ବ୍ରହ୍ମପୁର : ଅନାଥ ତଥା ପୋଷ୍ୟ ଗରିବ ପିଲାଙ୍କୁ ମାଗଣାରେ ଉଚ୍ଚଶିକ୍ଷା ପ୍ରଦାନ ଉଦ୍ଦେଶ୍ୟ ନେଇ ଗତ ୨୦୧୫ରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ‘ଗ୍ରିନ ପ୍ୟାସେଜ୍‌ ଯୋଜନା’ ଆରମ୍ଭ କରିଥିଲେ। ବିଶେଷ କରି ସେମାନେ କିପରି ଉଚିତ ଶିକ୍ଷାଦାନ ପାଇ ନିଜର ଅଧିକାର ସାବ୍ୟସ୍ତ କରି ପାରିବେ ସେ ଦିଗକୁ ଗୁରୁତ୍ବ ଦିଆଯାଇଛି। ଏହି ଯୋଜନାରେ ଅନୁସାରେ ମା’ ବା ବାପା ନଥିବା କିମ୍ବା ଉଭୟ ମା’-ବାପା ନଥିବା ପିଲାଙ୍କୁ ମାଗଣାରେ ଉଚ୍ଚଶିକ୍ଷା ପ୍ରଦାନ କରାଯିବ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଏହି ଯୋଜନା ଗତ ୨୦୧୬-୧୭ରୁ କାର୍ଯ୍ୟକାରୀ କରାଯାଇଛି। ହେଲେ ଗଞ୍ଜାମ ଜିଲ୍ଲାରେ ପ୍ରାୟତଃ କେହି ଏହି ଯୋଜନା ବିଷୟରେ ଆଦୌ ଅବଗତ ନଥିଲେ। ଏହାଛଡ଼ା ପ୍ରଶାସନିକ ସ୍ତରରେ ମଧ୍ୟ ଆନ୍ତରିକତା ଅଭାବ ଓ ପ୍ରଚାରପ୍ରସାର ଅଭାବରୁ ୬ବର୍ଷ ହେଲା ଯୋଜନାର କାର୍ଯ୍ୟକାରିତା ନେଇ କୌଣସି ସ୍ତରରେ ପ୍ରୟାସ ହିଁ ହୋଇ ନଥିଲା। ହେଲେ ୬ବର୍ଷ ପରେ ଏହି ଯୋଜନାରେ ଏବେ ୧୭ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି।

Advertisment

୨୦୧୬-୧୭ରୁ ହେଲାଣି କାର୍ଯ୍ୟକାରୀ
୬ ବର୍ଷ ପରେ ୧୭ ହିତାଧିକାରୀ ସାମିଲ
ଅନାଥ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ହୋଇଥିଲା ଯୋଜନା

ଯୋଜନାର ଗାଇଡ଼ଲାଇନ୍‌ ଆଧାରରେ ୨୦୧୬-୧୭ ଶିକ୍ଷାବର୍ଷରୁ ଅନାଥ ପିଲାଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଗଞ୍ଜାମ ଜିଲ୍ଲାରେ ୨୦୨୨-୨୩ ଶିକ୍ଷା ବର୍ଷରେ ମାତ୍ର ୧୭ଜଣ ଅନାଥ ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ସାମିଲ ହୋଇଥିବା ପିଲାଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ନା‌ମଲେଖା ଫି, ଟ୍ୟୁସନ୍‌ ଫି, ପରୀକ୍ଷା ଫି, ହଷ୍ଟେଲ୍‌ ଫି, କଲେଜ ଉନ୍ନୟନ ପାଣ୍ଠି, ଲାଇବ୍ରେରି ଫି ପ୍ରଭୃତି ଛାଡ଼ କରାଯିବ ବୋଲି ନିୟମ କରାଯାଇଛି। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ କହନ୍ତି, ଗତ ୨୦୨୧-୨୨ ପର୍ଯ୍ୟନ୍ତ ଜିଲ୍ଲାରୁ ଜଣେ ବି ପିଲା ଚିହ୍ନଟ ହୋଇ ନଥିଲେ। କରୋନା ମହାମାରୀ ପରେ ମାତାପିତାଙ୍କୁ ହରାଇଥିବା ୧୭ଜଣ ପିଲାଙ୍କୁ ୨୦୨୨-୨୩ରେ ଏହି ଯୋଜନାରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି।