କଟକ/କୋରାପୁଟ/ବ୍ରହ୍ମପୁର/ କେନ୍ଦୁଝର : ଫର୍ମାଲିନ୍ ଭୟ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ମାଛ ବିକ୍ରି ହ୍ରାସ ପାଇଛି। କେବଳ ବିକ୍ରି ନୁହେଁ, ଗ୍ରାହକମାନେ ମଧ୍ୟ ମୁହଁ ମୋଡ଼ିବା ଆରମ୍ଭ କରିଛନ୍ତି। ଆହୁରି ମଧ୍ୟ ମାଛ ଉତ୍ପାଦନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।
ରାଜ୍ୟର କେତେକ ସ୍ଥାନରୁ ହସ୍ତଗତ ଖବର ଅନୂଯାୟୀ, ବ୍ରହ୍ମପୁରରେ ପ୍ରାୟ ୫୦% ମାଛ ବିକ୍ରି କମିଛି। ଆମିଷ ବାରକୁ ଦେଖି ବ୍ରହ୍ମପୁର ସହରକୁ ଆନ୍ଧ୍ରରୁ ନିୟମିତ ୩-୪ ଟ୍ରକ୍ ଲେଖାଏଁ ମାଛ ଆମଦାନୀ ହେଉଥିଲା। ପ୍ରତି ଟ୍ରକ୍ରେ ୫ଟନ୍ ଲେଖାଏଁ ୧୫ରୁ ୨୦ଟନ୍ ମାଛ ଆସୁଥିଲା। କିନ୍ତୁ ଆନ୍ଧ୍ର ମାଛରେ କ୍ଷତିକାର ‘ଫର୍ମାଲିନ୍’ ଥିବାରୁ ଆସାମରେ ଏହା ଉପରେ ନିଷେଧାଦେଶ ଜାରି କରାଯାଇଥିବା ନେଇ ଖବର ପ୍ରସାରିତ ହେବା ପରେ ଆମଦାନୀ କମିବାରେ ଲାଗିଥିଲା।
କୋରାପୁଟ ଜିଲ୍ଲାରେ ମାଛ ବ୍ୟବସାୟ ପ୍ରାୟ ୭୫ ପ୍ରତିଶତ କମି ଯାଇଛି। ଆକଳନ ଅନୁସାରେ କୋରାପୁଟରେ ପୂର୍ବରୁ ସପ୍ତାହକୁ ୨୦ଟନ ମାଛ ବିକ୍ରି ହେଉଥିଲା ବେଳେ ଏବେ ୫ଟନରୁ ବି କମ ମାଛ ବିକ୍ରି ହେଉଛି।
କେନ୍ଦୁଝର ସହରରେ ପୂର୍ବରୁ ମୋଟ ୪୦ କୁଇଣ୍ଟାଲ ମାଛ ବିକ୍ରି ହେଉଥିବାବେଳେ ଏବେ ୫ରୁ ୭ କୁଇଣ୍ଟାଲ ମାଛ ବିକ୍ରି ହେଉଥିବର ହସ୍ତଗତ ତଥ୍ୟରୁ ଜଣାପଡ଼ିଛି।
କଟକ ସହରକୁ ପୂର୍ବରୁ ସପ୍ତାହକୁ ତିନି ଦିନ, ଦିନକୁ ହାରାହାରି ୧୨ ଟ୍ରକ୍ ମାଛ ଆମଦାନୀ ହେଉଥିବା ବେଳେ ଏବେ ଆମଦାନୀ ପରିମାଣ ୫ ଟ୍ରକ୍କୁ ଖସି ଆସିଛି। ନଈରେ ପାଣି ଆସିଥିବାରୁ ନରାଜ, ମୁଣ୍ଡଳୀ ଓ ଯୋବ୍ରା ଆନିକଟ ମାଛ ଏବେ କଟକ ସହରବାସୀଙ୍କୁ ଚାହିଦା ମେଣ୍ଟାଉଛି। ଏଭଳି ସ୍ଥିତିରେ କିନ୍ତୁ ମହାନଦୀ ମାଛର ଦର କିଲୋ ପିଛା ଶହେ ଟଙ୍କା ଅଧିକରେ ବିକ୍ରି ହେଉଛି।
ମାଛ ବ୍ୟବସାୟୀଙ୍କ କହିବା ଅନୁଯାୟୀ ଗଲା ପ୍ରାୟ ସାତ ଦିନ ଭିତରେ କଟକରେ ମାଛ ବ୍ୟବସାୟ ୬୦ ପ୍ରତିଶତ ହ୍ରାସ ପାଇଛି। ଆନ୍ଧ୍ରରୁ ଆସୁଥିବା ରୋହୀ, ଭାକୁର ମାଛକୁ ତ ଲୋକ ନେଉ ନାହାନ୍ତି, ଏବେ ଭୟରେ ଚିଙ୍ଗୁଡ଼ି ବି ଲୋକ ଖାଉ ନାହାନ୍ତି। ଫ୍ରାମ୍ପଲେଟ୍ ଓ ଇଲିସ ମାଛ କଟକ ବଜାରରେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। କଟକ ଖାନନଗର ମାଛ ମଣ୍ଡିର ଲକି ଫିସ୍ ଏଜେନ୍ସି ମାଲିକ ଈଶ୍ୱର ଚନ୍ଦ୍ର ତରାଇ କହିବା ଅନୁଯାୟୀ ମଣ୍ଡିକୁ ସପ୍ତାହର ମଙ୍ଗଳ, ଗୁରୁ ଓ ଶନିବାର ରାତିରେ ହାରାହାରି ଭାବେ ବିଭିନ୍ନ ସ୍ଥାନରୁ ୧୨ ଟ୍ରକ୍ ଅର୍ଥାତ ୭ ଟନ୍ ମାଛ ଆସେ। କିନ୍ତୁ ସପ୍ତାହେ ହେଲା ଏହା ୪/୫ ଟ୍ରକ୍କୁ ଅର୍ଥାତ ୨ ଟନ୍କୁ ହ୍ରାସ ପାଇଛି। ଚାଉଳିଆଗଂଜର ମାଛ ବ୍ୟବସାୟୀ ନାରାୟଣ ମଲ୍ଲିକ କହିବା ଅନୁଯାୟୀ ଏବେ ନଈରେ ପାଣି ଥିବାରୁ ଯୋବ୍ରା, ନରାଜ ଓ ମୁଣ୍ଡଳୀରେ ଭଲ ମାଛ ପଡ଼ୁଛନ୍ତି। କିନ୍ତୁ ସେହି ମାଛ କିଲୋ ହାରାହାରି ଭାବେ ଶହେ ଟଙ୍କା ଅଧିକରେ ବିକ୍ରି ହେଉଛି। ମହାନଦୀରୁ ପଡ଼ୁଥିବା ରୋହୀ, ଭାକୁର, ମିରକାଳୀ ଗୋଟା କିଲୋ ପିଛା ୩ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେହି ମାଛ କଟା କିଲୋ ୩୫୦ ଟଙ୍କାରେ ବିକ୍ରି ହେଉଛି। କଳାବଇଁଶୀ ପାଖାପାଖି ୨୫୦ ଟଙ୍କା ଏବଂ ପୋହଳା ୨ଶହରୁ ୨୪୦ ଟଙ୍କା କିଲୋରେ ବିକ୍ରି ହେଉଛି। ଚିଙ୍ଗୁଡ଼ି ବି ଲୋକ ନେଉ ନଥିବାରୁ ଏବେ କିଲୋ ପ୍ରାୟ ଶହେ ଟଙ୍କା କମ୍ରେ ବିକ୍ରି ହେଉଛି।