ଭୁବନେଶ୍ବର : ଋଣ ଦେବା ନାଁରେ ଜାଲିଆତି କରି ବାପୁଜୀନଗରସ୍ଥିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ୬.୧୮କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ପୂର୍ବତନ ବ୍ୟାଙ୍କ ମ୍ୟାନେଜର୍ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟକୁ ଦିଲ୍ଲୀରୁ ଗିରଫ କରିଛି। ସେ ହେଲେ, ନୂଆଦିଲ୍ଲୀ ବିନ୍ଦପୁର ଉତ୍ତମନଗର ଅଞ୍ଚଳର ନିରଜ କୁମାର। ଗିରଫ ପରେ ତାଙ୍କୁ ଦ୍ବାରକା ମୁଖ୍ୟ ମେଟ୍ରୋପଲିଟାନ୍ କୋର୍ଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଛି। ଏଠାରେ ତାଙ୍କୁ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପିଏନ୍ବି, ଭୁବନେଶ୍ୱର ସର୍କଲର ମୁଖ୍ୟ ପରେଶ କୁମାର ଦାସଙ୍କ ଅଭିଯୋଗକୁ ଭିତ୍ତି କରି ଇଓଡବ୍ଲୁରେ ଏନେଇ ନଂ ୭/୨୦ରେ ଏହି ମାମଲା ରୁଜୁ ହୋଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ଗତ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ନିରଜ ସହିଦନଗରସ୍ଥିତ ପିଏନ୍ବିରେ ମ୍ୟାନେଜର୍ ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବୀରେନ୍ଦ୍ର ପଟ୍ଟନାୟକ ବ୍ରାଞ୍ଚର ମହା ମୁଖ୍ୟ ପ୍ରବନ୍ଧକ ଥିଲେ। ୨୦୧୬ ମସିହାରେ ଚାକିରିରୁ ଇସ୍ତଫା ଦେବା ପରେ ସେ ବ୍ୟାଙ୍କର ବାପୁଜୀନଗରସ୍ଥିତ ବ୍ରାଞ୍ଚରେ ଜଣେ ଅଧିକାରୀ ଭାବେ ଯୋଗ ଦେଇଥିଲେ। ନିରଜ ଓ ବୀରେନ୍ଦ୍ରଙ୍କ ପୂର୍ବରୁ ସମ୍ପର୍କ ଥିବାରୁ ସେମାନେ ବ୍ୟାଙ୍କରୁ ଜାଲିଆତି କରି କୋଟି କୋଟି ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ, ୨୦୧୭ ମସିହା ଅକ୍ଟୋବରରେ ବ୍ରାଞ୍ଚର ବରିଷ୍ଠ ପ୍ରବନ୍ଧକ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟିଙ୍କ ସହ ହାତ ମିଳାଇ ନିରଜ, ବୀରେନ୍ଦ୍ର ଓ ପ୍ରକାଶ ବେହରା ଚଞ୍ଚକତା କରି କଟକର ଜଣେ ବ୍ୟକ୍ତିଙ୍କ ନାମରେ ଜାଲ୍ କାଗଜପତ୍ର କରିଥିଲେ। ତାଙ୍କ ନାଁରେ ଅଢ଼େଇ କୋଟି ଟଙ୍କା ଋଣ ନେଇଥିଲେ। ଋଣ ଟଙ୍କାକୁ କେପି ସଲ୍ୟୁସନ୍ର ଆକାଉଣ୍ଟକୁ ପଠାଯାଇଥିଲା। ସଂସ୍ଥାର ମାଲିକ କାଳୀ ପ୍ରସାଦ ମିଶ୍ର ଉକ୍ତ ଟଙ୍କାକୁ ନିରଜଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କ ଆକାଉଣ୍ଟକୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ଅଡିଟ୍ରୁ ଜଣାପଡ଼ିଥିଲା ଯେ କଟକର ଯେଉଁ ବ୍ୟକ୍ତିଙ୍କ ନାମରେ ଋଣ ନିଆଯାଇଛି, ସେ ବ୍ୟକ୍ତିଜଣଙ୍କ ମୃତ।
ସେହିପରି ୨୦୧୮ ମସିହାରେ ଅଭିଯୁକ୍ତମାନେ ସମାନ ଢ଼ଙ୍ଗରେ ଲିଙ୍ଗରାଜ ଏଣ୍ଟରପ୍ରାଇଜେସ୍ ନାମକ ଏକ ସଂସ୍ଥା ନାଁରେ ୩କୋଟି ୬୮ଲକ୍ଷ ଟଙ୍କା ଋଣ ଉଠାଇଥିଲେ। ସଂସ୍ଥାର ମାଲିକ ପ୍ରଶାନ୍ତ ମହାପାତ୍ର ନିଜ ଘର ବନ୍ଧକ ରଖି ବ୍ୟାଙ୍କରେ ୧୦ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ଚଞ୍ଚକତା କରି ତାଙ୍କ ନାଁରେ ମୋଟ ୩ କୋଟି ୬୮ଲକ୍ଷ ଟଙ୍କା ଉଠାଇଥିଲେ। ପ୍ରଶାନ୍ତଙ୍କୁ ୧୦ଲକ୍ଷ ଟଙ୍କା ଦେଇ ବାକି ସାଢ଼େ ୩ କୋଟି ନେଇଯାଇଥିଲେ। ଏ ସଂପର୍କରେ ପ୍ରଶାନ୍ତଙ୍କୁ ମଧ୍ୟ କିଛି ମାଲୁମ୍ ନଥିଲା। ଅଡିଟ୍ରୁ ଏହା ଧରାପଡ଼ିବା ପରେ ସର୍କଲ ମୁଖ୍ୟ ଶ୍ରୀ ଦାସ ଇଓଡବ୍ଲୁରେ ଅଭିଯୋଗ କରିଥିଲେ।
ପୂର୍ବରୁ ଏହି ଘଟଣାରେ ଇଓଡବ୍ଲୁ ଅଭିଯୁକ୍ତ କାଳୀପ୍ରସାଦ ମିଶ୍ର, ବୀରେନ୍ଦ୍ର ପଟ୍ଟନାୟକ, ଶ୍ରୀକାନ୍ତ ପୃଷ୍ଟି, ନରେନ୍ଦ୍ର ନାୟକ ଏବଂ ପ୍ରକାଶ ବେହେରାଙ୍କୁ ଗିରଫ କରିଥିବା ବେଳେ ନିରଜ ଫେରାର୍ ଥିଲେ। ଗତ ୨୩ ତାରିଖରେ ଇଓଡବ୍ଲୁ ତାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ଆଜି ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଛି।