ଆସିକା ପୂର୍ବତନ ବିଧାୟକ ନିଖୋଜ ଘଟଣା: ଫୋନ୍ କଲେ, କିନ୍ତୁ ଫେରିଲେନି
ଚିନ୍ତାରେ ପୁଲିସ ଓ ପରିବାର, ତାମିଲ୍ନାଡ଼ୁରେ ପୁଲିସର ଡେରା
ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ଆସିକା ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ନେଇ ଏବେ ପୁଲିସ ଓ ପରିବାର ଦ୍ବନ୍ଦ୍ବରେ ପଡ଼ିଛନ୍ତି। ନିଖୋଜ୍ ଥିବା ବେଳେ ତାଙ୍କ ଫୋନ୍ କଲ୍ ପାଇ ପରିବାରଲୋକ ଟିକିଏ ଆଶ୍ବସ୍ତି ହୋଇଥିଲେ। ହେଲେ ସେ ନଫରିବାରୁ ପୁଣି ଚିନ୍ତା ବଢ଼ିଯାଇଛି। ୧୪ ତାରିଖ ରାତି ପାଖାପାଖି ସାଢ଼େ ୯ଟା ସମୟରେ ଏକ ଅଜଣା ନମ୍ବରରୁ ପୁଅ ନମ୍ବରକୁ କଲ୍ ଆସିଥିଲା। ପୁଅ ଫୋନ ଉଠାଇବା ପରେ ବାପାଙ୍କ ସ୍ବର ଶୁଣି ଖୁସି ହୋଇଯାଇଥିଲେ। ତେବେ ସେ ତାମିଲ୍ନାଡ଼ୁ ରାମେଶ୍ବରମରେ ଥିବା କହିଥିଲେ। କେହି ବ୍ୟସ୍ତ ହୁଅନି ମୁଁ ଦୁଇଦିନରେ ଘରେ ପହଞ୍ଚିବି ବୋଲି କହିଥିଲେ। କାଳେ ସେ ଆସିବେ କି ନାହିଁ; ଏଥିପାଇଁ ପୁଅ କ୍ୟାପିଟାଲ୍ ଥାନା ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ।
ନମ୍ବର ଟ୍ରାକିଂରୁ ଜଣାପଡ଼ିଥିଲା ଯେ, ଯେଉଁ ନମ୍ବରରୁ କଲ୍ ଆସିଛି ତାହା ଚେନ୍ନାଇର। ଏହାପରେ ପୁଲିସର ଏକ ଟିମ୍ ସହ ତାଙ୍କ ପୁଅ ତାମିଲ୍ନାଡ଼ୁ ଯାଇଥିଲେ। ଆଉ ସେଠାରେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ଖୋଜ୍ଖବର ମିଳିନଥିଲା। ଫଳରେ ପୁଲିସ ଓ ତାଙ୍କ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରକୃତରେ ସେ ନିଜ ଇଚ୍ଛାରେ ଯାଇଛନ୍ତି ନା ତାଙ୍କୁ କେହି ନେଇଯାଇଛି ? ନା ଏହାପଛରେ ଅନ୍ୟ କୌଣସି କାରଣ ରହିଛି? କାଳେ ଆଉ ତାଙ୍କ ଫୋନ୍କଲ୍ ଆସିବ; ଏଥିପାଇଁ ପୁଲିସର ଟିମ୍ ସହ ତାମିଲ୍ନାଡ଼ୁରେ ଡେରା ପକାଇଛନ୍ତି ପରିବାର ଲୋକ।
ପ୍ରକାଶ ଥାଉ କି, ଗତ ୧୨ ତାରିଖ ସକାଳ ସମୟରେ ସରୋଜ ୟୁନିଟ୍-୬ ସ୍ଥିତ ରାଧାକ୍ରିଷ୍ଣ ଏନ୍କ୍ଲେଭ ଘରୁ ବାହାରକୁ ଯାଇଥିଲେ। ଆଉ ଫେରି ନଥିଲେ। ଆଶ୍ଚର୍ଯ୍ୟର କଥା ଘରୁ ତାଙ୍କ ମୋବାଇଲ୍, ମୁଦି ଏବଂ ଚେନ୍ ମିଳିଥିଲା। ଏନେଇ ପୁଅ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲା। ଯେଉଁଥିରେ ସେ ଘରୁ ବାହାରକୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ରହିଥିଲା।