ଭୁବନେଶ୍ୱର : ପମଫ୍ରେଟ୍ ମାଛରେ ବିଷାକ୍ତ ରସାୟନ ଫର୍ମାଲିନ୍ ମିଶିବାକୁ ନେଇ ରାଜ୍ୟବ୍ୟାପୀ ବିଭିନ୍ନ ସହରରୁ ମାଛ ନମୁନା ସଂଗ୍ରହ ଜାରି ରହିଛି। ଆଜି ରାଜ୍ୟର ୮ଟି ସହରରୁ ୭୧ଟି ମାଛ ନମୁନା ସଂଗ୍ରହ କରାଯାଇଛି। ଅପରପକ୍ଷରେ ଗତ ରବିବାର ଭୁବନେଶ୍ୱର ଓ କଟକରୁ ସଂଗୃହୀତ ମାଛ ନମୁନାରୁ ଫର୍ମାଲିନ୍ର ଉପସ୍ଥିତି ରିପୋର୍ଟ ନେଗେଟିଭ୍ ଆସିବା ପରେ ମାଛ ଖାଇବାକୁ ନେଇ ଭୟଭୀତ ନ ହେବାକୁ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମତ୍ସ ଓ ପଶୁସଂପଦ ବିକାଶ ବିଭାଗର ନିର୍ଦେଶକ ପ୍ରଶାନ୍ତ ପତି କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ମାଛ ନମୁନା ରିପୋର୍ଟରେ ଫର୍ମାଲିନ୍ର ଉପସ୍ଥିତି ନାହିଁ। ତେଣୁ ଲୋକମାନେ ମଧୁର ଓ ଲୁଣି ମାଛ ଖାଇବାରେ କୌଣସି ଅସୁବିଧା ନାହିଁ। ତେବେ ରାଜ୍ୟବ୍ୟାପୀ ମାଛ ନମୁନା ସଂଗ୍ରହ ଜାରି ରହିବ। ମାଛ ମାର୍କେଟ, ହୋଲସେଲର ଓ ଆନ୍ଧ୍ର ଟ୍ରକ୍ରୁ ମାଛ ନମୁନା ସଂଗ୍ରହ କରାଯାଇ ଏହାର ପରୀକ୍ଷା କରାଯିବ ବୋଲି ଶ୍ରୀ ସେନାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଆଜି ମଧ୍ୟ ରାଜ୍ୟବ୍ୟାପୀ ମାଛ ନମୁନା ସଂଗ୍ରହ କରାଯାଇଥିଲା। ରାଜଧାନୀ ସମେତ ସମ୍ବଲପୁର, ବ୍ରହ୍ମପୁର, କଟକ, ବଲାଙ୍ଗୀର, ରାଉରକେଲା, ପୁରୀ ଓ ନୟାଗଡ଼ରୁ ୭୧ଟି ମାଛ ନମୁନା ସଂଗ୍ରହ କରାଯାଇଛି। ଏସବୁ ନମୁନାକୁ ରାଜ୍ୟ ଜନସ୍ୱାସ୍ଥ୍ୟ ଲାବୋରେଟାରିକୁ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି। ରାଜଧାନୀରୁ ସଂଗୃହୀତ ହୋଇଥିବା ମାଛ ନମୁନାରେ ରୋହି, ଖୁରାଣ୍ଟି, ପଥରମୁଣ୍ଡି ଓ ଚାନ୍ଦୀ ମାଛ ରହିଛି। ବଡ଼ଗଡ଼ ମାଛ ମାର୍କେଟ୍ ସମେତ ଅନ୍ୟ ୨ଟି ଚିଲିକା ଫ୍ରେସ୍ରୁ ଏହି ନମୁନା ସଂଗ୍ରହ କରାଯାଇଥିବା ଖାଦ୍ୟ ସୁରକ୍ଷା ପକ୍ଷରୁ ସୂଚନା ଦିଆଯାଇଛି।