ଚାଲୁଥିବା ଟ୍ରେନ୍‌ରେ ଯାତ୍ରୀଙ୍କ ନିକଟରୁ ଆଦାୟ ହେଉଛି ଅଧିକ ଭଡ଼ା

Advertisment

କଟକ : କରୋନା ସଂକ୍ରମଣ କମିଛି, କଟକଣା ମଧ୍ୟ କୋହଳ ହୋଇଛି। ସ୍କୁଲ, କଲେଜ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ଧର୍ମାନୁଷ୍ଠାନ ଖୋଲିବା ସହିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ପୌର ନିର୍ବାଚନ ପାଇଁ ପ୍ରଚାର ଚାଲିଛି। କିନ୍ତୁ ଲୋକମାନଙ୍କ ଜୀବନରେଖା କୁହାଯାଉଥିବା ଟ୍ରେନ୍ ଚଳାଚଳ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରି ନାହିଁ। ସବୁ ଜାଗାରୁ କରୋନା ପ୍ରଭାବ ହଟିବା ପରି ଦେଖାଯାଉଛି, କିନ୍ତୁ ରେଳ ଚଳାଚଳ ଏବେ ମଧ୍ୟ ମହାମାରୀ ପ୍ରଭାବରେ ରହିଥିବା ଭଳି ମନେହେଉଛି। କଟକ ଷ୍ଟେସନ୍ ଦେଇ ଯାତାୟତ କରୁଥିବା ଅଧିକାଂଶ ଏକ୍ସପ୍ରେସ୍ ଟ୍ରେନ୍‌କୁ ସ୍ପେଶାଲ ଟ୍ରେନ୍ ଭାବେ ଚଳାଯାଉଥିବା ବେଳେ ପାସେଞ୍ଜର ଟ୍ରେନ୍ କଥା ନ କହିଲେ ଭଲ। ହଜାର ହାଜର ଲୋକ ନିର୍ଭର କରୁଥିବା ତାଳଚେର-ପୁରୀ ମେମୁ(ପାସେଞ୍ଜର ଟ୍ରେନ୍) ପ୍ରାୟ ଦୁଇ ବର୍ଷ ହେଲା ବନ୍ଦ ରହିଛି କରୋନା ସଂକ୍ରମଣ ୨୦୨୦ ମାର୍ଚ୍ଚରୁ ଏହାର ପ୍ରଭାବ ଦେଖାଇବା ସମୟରୁ ଏହି ପାସେଞ୍ଜର ଟ୍ରେନ୍ ବନ୍ଦ ରହିଛି। ଏହି ପାସେଞ୍ଜର ଟ୍ରେନରେ ମାତ୍ର ୧୦ ଟଙ୍କା ଦେଇ ଜଣେ କଟକରୁ ଭୁ‌ବନେଶ୍ବର ଯାଇ ପାରୁଥିଲେ।

ପୁରୀ ଯିବା ପାଇଁ ମଧ୍ୟ ୨୦ ଟଙ୍କା ଦେବାକୁ ପଡୁଥିଲା। ପ୍ରତିଦିନ ତାଳଚେର, ଢେଙ୍କାନାଳ ଅଞ୍ଚଳର ଲୋକ କଟକ ଆସି କାର୍ଯ୍ୟ ସାରି ଫେରି ଯାଉଥିଲେ। ସେହିପରି କଟକ ଲୋକ ଭୁବନେଶ୍ବର, ଖୋର୍ଦ୍ଧାରୋଡ୍ ଓ ପୁରୀ ଯାଇ ଆସି ପାରୁଥିଲେ। ସଂଧ୍ୟାରେ ଆସି ପୁରୀରୁ କଟକରେ ପହଞ୍ଚି ‌ହେଉଥିଲା। କିନ୍ତୁ ଅନ୍ୟ କେତେକ ପାସେଞ୍ଜର ଚାଲିବା ଆରମ୍ଭ ପରେ ମଧ୍ୟ ଏହି ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ ଏ ପର୍ଯ୍ୟନ୍ତ ପୂର୍ବ ଭଳି ଚାଲୁନାହିଁ।

publive-image DNA India

କଟକ ଭୁବନେଶ୍ବର ସହର ଦେଇ ଯା ଆସ କରୁଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ ହେଉଛି ଭଦ୍ରକ-କଟକ ମେମୁ (୦୮୪୩୭/୩୮) ବା ପାସେଞ୍ଜର। ଏହି ଟ୍ରେନ୍ ୨୦୨୦ ମାର୍ଚ୍ଚ ମାସରୁ ବାତିଲ କରାଯାଇଛି। ପାରାଦ୍ୱୀପ-କଟକ ମେମୁ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇନାହିଁ। ପାରାଦୀପ-କଟକ ମଧ୍ୟରେ ପ୍ରତିଦିନ ଚାରି ଯୋଡା ପାସେଞ୍ଜର ଟ୍ରେନ୍ କରୋନା ସଂକ୍ରମଣ ପୂର୍ବରୁ ଚାଲୁଥିବା ବେଳେ ଏବେ ମାତ୍ର ଗୋଟିଏ ‌ମେମୁ ଯାତାୟାତ କରୁଛନ୍ତି। କଟକ-ଇଚ୍ଛାପୁରମ ମେମୁ, ଖୋର୍ଦ୍ଧା ରୋଡ଼- ଖଡ଼ଗପୁର ଫାଷ୍ଟ ପାସେଞ୍ଜର, ସାନ୍ତ୍ରାଗାଛି -ପୁରୀ ପାସେଞ୍ଜର, ପୁରୀ-ବଡ଼ବିଲ ଏକ୍ସପ୍ରେସ, ଭୁବନେଶ୍ୱର-ବ୍ରହ୍ମପୁର ମେମୁ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ ଦୁଇ ବର୍ଷ ହେବ ବନ୍ଦ ରହିଛି। ପ୍ରତିଦିନ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ରହିଥିବା ଏହି ସବୁ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ ବନ୍ଦ ରହିଥିବା ବେଳେ କିଛିମାସ ତଳେ ଯାତ୍ରୀଙ୍କ ଆନ୍ଦୋଳନ ପରେ ଚାଲୁଥିବା ପାସେଞ୍ଜର ବା ମେମୁ ଗୁଡିକରେ ଅଧିକ ଭଡା ନିଆଯାଉଛି ବୋଲି ଅଭିଯୋଗ ହୋଇଛି। ଏବେ ଚାଲୁଥିବା ପାସେଞ୍ଜର ଗୁଡିକୁ ସ୍ପେଶାଲ ଟ୍ରେନ ବୋଲି କହି ରେଳ ବିଭାଗ ଏକ୍ସପ୍ରେସ୍ ଭଡା ଯାତ୍ରୀଙ୍କ ନିକଟରୁ ନେଉଛି। ଫଳରେ ଯାତ୍ରୀମାନଙ୍କୁ ପ୍ରାୟ ତିନି ଗୁଣ ଅଧିକ ଭଡା ଦେବାକୁ ପଡୁଛି। କଟକରୁ ଭୁବନେଶ୍ବର ଯିବାକୁ ମେମୁରେ ପୂର୍ବରୁ ୧୦ ଟଙ୍କା ପଡୁଥିବା ବେଳେ ଏବେ ଏକ୍ସପ୍ରେସ୍ ଭଡା ବାବଦରେ ୩୦ ଟଙ୍କା ଆଦାୟ କରାଯାଉଛି।

publive-image Rail Info

କଟକରେ ହାଇକୋର୍ଟ, ପୁଲିସ ଡିଜି କାର୍ଯ୍ୟାଳୟ, ବଡ଼ ଡାକ୍ତରଖାନା, କର୍କଟ ଚିକିତ୍ସା କେନ୍ଦ୍ର, ରେଭେନ୍ସା, ଏମଏସ, ଜାଜୀୟ ଆଇନ ବିଶ୍ବବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ରହିଥିବା ବେଳେ କଟକ ଷ୍ଟେସନକୁ ରେଳ ଚଳାଚଳ ସ୍ବାଭାବିକ କରାଯାଉ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରୀ ଅସନ୍ତୋଷ ବଢ଼ିଲାଣି କାରଣ ଅନେକ ସରକାରୀ, ବେସରକାରୀ କର୍ମଚାରୀ, ଦିନ ମଜୁରିଆ, ଛାତ୍ରଛାତ୍ରୀ ଏହି ସବୁ ଲୋକାଲ ଟ୍ରେନ ଉପରେ ନିର୍ଭରଶୀଳ ଥିଲେ ଓ ଅନେକ ସୁବିଧା ସୁଯୋଗ ପାଉଥିଲେ। ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର କଣ ସାରା ଭାରତର ମୋଟ ୧୭ଟି ରେଳ ଜୋନ ମଧ୍ୟରୁ ଅଧିକାଂଶ ଜୋନରେ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ ଚଳାଚଳ ସ୍ବାଭାବିକ ହେଲାଣି। ପୂର୍ବତଟ ରେଳବାଇ ହେଉଛି ଏମିତି ଏକ ଜୋନ ଯେଉଁଠି ମାଲ ପରିବହନରେ ରେକର୍ଡ ହେଉଛି କିନ୍ତୁ ପାସେଞ୍ଜର ଟ୍ରେନ୍ ବନ୍ଦ କରି ଯାତ୍ରୀ ପରିବହନକୁ ଅଣଦେଖା କରାଯାଉଛି ବୋଲି ନିୟମିତ ରେଳଯାତ୍ରୀ ସଂଘର ଆଶୁତୋଷ ଅଭିଯୋଗ ହୋଇଛି। ପୂର୍ବଭଳି ସମସ୍ତ ଲୋକାଲ ଟ୍ରେନ ଚାଲୁ, ଲୋକାଲ ଟ୍ରେନ ପାଇଁ ଏକ୍ସପ୍ରେସ ଭଡ଼ା ପରିବର୍ତ୍ତେ ସାଧାରଣ ଟିକେଟ ପାଇଁ ଅନୁମତି ମିଳୁ ବୋଲି ନିୟମିତ ରେଳଯାତ୍ରୀଙ୍କ ତରଫରୁ ଦାବି ହୋଇଛି। ସେହି ଟ୍ରେନ୍, ସେହି ବଗି ସେହି ସମୟ ସବୁ ସମାନ ରହୁଥିବା ପାସେଞ୍ଜର ଟ୍ରେନକୁ ସ୍ପେଶାଲ କହି ଏକ୍ସପ୍ରେସ୍ ଭଡା ଆଦାୟ କରାଯିବା କେଉଁ ନିୟମରେ ଅଛି ବୋଲି ଯାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି।