ଭୁବନେଶ୍ୱର : ଶୁକ୍ରବାର ରାଜଧାନୀର ୟୁନିଟ୍-୪ସ୍ଥିତ ମାଛ ମାର୍କେଟ୍ର ପମଫ୍ରେଟ୍ ମାଛରୁ ବିଷାକ୍ତ ଫର୍ମାଲିନ୍ ମିଣିବା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଆଗାମୀ ଦିନଗୁଡ଼ିକରେ ଉପକୂଳ ଜିଲ୍ଲାଗୁଡ଼ିକରେ ଥିବା ମାଛ ବଜାରରୁ ନମୁନା ସଂଗ୍ରହ କରାଯିବା ସହିତ ଏହାକୁ ପରୀକ୍ଷା କରାଯିବ।
କେବଳ ରାଜଧାନୀ ନା ରାଜ୍ୟର ଅନ୍ୟ ସହରରେ ବିକ୍ରି ହେଉଥିବା ପମଫ୍ରେଟ୍ ମାଛରେ ଫର୍ମାଲିନ୍ ମିଶିଛି ତାହା ଜାଣିବା ନମୁନା ସଂଗ୍ରହ କରାଯିବ। ପମଫ୍ରେଟ୍ ଏକ ସାମୁଦ୍ରିକ ମାଛ ହୋଇଥିବାରୁ ଉପକୂଳ ଓଡ଼ିଶାର ମାଛ ବଜାରକୁ ଏଥିପାଇଁ ଟାର୍ଗେଟ୍ କରାଯାଇଛି। ଆସନ୍ତାକାଲିଠାରୁ ବାଲେଶ୍ୱର, ବ୍ରହ୍ମପୁର, କଟକ ଓ ରାଜଧାନୀରେ ବିକ୍ରି ହେଉଥିବା ମାଛର ନମୁନା ସଂଗ୍ରହ କରାଯାଇ ତାହାକୁ ପରୀକ୍ଷା ପାଇଁ ପଠାଯିବ।
ମତ୍ସ୍ୟ ଓ ପଶୁସଂପଦ ବିଭାଗ ପକ୍ଷରୁ ଫର୍ମାଲିନ୍ର ଉପସ୍ଥିତି ଜାଣିବା ପାଇଁ ପଶ୍ଚିମବଙ୍ଗସ୍ଥିତ ବାରାକପୋରରେ ଥିବା କେନ୍ଦ୍ରୀୟ ଅନ୍ତଃରାଜ୍ୟ ମତ୍ସ୍ୟ ପ୍ରତିଷ୍ଠାନ ବା ସିଆଇଏଫଆରଆଇ ପକ୍ଷରୁ ପ୍ରସ୍ତୁତ ଏକ କିଟ୍ ବ୍ୟବହାର କରାଯାଉଛି। ଏହି କିଟ୍ ଜରିଆରେ ମାଛରେ ଫର୍ମାଲିନ୍ ମିଶିଛି କି ନାହିଁ ତାହା ଚିହ୍ନଟ କରାଯାଇପାରିବ। ମାତ୍ର କେତେ ମାତ୍ରାରେ ଫର୍ମାଲିନ୍ ରହିଛି ତାହା ଏଥିରେ ଜଣାପଡ଼ିବ ନାହିଁ। ତେଣୁ ପରଫ୍ରେଟ୍ ମାଛରେ କେତେ ମାତ୍ରରେ ଫର୍ମାଲିନ୍ ରହିଛି ତାହା ଜାଣିବା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ପକ୍ଷରୁ ଖାଦ୍ୟ ସୁରକ୍ଷା କମିସନର୍ଙ୍କ ସହିତ ଯୋଗାଯୋଗ କରାଯାଇଛି। ଗତକାଲି ଖାଦ୍ୟ ସୁରକ୍ଷାର ଅଧିକାରୀମାନେ ୟୁନିଟ୍-୪ସ୍ଥିତ ମାଛ ମାର୍କେଟ୍ରୁ ୧୦ଟି ନମୁନା ସଂଗ୍ରହ କରିଛନ୍ତି। ସେସବୁ ପରୀକ୍ଷା କରାଯିବା ପରେ ଏଥିରେ କେତେ ପାରିମାଣର ଫର୍ମାଲିନ୍ ରହିଛି ତାହା ସ୍ପଷ୍ଟ ହୋଇପାରିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାଛକୁ ତାଜା ରଖିବା ପାଇଁ ବରଫ ବ୍ୟବହାର କରାଯାଇପାରିବ। ମାତ୍ର ଫର୍ମାଲିନ୍ ଭଳି ବିଷାକ୍ତ ରସାୟନ ବ୍ୟବହାର ଶରୀରରେ କ୍ଷତି ପହଞ୍ଚାଇଥାଏ। କେତେ ଫର୍ମାଲିନ୍ ମିଶିଛି ତାହା ଜାଣିବା ପାଇଁ ସେଭଳି କୌଣସି କିଟ୍ ନ ଥିବାରୁ ସଂଗୃହୀତ ନମୁନାଗୁଡ଼ିକୁ ପରୀକ୍ଷାଗାରକୁ ପଠାଯିବ। ଏହା ଏକ ଜଟିଳ ପ୍ରକ୍ରିୟା। ରିପୋର୍ଟ ଆସିବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇପାରିବ। ତେଣୁ ଏଥିପାଇଁ ଯଥେଷ୍ଟ ସମୟର ଆବଶ୍ୟକତା ରହିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।
ଉଲ୍ଲେଖ ଯେ, ଆନ୍ଧ୍ର ମାଛରେ ଫର୍ମାଲିନ୍ ମିଶୁଥିବାକୁ ନେଇ ଆସାମ ସରକାର ଆନ୍ଧ୍ର ମାଛକୁ ବ୍ୟାନ୍ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଧ୍ର ମାଛର ଯାଞ୍ଚ କରାଯାଇଥିଲା। ରାଜ୍ୟ ସରକାର ଓଡ଼ିଶାକୁ ଆସୁଥିବା ଆନ୍ଧ୍ର ମାଛକୁ ନେଇ ତତ୍ପରତା ଦେଖାଇଥିଲେ। ଗତକାଲି ମତ୍ସ୍ୟ ଓ ପଶୁସଂପଦ ବିଭାଗର ୧୩ଜଣିଆ ଟିମ୍ ୟୁନିଟ-୪ସ୍ଥିତ ମାଛ ମାର୍କେଟ୍ରୁ ୯ପ୍ରକାରର ମାଛର ନମୁନା ପରୀକ୍ଷା କରିଥିଲେ। ଏଥିରେ ପମଫ୍ରେଟ୍ ମାଛରେ ଫର୍ମାଲିନ୍ ମିଶିଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା। ଯଦିଓ ଏହି ମାଛ କେଉଁଠାରୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ ତଥାପି ମାଛରେ ଫର୍ମାଲିନ୍ ମିଶିବାକୁ ନେଇ ଲୋକମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଲୋକମାନେ ଆନ୍ଧ୍ର ମାଛ ଏକପ୍ରକାର କିଣିବା ବନ୍ଦ କରି ଦେଇଛନ୍ତି।