କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବାଲିଯୋଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଜିଲ୍ଲାରେ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଘନଘନ ବୈଠକ ସାଙ୍ଗକୁ ବ୍ୟାପକ ବିଚାର ବିମର୍ଶ ଚାଲିଲା। ଟ୍ରକ୍ ପାର୍କିଂ ପାଇଁ ଜିଲ୍ଲାର ୫ଟି ସ୍ଥାନରେ ଟର୍ମିନାଲ ନିର୍ମାଣ କରାଯିବ ବୋଲି ସ୍ଥିର ହେଲା। ଏବେ ଟ୍ରକ୍ ଟର୍ମିନାଲ ପ୍ରସଙ୍ଗରେ ଆଉ ଆଲୋଚନା ହେଉନି କି ଏ ଦିଗରେ କାମ ମଧ୍ୟ ହେଉନାହିଁ। ପ୍ରସ୍ତାବରେ ସୀମିତ ରହିଛି ଟ୍ରକ୍ ଟର୍ମିନାଲ।
କେନ୍ଦୁଝର ଜିଲ୍ଲାରେ ଟ୍ରକ୍ ଟର୍ମିନାଲ ନ ଥିବାରୁ ଜାତୀୟ ରାଜପଥରେ ବେଆଇନ ଭାବେ ଟ୍ରକ୍ ପାର୍କିଂ ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଗତବର୍ଷ ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ରାଜପଥ କଡ଼ରେ ଠିଆ ହୋଇଥିବା ଟ୍ରକ୍ ପଛରେ ଏକ ଯାତ୍ରୀବାହୀ ଗାଡ଼ି ଧକ୍କା ହେବାରୁ ୮ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ୧୨ଜଣ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା। ଜିଲ୍ଲା ପ୍ରଶାସନ, ପରିବହନ ବିଭାଗ ଏବଂ ଏନ୍ଏଚ୍ଏଆଇର ମିଳିତ ଆଲୋଚନା ପରେ ଡିଏମ୍ଏଫ୍ ଅନୁଦାନରେ ୫ଟି ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା।
ଜମି ଚିହ୍ନଟ ପରେ ଅଟକିଛି କାମ
ତ୍ରୁଟି ଯୋଗୁ ଟେଣ୍ଡର୍ ବାତିଲ
ବଢ଼ୁଛି ବେଆଇନ ପାର୍କିଂ
ଏଥିପାଇଁ ବାଂଶପାଣିଠାରେ ୫ ଏକର, ଝୁମ୍ପୁରା ଥାନା ପାଟବିଲା ନିକଟ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ୫ ଏକର ୪୭ ଡିସିମିଲ, କେନ୍ଦୁଝର ସହର ନିକଟ ନିଜଗଡ଼ଠାରେ ୧୫ ଏକର ୧୬ ଡିସିମିଲ, ଘଟଗାଁ ଥାନା ସାନବରବେଡ଼ା ନିକଟ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ୬ ଏକର ଏବଂ ଘସିପୁରା ବ୍ଲକ୍ ସୁଁଆପଦାଠାରେ ୧୨ ଏକର ୫୦ ଡିସିମିଲ ଜମିରେ ଟ୍ରକ୍ ଟର୍ମିନାଲ ପ୍ରତିଷ୍ଠା ହେବ ବୋଲି ସ୍ଥିର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସୁଆଁପଦାକୁ ଛାଡ଼ି ଅନ୍ୟ ୪ଟି ସ୍ଥାନରେ ଟ୍ରକ୍ ଟର୍ମିନାଲ ନିର୍ମାଣ ଲାଗି ଟେଣ୍ଡର କରାଯାଇଥିଲା। କିନ୍ତୁ ଟେଣ୍ଡରରେ ତ୍ରୁଟି ଥିବାରୁ ତାହାକୁ ବାତିଲ କରାଯାଇଥିଲ। ଏହାପରେ ଆଉ ଟେଣ୍ଡର ହେଉନି କି କାମ ଆଗେଇପାରୁ ନାହିଁ।
ଡିପିଆର୍ ଅନୁସାରେ, ବାଂଶପାଣି ଟ୍ରକ୍ ଟର୍ମିନାଲରେ ଏକକାଳୀନ ୧୦୫ଟି, ପାଟବିଲାରେ ୧୦୪ଟି, ନିଜଗଡ଼ରେ ୨୩୧ଟି, ସାନବରବେଡ଼ାରେ ୧୩୧ଟି ଟ୍ରକ୍ ରହିପାରିବ। ଟ୍ରକ୍ ଟର୍ମିନାଲଗୁଡ଼ିକ ନିର୍ମାଣ ହେଲେ ଜାତୀୟ ରାଜପଥରେ ଦୁର୍ଘଟଣା ହ୍ରାସ ପାଇବ। ସଡ଼କ ସୁରକ୍ଷା କମିଟିର ସୁପାରିସ ଅନୁସାରେ, ଟର୍ମିନାଲ ଗୁଡ଼ିକରେ ଚାଳକ ଓ ହେଲପର୍ଙ୍କୁ ମୌଳିକ ସୁବିଧା ତଥା ଶୌଚାଳୟ, ଡର୍ମିଟୋରି, ଫୁଡ୍ ପ୍ଲାଜା, ପାନୀୟଜଳ, ମରାମତି ପାଇଁ ଗ୍ୟାରେଜ ଆଦି ନିର୍ମାଣ କରାଯିବ। ଟ୍ରକ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ରାସ୍ତା ରହିବ। ହେଲେ ଏଯାଏ ଟ୍ରକ୍ ଟର୍ମିନାଲ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ। ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସଙ୍କୁ ପଚାରିବାରୁ, ଟ୍ରକ୍ ଟର୍ମିନାଲ ପାଇଁ ଟେଣ୍ଡର ହୋଇଥିଲା। ତାହା ବାତିଲ ହୋଇଯାଇଛି। ଆଉଥରେ ଓବିସିସି ଟେଣ୍ଡର କରି କାମ ଆରମ୍ଭ କରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/10/jDhJmmO4sIfuO6cXTrAS.jpg)