ଭବାନୀପାଟଣା ଭିଜିଲାନ୍ସ କୋର୍ଟର ଶୁଣାଣି: ପୂର୍ବତନ ବିଡିଓଙ୍କୁ ସାଢ଼େ ୩ ବର୍ଷ ଜେଲ୍‌

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ପୂର୍ବତନ କର୍ଲାମୁଣ୍ଡା ବିଡିଓ ଗଣ୍ଡାରାମ ଖମାରୀଙ୍କୁ ଶୁକ୍ରବାର ଦିନ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ସାଢ଼େ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। କିରାସିନି କିଣାରେ ହୋଇଥିବା ହେରଫେର ମାମଲାରେ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ମାମଲା ଅନୁସାରେ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ର ପୂର୍ବତନ ବିଡିଓ ଶ୍ରୀ ଖମାରୀ ଓ କେସିଙ୍ଗା ଜୟ କୁନ୍ଦନ ଷ୍ଟିଲ୍‌ର ମାଲିକ ଦୀପକ ଜୈନ ୩୮୪ ଡ୍ରମ୍‌ କିରାସିନି କିଣାରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଏହି କିରାସିନି କିଣାରେ ଅନିୟମିତତା ହୋଇଥିବା ନେଇ କୋରାପୁଟ ଭିଜିଲାନ୍ସ ଡିଭିଜନର ପୂର୍ବତନ ଇନ୍ସପେକ୍ଟର ପ୍ରଦୀପ କୁମାର ଆଇଣ୍ଡ କେସ ନମ୍ବର ୩୫ / ତା ୫.୯.୨୦୧୦ରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଦୁହେଁ ହାଇକୋର୍ଟରୁ ଆଗୁଆ ଜାମିନରେ ଆସିଥିଲେ। ଖୋଲା ବଜାରରେ ପ୍ରତି କିରାସିନି ଡ୍ରମ୍‌ ପିଛା ୫୫୦ ଟଙ୍କା ଥିବା ବେଳେ ବ୍ଲକ୍‌ ପକ୍ଷରୁ ବିଆର ଜିଏଫ ପାଣ୍ଠିରୁ ଡ୍ରମ୍‌ ପିଛା ୧୧୮୦ ଟଙ୍କାରେ ବିଡିଓ କିଣିଥିଲେ। ଏହି କିରାସିନି କିଣାରେ ୩ଲକ୍ଷ ୩୭ ହଜାର ୯୨୦ ଟଙ୍କା ଦୁର୍ନୀତି ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।

ଶୁକ୍ରବାର ଦିନ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ମାମଲାର ଶୁଣାଣି ହୋଇଥିଲା। ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଶ୍ରୀକାନ୍ତ ମିଶ୍ର ଦୁଇ ଅଭିଯୁକ୍ତଙ୍କୁ ସାଢ଼େ ୩ବର୍ଷ ଜେଲ ଦଣ୍ଡାଦେଶ ଓ ୨ ଲକ୍ଷ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର