ଭୁବନେଶ୍ବର : ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ନେଇ ଏକ କମିଟି ଗଠନ ହେଲା। ଗୋଟିଏ କ୍ବିଣ୍ଟାଲ ଧାନ ଉତ୍ପାଦନ କରିବାକୁ ଚାଷୀ କେତେ ଖର୍ଚ୍ଚ କରୁଛି, ତାହାର ହିସାବ କରି ଏହି କମିଟି ସ୍ଥିର କଲା ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୨୯୩୦ ଟଙ୍କା ହେଉ। ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା। କେନ୍ଦ୍ର ସରକାର ତୁରନ୍ତ ଧାନର ଏମ୍‌ଏସ୍‌ପି ୨୯୩୦ କରିବାକୁ କୁହାଗଲା। ଏହା ମଧ୍ୟରେ ୫ ବର୍ଷ ବିତିଗଲାଣି। କିନ୍ତୁ ଓଡ଼ିଶା ବିଧାନସଭାର ଏହି ପ୍ରସ୍ତାବଟି କେବଳ ପ୍ରସ୍ତାବରେ ରହିଯାଛି। କେନ୍ଦ୍ର ସରକାର ଏହାକୁ ଆଦୌ ବିଚାରକୁ ହିଁ ନେଇ ନାହାନ୍ତି। ଏପରିକି ବିଧାନସଭା ଗୃହ କମିଟି ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗିଥିଲେ। ବାଚସ୍ପତି ନିଜେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକାଧିକ ପତ୍ର ଲେଖିଛନ୍ତି। କିନ୍ତୁ ପାଞ୍ଚ ବର୍ଷ ହେଲା ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେବା ଦୂରର କଥା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧାନସଭାକୁ କୌଣସି ଉତ୍ତର ଦିଆଯାଇ ନାହିଁ। ବିଧାୟକମାନେ ମଧ୍ୟ ପ୍ରସ୍ତାବ ପାରିତ କରି ଭୁଲିଯାଇଛନ୍ତି। ସେହି ପ୍ରସ୍ତାବଟି କେବଳ ଚାଷୀଙ୍କୁ ଭଣ୍ଡାଇବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ଆଉ ବୁଝିବାକୁ ବାକି ନାହିଁ।

ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସମୟ ଦେଲେନି
ଚାଷୀଙ୍କ କଥା ଭୁଲିଗଲେଣି ବିଧାୟକ

Advertisment

publive-image

ଆଜି ଧାନର ଏମ୍‌ଏସ୍‌ପିକୁ କେନ୍ଦ୍ର ସରକାର ୧୦୦ ଟଙ୍କା ବୃଦ୍ଧି କରି ୨୦୪୦ କରିଛନ୍ତି। ଓଡ଼ିଶା ବିଧାନସଭାର ପ୍ରସ୍ତାବକୁ ଯଦି ବିଶ୍ବାସକୁ ନିଆଯାଏ, ତେବେ ଚାଷୀ କ୍ବିଣ୍ଟାଲ ପିଛା ବହୁ ଟଙ୍କା କ୍ଷତି ସହୁଥିବା ନିଶ୍ଚିତ। ପାଞ୍ଚ ବର୍ଷ ତଳେ ବିଜ୍ଞ ବିଧାୟକମାନଙ୍କ ହିସାବ ଥିଲା ଯେ ଧାନ ଉତ୍ପାଦନ ଖର୍ଚ୍ଚ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା। ଏହି ପାଞ୍ଚ ବର୍ଷ ମଧ୍ୟରେ ଆନୁଷଙ୍ଗିକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ତେଣୁ ଉତ୍ପାଦନ ଖର୍ଚ୍ଚ ଆହୁରି ବହୁ ଗୁଣ ବଢ଼ିଯାଇଛି। ତେଣୁ ଚାଷୀ ଯେ ଭୀଷଣ କ୍ଷତି ସହୁଛି, ତାହା ସ୍ପଷ୍ଟ ହେଉଛି।
ଚାଷୀଙ୍କୁ ନେଇ ସବୁ ଦଳ ରାଜନୀତି କରୁଥିଲା ବେଳେ ସେମାନଙ୍କ ଆର୍ଥିକ ସ୍ଥିତି କିପରି ସୁଦୃଢ଼ ‌ହେବ, ସେ ଦିଗରେ କେହି ଚିନ୍ତା କରୁ ନାହାନ୍ତି। ପାଞ୍ଚ ବର୍ଷ ତଳେ ପ୍ରସ୍ତାବ ପାରିତ କରି ବିଧାନସଭା ରେକର୍ଡରେ ତାହା ସ୍ଥାନିତ କରି ବିଧାୟକମାନେ ଦାୟିତ୍ବ ସାରି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଉପରେ ଏ ନେଇ ଠୋସ୍ ଚାପ ସୃଷ୍ଟି କରାଯାଉ ନା‌ହିଁ। ପ୍ରଶ୍ନ ଉଠୁଛି, ବର୍ତ୍ତମା‌ନର ମହଙ୍ଗା ସମୟରେ ପୁନର୍ବାର ଧାନର ଉତ୍ପାଦନ ଖର୍ଚ୍ଚ ହିସାବ କରି କେନ୍ଦ୍ରକୁ ସାନି ପ୍ରସ୍ତାବ ପଠାଇ ଚାପ ସୃଷ୍ଟି କରିବାରେ ରାଜ୍ୟ ସରକାର କାହିଁକି ଉଦ୍ୟମ କରୁ ନାହାନ୍ତି? ଏଥି ପାଇଁ ବାଟ ଓଗାଳୁଛି କିଏ? ବିଧାନସଭାରେ ପ୍ରସ୍ତାବ ପାରିତ ହେଲା ବେଳେ ବିଜେପି ମଧ୍ୟ ତାହାକୁ ସମର୍ଥନ କରିଥିଲେ। ସେବେଠାରୁ ବିଜେପି ନେତୃତ୍ବା‌ଧୀନ ଏନ୍‌ଡିଏ ସରକାର କେନ୍ଦ୍ରରେ କ୍ଷମତାରେ ଥିଲେ ମଧ୍ୟ ରାଜ୍ୟ ବିଜେପି ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ନେବାକୁ ଆଗ୍ରହ ପ୍ରକାଶ କରୁ ନାହିଁ। ଏଠି ଉଭୟ ଦଳ ପରସ୍ପରକୁ ଦୋଷାରୋପ କରୁଥିଲେ ମଧ୍ୟ ଚାଷୀଙ୍କ ସ୍ବାର୍ଥ ପାଇଁ ଏକାଠି ଉଦ୍ୟମ କରିବାକୁ କେହି ଆଗକୁ ଆସୁ ନାହାନ୍ତି।