ଭୁବନେଶ୍ୱର : ଯାଞ୍ଚ କିଟ୍ରେ ଫର୍ମାଲିନ୍ ପଜିଟିଭ୍, ମାତ୍ର ପରୀକ୍ଷାଗାରରେ ନେଗେଟିଭ୍। ଲୋକମାନଙ୍କୁ ମାଛ କିଣିବା ନେଇ ଏମିତି ଦ୍ୱନ୍ଦ୍ୱରେ ପକାଇଛନ୍ତି ସରକାର। ଗତ ଶୁକ୍ରବାରଠାରୁ ରାଜ୍ୟରେ ଏଭଳି ଛକାପଞ୍ଝା ଲାଗି ରହିଛି। ଏପରିସ୍ଥଳେ ମାଛ ନମୁନା ଯାଞ୍ଚ ପାଇଁ ବ୍ୟବହାର କରାଯାଉଥିବା କିଟ୍ରେ ବିଶ୍ୱସନୀୟତାକୁ ପ୍ରଶ୍ନ ଉଠିଲାଣି। କିଟ୍ର ପ୍ୟାଟେଣ୍ଟ ମଧ୍ୟ ହୋଇନାହିଁ। ବିଭାଗୀୟ ଅଧିକାରୀ ମଧ୍ୟ ଯାଞ୍ଚ କିଟ୍ ଉପରେ ଭରସା ଦେଖାଉ ନାହାନ୍ତି। ପରୀକ୍ଷାଗାରରେ ଫର୍ମାଲିନ୍ ନେଇ ନେଗେଟିଭ୍ ରିପୋର୍ଟ ଆସିବା ପରେ କାହିଁକି ଏଭଳି କିଟ୍ ବ୍ୟବହାର କରାଯାଉଛି ତାହା ମଧ୍ୟ ଅନେକଙ୍କୁ ସନ୍ଦେହରେ ପକାଇଛି।
ଗତ ଶୁକ୍ରବାର ଭୁବନେଶ୍ୱରସ୍ଥିତ ୟୁନିଟ୍-୪ ମାଛ ମାର୍କେଟ୍ରୁ ପମଫ୍ରେଟ୍ ମାଛରୁ ଯାଞ୍ଚ ସମୟରେ ଫର୍ମାଲିନ୍ର ଉପସ୍ଥିତି ଜଣାପଡ଼ିଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ମତ୍ସ ଓ ପଶୁସଂପଦ ବିଭାଗ ଓ ଖାଦ୍ୟ ସୁରକ୍ଷା ମିଳିତ ଭାବେ ମାଛ ନମୁନା ଯାଞ୍ଚ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହାପରେ ରାଜ୍ୟବ୍ୟାପୀ ମାଛ ନମୁନା ସଂଗ୍ରହ ଜାରି ରହିଛି। ତେବେ ପମଫ୍ରେଟ୍ ମାଛରେ ଫର୍ମାଲିନ୍ ମିଳିବା ଘଟଣାର ୫ଦିନ ପରେ ଗତକାଲି ମତ୍ସ ଓ ପଶୁସଂପଦ ବିକାଶ ବିଭାଗର ନିର୍ଦେଶକ ମଧୁର ମାଛ ଖାଇବାରେ କୌଣସି ଅସୁବିଧା ନାହିଁ ବୋଲି କହିଲେ। ତାଙ୍କ ମନ୍ତବ୍ୟକୁ ୨୪ଘଣ୍ଟା ପୂରିନି, ଆଜି ପୁଣିଥରେ ସମ୍ବଲପୁରରୁ ୨ଟି ମାଛ ନମୁନାରୁ ଫର୍ମାଲିନ୍ ମିଳିଲାଣି। ଏପରିସ୍ଥଳେ ଲୋକମାନେ ଗତକାଲି ବିଭାଗୀୟ ନିର୍ଦେଶକ ଦେଇଥିବା ମନ୍ତବ୍ୟ କି ଆଜିର ରିପୋର୍ଟକୁ ଗୁରୁତ୍ୱ ଦେବେ ତାହାକୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ମତ୍ସ ଓ ପଶୁସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମାଛରେ ଫର୍ମାଲିନ୍ର ଉପସ୍ଥିତି ନେଇ ଦୁଇ ପ୍ରକାର କିଟ୍ ପ୍ରକାର ବ୍ୟବହାର କରାଯାଉଛି। ଗୋଟିଏ କିଟ୍ ପଶ୍ଚିମବଙ୍ଗସ୍ଥିତ ବାରାକପୋରରେ ଥିବା କେନ୍ଦ୍ରୀୟ ଅନ୍ତଃରାଜ୍ୟ ମତ୍ସ୍ୟ ପ୍ରତିଷ୍ଠାନ ବା ସିଆଇଏଫଆରଆଇରୁ ଆସୁଛି। ଅନ୍ୟଟି କୋଚିନ୍ସ୍ଥିତ କେନ୍ଦ୍ରୀୟ ମତ୍ସ୍ୟ ପ୍ରଦୌଗିକ ପ୍ରତିଷ୍ଠାନରୁ ଅଣାଯାଉଛି। ରାଜଧାନୀର ୟୁନିଟ୍-୪ ମାର୍କେଟ୍ରେ ବାରାକପୋରସ୍ଥିତ କିଟ୍ ବ୍ୟବହାର କରାଯାଇଥିବା ବେଳେ ଆଜି ସମ୍ବଲପୁରରେ କୋଚିନ୍ରୁ ଆସିଥିବା କିଟ୍ ବ୍ୟବହୃତ ହୋଇଛି। କିଟ୍ ମଧ୍ୟ ସବୁ ସମୟରେ ମିଳୁନାହିଁ କି ଏହାର ପ୍ୟାଟେଣ୍ଟ ହୋଇନି। କିଟ୍ ଏବେ ମଧ୍ୟ ପରୀକ୍ଷାମୂଳକ ସ୍ଥିତିରେ ରହିଛି। ତେଣୁଏହା ଉପରେ ସଂପୂର୍ଣ୍ଣ ଭରସା କରି ହେବ ନାହିଁ। ଆନ୍ଧ୍ରରୁ ଆସୁଥିବା ମଧୁର ମାଛ ୧୨/୧୪ଘଣ୍ଟା ମଧ୍ୟରେ ଓଡ଼ିଶାରେ ପହଞ୍ଚୁଛି। ତେଣୁ ବ୍ୟବସାୟୀ ମାଛରେ କାହିଁକି ଫର୍ମାଲିନ୍ ମିଶାଇବେ। ସମ୍ବଲପୁରରୁ ଯେଉଁ ମାଛ ନମୁନାରେ ଫର୍ମାଲିନ୍ ଆସିଛି ତାହାର ରିପୋର୍ଟ ଏ ପର୍ଯ୍ୟନ୍ତ ବିଭାଗ ନିକଟରେ ପହଞ୍ଚିନାହିଁ। ତେବେ ସଂଗୃହୀତ ମାଛରେ ପ୍ରକୃତରେ କେତେ ଫର୍ମାଲିନ୍ ରହିଛି ତାହା ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି ଅଧିକାରୀ କହିଛନ୍ତି।
ଅପରପକ୍ଷରେ ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ମଧ୍ୟ ଏ ପର୍ଯ୍ୟନ୍ତ ଫର୍ମାଲିନ୍ର ଯାଞ୍ଚ ପାଇଁ କୌଣସି କିଟ୍ ଆସିନାହିଁ। ତେଣୁ ପରୀକ୍ଷାଗାରରେ ହିଁ ଏହା ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ। ମାଛରେ ଫର୍ମାଲିନ୍ ମିଶୁଥିବା ଖବର ଗଣମାଧ୍ୟମରେ ଆସିବା ପରେ ଏବେ ବ୍ୟବସାୟୀଙ୍କଠାରୁ ଏଭଳି ମାଛ ପାଇବା ମୁସ୍କିଲ୍। ତେଣୁ ଆସନ୍ତା କିଛଦିନ ପରେ ପୁଣିଥରେ ରାଜ୍ୟବ୍ୟାପୀ ଚଢ଼ାଉ କରାଯାଇ ମାଛ ନମୁନା ସଂଗ୍ରହ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।
ଆଜି ମଧ୍ୟ ରାଜ୍ୟବ୍ୟାପୀ ମାଛ ନମୁନା ସଂଗ୍ରହ ଜାରି ରହିଛି। ଆଜି ରାଜଧାନୀ ସମତେ କଟକ, ବଲାଙ୍ଗୀର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ନୟାଗଡ଼, କୋରାପୁଟ, ପୁରୀ, ଖୋର୍ଧା, ଅନୁଗୁଳ ଓ ବାଲେଶ୍ୱରର ୧୩୬ଟି ମାଛ ଦୋକାନରେ ଚଢ଼ାଉ କରାଯାଇ ୯୪ଟି ମାଛ ନମୁନା ସଂଗ୍ରହ କରାଯାଇଛି। ଏସବୁ ନମୁନାକୁ ପରୀକ୍ଷା ପାଇଁ ରାଜଧାନୀସ୍ଥିତ ଖାଦ୍ୟ ସୁରକ୍ଷା ଲାବୋରେଟାରିକୁ ପଠାଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗତ ଶୁକ୍ରବାର ଭୁବନେଶ୍ୱର ଓ କଟକର ବିଭିନ୍ନ ମାଛ ଦୋକାନରୁ ୨୧ଟି ମାଛ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଥିଲା। ତେବେ ଏହାର ରିପୋର୍ଟ ନେଗେଟିଭ୍ ରହିଥିଲା।