ଗୋପବନ୍ଧୁ ଓ ମଧୁବାବୁଙ୍କୁ ଭୁଲିଯିବା ନେଇ ବିଧାନସଭାରେ କ୍ଷୋଭ

ଭୁବନେଶ୍ୱର: ମହାତ୍ମାଗାନ୍ଧିଙ୍କ ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ଉତ୍କଳ ଗୌରବ ମଧୁସୂଦନ ଦାସ। ଆଧୁନିକ ଓଡ଼ିଶାର ଏଇ ଦୁଇଜଣ ବିନ୍ଧାଣୀଙ୍କୁ ରାଜ୍ୟ ସରକାର ଭୁଲି ଯାଉଥିବା ନେଇ ବିଧାନସଭାରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୋପବନ୍ଧୁଙ୍କୁ ସମ୍ମାନ ଜଣାଇ ଫନି ବିଧ୍ୱସ୍ତ ବକୁଳବନର ପୁନରୁଦ୍ଧାର ଏବଂ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସାଙ୍ଗକୁ ଉତ୍କଳ ଗୌରବ ମଧୁସୂଦନଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ସୁପାରିଶ କରିବା ପାଇଁ କଂଗ୍ରେସ ନେତା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଏହି ପ୍ରସଙ୍ଗ ଉତ୍‌ଥାପନ କରି ‘ସମ୍ବାଦ’ରେ ପ୍ରକାଶିତ ‘ଗୋପବନ୍ଧୁଙ୍କ ପାଇଁ ଦରଦ ଏମିତି; ବରବାଦ ହେଉଛି ବକୁଳ ବନ’ ଖବରକୁ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତି ସହିତ ଜଡ଼ିତ ଐତିହାସିକ ବକୁଳ ବନ ବାତ୍ୟା ‘ଫନି’ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହାକୁ ପୁନରୁଦ୍ଧାର କରାଯିବା ଦୂରେ ଥାଉ, କୌଣସି ସରକାରୀ କର୍ମଚାରୀ ତାହାକୁ ଦେଖିବା ପାଇଁ ମଧ୍ୟ ଯାଇ ନାହାନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀ ବକୁଳବନଠାରେ ପ୍ରସ୍ତାବିତ ଓଡ଼ିଶା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ ମଧ୍ୟ ୯ମାସ ବିତି ଯାଇଥିଲେ ମଧ୍ୟ ଏହା ପ୍ରତିଷ୍ଠା ପାଇଁ କିଛି ପଦକ୍ଷେପ ନିଆଯାଇନାହିଁ। ଏହି ପରିପ୍ରେକ୍ଷୀରେ ବକୁଳବନର ପୁନରୁଦ୍ଧାର ଏବଂ ସେଠାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ତ୍ୱରାନ୍ଵିତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ନେବାକୁ ଶ୍ରୀ ମିଶ୍ର ବାଚସ୍ପତିଙ୍କୁ ନିବେଦନ କରିଥିଲେ।

ସେହିପରି ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ସମସ୍ତେ ଭୁଲି ଗଲେଣି। ତାଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ସେ ତାର ଉତ୍ତର ପାଇଲେ ନାହିଁ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହିତ କହିବା ସଙ୍ଗେସଙ୍ଗେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ନେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର