ୍ଟନ ସୁଷମଭାବେ ହୋଇପାରିବ ନାହିଁ। କାରଣ ଉଭୟ କେନ୍ଦ୍ର ଓ ରାଜ୍ୟ ଅର୍ଥ ଆୟୋଗର ସୁପାରିସ ମଧ୍ୟ‌ରେ ସମନ୍ବୟ ରହିଲେ ଏବଂ ‌କେନ୍ଦ୍ରୀୟ ଆୟୋଗର ରିପୋର୍ଟ ଆସିବା ପୂର୍ବରୁ ରାଜ୍ୟ ଅର୍ଥ ଆୟୋଗର ରିପୋର୍ଟ ପ୍ରସ୍ତୁତ ହୋଇଥିଲେ ହିଁ ଏହା ସମ୍ଭବ ହୋଇପାରିବ। ରାଜ୍ୟ ସରକାର ଗଠନ କରୁଥିବା ଅର୍ଥ ଆୟୋଗ ମୁଖ୍ୟତଃ ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥା(ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ) ଏବଂ ସହରାଞ୍ଚଳର ସ୍ବାୟତ୍ତ ଶାସନ ସଂସ୍ଥା ଯଥା ମହାନଗର ନିଗମ, ମ୍ୟୁନିସିପାଲିଟି ଏବଂ ବିଜ୍ଞପିତ ପରିଷଦ ଅଞ୍ଚଳ(ଏନ୍‌ଏସି) ଗୁଡ଼ିକ ମଧ୍ୟରୁ କାହାକୁ କେତେ ଅର୍ଥ ପ୍ରଦାନ କରାଯିବ ସେ ନେଇ ସୁପାରିସ କରିଥାନ୍ତି। ରାଜ୍ୟ ଅର୍ଥ ଆୟୋଗ ଏଥିପାଇଁ ଓଡ଼ିଶାର ବିଭିନ୍ନ ପୌରସଂସ୍ଥା ଏବଂ ଗ୍ରାମପଞ୍ଚାୟତକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଅର୍ଥ ଆବଣ୍ଟନ ସଂକ୍ରାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। ଏଥିସହିତ ପଞ୍ଚାୟତିରାଜ ଏବଂ ପୌରସଂସ୍ଥାଗୁଡ଼ିକରେ ଢାଞ୍ଚାଗତ ସଂସ୍କାର ପାଇଁ ମଧ୍ୟ ଆୟୋଗ ସୁପାରିସ କରିପାରନ୍ତି।

ଉଦାହରଣ ସ୍ବରୂପ ପଞ୍ଚମ ଅର୍ଥ କମିସନର ସୁପାରିସ ଆଧାରରେ ପୌରସଂସ୍ଥାଗୁଡ଼ିକ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଅଧିକାରୀ କ୍ୟାଡର, ଇଞ୍ଜିନିୟରିଂ କ୍ୟାଡର ଆଦି ପାଇଁ ପରାମର୍ଶ ଦିଆଯାଇଥିଲା। ସେହିଭଳି ଗ୍ରାମପଞ୍ଚାୟତଗୁଡ଼ିକରେ ଆକାଉଣ୍ଟିଂ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ଲାଗି ଡାଟା ‌ଏଣ୍ଟ୍ରିଂ ଅପରେଟର ନିଯୁକ୍ତି ‌ପାଇଁ ମଧ୍ୟ ସୁପାରିସ କରାଯାଇଥିଲା। ଏହାକୁ ମଧ୍ୟ ଅନେକାଂଶରେ କାର୍ଯ୍ୟକାରୀ କରାଯାଇଛି ବୋଲି ପଞ୍ଚମ ଅର୍ଥ ଆୟୋଗର ଜଣେ ସଦସ୍ୟ କହିଛନ୍ତି। ‌ପୌରସଂସ୍ଥା ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକୁ ଗସ୍ତ କରି ସେମାନଙ୍କ ଆବଶ୍ୟକତାକୁ ବୁଝି ରିପୋର୍ଟ ପ୍ରସ୍ତୁତ କରିବା ଏକ ସମୟସାପେକ୍ଷ ପ୍ରକ୍ରିୟା ହୋଇଥିବାରୁ ଠିକ୍‌ ସମୟରେ ଆୟୋଗ ଗଠନ କରାଯିବାର ଆବଶ୍ୟକତା ରହିଛି ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫ଟି ଅର୍ଥ ଆୟୋଗ ଗଠନ ହୋଇସାରିଛି। ପଞ୍ଚମ ଅର୍ଥ ଆୟୋଗ ୨୦୧୮ ମେ ମାସରେ ଆର୍‌ ଏନ୍‌ ସେନାପତିଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିଲା। ତେଣୁ ଷଷ୍ଠ ଅର୍ଥ ଆୟୋଗ ୨୦୨୩ରେ ଗଠନ ହେବା କଥା। କିନ୍ତୁ ୨୦୨୪ ମସିହାର ପ୍ରଥମ ୬ ମାସ ବିତିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅର୍ଥ ଆୟୋଗ ଗଠନ ନହେବା ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର