କଟକ: ରାଜ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ମୂଲ୍ୟ ବୃଦ୍ଧିକୁ ନେଇ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଟକର ଛତ୍ରବଜାର ଓ ମାଲଗୋଦାମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଏହି ଅବସରରେ ଦର ବୃଦ୍ଧି ପାଇଁ ପୂର୍ବ ବିଜେଡି ସରକାରକୁ ଦାୟୀ କରିଛନ୍ତି। ରାଜ୍ୟରେ ଆଳୁ ଓ ପିଆଜ ମିସନ ଫେଲ୍ ମାରିଛି ବୋଲି କହିଛନ୍ତି। ବିଜେଡି ସରକାର ୨୫ ବର୍ଷ ଭିତରେ ଦରବୃଦ୍ଧି ସ୍ଥିତିର ମୁକାବିଲା ପାଇଁ ସ୍ଥାୟୀ ସମାଧାନ କିଛି କରିନାହିଁ। ପନିପରିବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ବାହାରେ ମୂଲ୍ୟ ବୃଦ୍ଧି ହେଲେ ଓଡ଼ିଶାରେ ଦର ବୃଦ୍ଧି ହେବା ସ୍ବାଭାବିକ ବୋଲି ସେ କହିଛନ୍ତି।
ଛତ୍ରବଜାରରେ ସ୍ଥିତି ଅନୁଧ୍ୟାନ କଲେ ଯୋଗାଣ ମନ୍ତ୍ରୀ
ସାମଗ୍ରୀ ହୋର୍ଡିଂ ନକରିବାକୁ ଚେତାବନୀ
ରାଜ୍ୟରେ ଆଳୁ ମିସନ ଫେଲ୍
ଆଜି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଥମେ ଛତ୍ରବଜାରରେ ପହଞ୍ଚି ଆଳୁ ଓ ପିଆଜ ଗୋଦାମକୁ ଯାଇଥିଲେ। ପରେ ଛତ୍ରବଜାର ପରିବା ମଣ୍ଡିକୁ ଯାଇଥିଲେ। ଚାଷୀଙ୍କ ନିକଟରୁ ମୂଲ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ପରେ ମାଲଗୋଦାମର ବିଭିନ୍ନ ତେଲ, ଚାଉଳ ଓ ଡାଲି ଗୋଦାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଛତ୍ରବଜାର ପରିବା ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ରନାଥ ସାହୁଙ୍କ ସହିତ ମନ୍ତ୍ରୀ ପନିପରିବା ମୂଲ୍ୟ ସମ୍ପର୍କ ଆଲୋଚନା କରିଥିଲେ। ବିଭିନ୍ନ ସ୍ଥାନରେ କୋଲଡ ଷ୍ଟୋରେଜ୍ କରିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ଏହି ଅବସରରେ ପରାମର୍ଶ ଦିଆଯାଇଥିଲା। ନାସିକରୁ ଏବେ ପିଆଜ ଆମଦାନୀ କମ୍ ଥିବା ସମ୍ପର୍କରେ ମନ୍ତ୍ରୀଙ୍କୁ ବ୍ୟବସାୟୀ ସଂଘ ପକ୍ଷରୁ ଅବଗତ କରାଯାଇଥିଲା। ପିଆଜ ଓ ଆଳୁ ନିଅଣ୍ଟ ପଡ଼ିଲେ ନାଫେଡ୍ରୁ କିଣି ଯୋଗାଣ କରିବାକୁ ବ୍ୟବସାୟୀ ସଂଘ ପରାମର୍ଶ ଦେଇଥିଲା। ପଶ୍ଚିମବଙ୍ଗ ସରକାର ପୂର୍ବରୁ ଆଳୁ ବନ୍ଦ କରିଦେଇଥିବାର ଉଦାହରଣ ରହିଛି। ଏଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ମନ୍ତ୍ରୀଙ୍କୁ ବ୍ୟବସାୟୀ ସଂଘ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟକୁ ଯାଇ ସେଠାରେ ବ୍ୟବସାୟୀଙ୍କ ସହିତ ଚାଉଳ, ତେଲ ଓ ଡାଲି ମୂଲ୍ୟ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ମାଲଗୋଦାମର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପଛର କାରଣ ସମ୍ପର୍କରେ ଆଲୋଚନା କରିଥିଲେ।
ମନ୍ତ୍ରୀ ଶ୍ରୀ ପାତ୍ର ଏହି ଅବସରରେ କହିଛନ୍ତି ଯେ ଯଦି କୌଣସି ବ୍ୟବସାୟୀ ସାମଗ୍ରୀ ହୋର୍ଡିଂ କଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଳୁ ଓ ପିଆଜ ମୂଲ୍ୟ ସାମାନ୍ୟ ବଢ଼ିଛି। କିନ୍ତୁ ବହୁତ ବାଧିଲା ଭଳି ମୂଲ୍ୟ ହୋଇନାହିଁ। ଗୋଦାମରେ ପିଆଜ କିଲୋ ୩୦ରୁ ୩୨ ଟଙ୍କା ରହିଥିବା ବେଳେ ଆଳୁ କିଲୋ ୨୫ ଟଙ୍କା ରହିଛି। ଖୁଚୁରା ବଜାରକୁ ଆସିଲା ବେଳକୁ ଆଳୁ ମୂଲ୍ୟ ୩୦ ଟଙ୍କା ଓ ପିଆଜ ମୂଲ୍ୟ ୩୫ ଟଙ୍କା ହୋଇଯାଉଛି। କଞ୍ଚା ପରିବା ଦର କିନ୍ତୁ କିଛିଟା ବଢ଼ିଛି। ଜୁଲାଇରେ ମୂଲ୍ୟ ବୃଦ୍ଧି ପ୍ରାୟ ଅଧିକ ରୁହେ। ଓଡ଼ିଶାକୁ ଆନ୍ଧ୍ର ଓ ନାସିକରୁ ପିଆଜ ଓ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହେଉଛି। ସେଠି ମୂଲ୍ୟ ବଢ଼ିଲେ ଏଠି ବଢ଼ିବା ସ୍ବାଭାବିକ ବୋଲି ସେ କହିଥିେଲ।