ଦୁର୍ନୀତି ବିରୋଧରେ ନବୀନଙ୍କ କଠୋର ଆଭିମୁଖ୍ୟ : ଭିଜିଲାନ୍ସ ଜାଲରେ ପୂର୍ବତନ ବିଜେଡି ବିଧାୟକ ଅନାମ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡିର ରାଜନେତା
୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କା ସମ୍ପତ୍ତି ଥିବା ଆକଳନ
ପୂର୍ବରୁ ଅଫିସରଙ୍କ ବିରୋଧରେ, ଏବେ ଭିଜିଲାନ୍ସ ନଜରରେ ରାଜନେତା

ଭବାନୀପାଟଣା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ପୂର୍ବ ବିଧାୟକ ଅନାମ ନାଏକଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢଉ କରିଛି। ବିଭାଗ ପକ୍ଷରୁ ତିନିଟି ଟିମ୍‌ ଏକକାଳୀନ ଚଢ଼ଉ କରିଛନ୍ତି। ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ବାସଭବନ, ପୁରୁଣାପଡା ଛକ ନିକଟ ନିର୍ମାଣାଧୀନ ଲଜ୍‌ ଓ ମଦନପୁର-ରାମପୁରସ୍ଥିତ ଶ୍ରୀରାମ କ୍ରିଷ୍ଣା ଲଜ୍‌ ଉପରେ ଚଢଉ ହୋଇଥିଲା। ଭବାନୀପାଟଣାଠାରେ ତିନି ମହଲା କୋଠା ତଥା ମଦନପୁର- ରାମପୁରଠାରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଲଜ୍ ଓ ବିଦେଶୀ ମଦ ଦୋକାନ ରହିଛି। ବହୁ ପରିମାଣର ଜମିର କାଗଜ ପତ୍ର ଭିଜିଲାନ୍ସର ହସ୍ତଗତ ହୋଇଛି। ରିପୋର୍ଟ ଲେଖାଯିବା ଯାଏ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କାର ସମ୍ପତ୍ତି ଥିବା ଆକଳନ କରାଯାଇଥିବା ଭିଜିଲାନ୍ସ କହିଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁର୍ନୀତି ବିରୋଧରେ ପୁଣି ଏକ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଦୁର୍ନୀତି କରି କେହି ଖସି ଯାଇପାରିବେନି।

ଦୁର୍ନୀତିଗ୍ରସ୍ତଙ୍କୁ ନବୀନ ସରକାରରେ ନିସ୍ତାର ନାହିଁ। ଦଳୀୟ ନେତା ହୁଅନ୍ତୁ କି ଅଫିସର କାହାକୁ ଦୟା ଦେଖାଯିବ ନାହିଁ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଦୁର୍ନୀତିମୁକ୍ତ ଶାସନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଯେଉଁଥିପାଇଁ ଗତ ୬ ମାସ ମଧ୍ୟରେ ୧୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିବା ୫୯ ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାଛଡା ୧୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ୍ ବନ୍ଦ କରାଯାଇଛି। ଆଉ ଠିକ୍ ନୂଆବର୍ଷ ପୂର୍ବରୁ ଲାଞ୍ଚ ନେବା ଅଭିଯୋଗରେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା।

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଅନାମଙ୍କର ନକଟିଗୁଡ଼ା ତିନି ମହଲା କୋଠାର ଦାମ ୧୮ଲକ୍ଷ, ୪୭ହଜାର ୪୦୮ଟଙ୍କା ହେବ। ମଦନପୁର ରାମପୁର ଠାରେ ଡୁପ୍ଲେକ୍ସ ଲଜ୍‌ ଓ ମାର୍କେଟ କମ୍ପ୍ଲେକ୍ସ ୫୭ ଲକ୍ଷ ୫୯ ହଜାର ଟଙ୍କା, ପୁରୁଣାପଡା ଗୋଟିଏ କୋଠା ୫୧ ଲକ୍ଷ ୮୬ ହଜାର ଟଙ୍କା, ପୁରୁଣାପଡ଼ାଠାରେ ନିର୍ମାଣାଧୀନ ଲଜ୍‌ ୧୯ ଲକ୍ଷ ୬୪ ହଜାର ୨୨୩ ଟଙ୍କା, ନକଟିଗୁଡ଼ାଠାରେ ୨ଟି କୋଠା ୪ ଲକ୍ଷ ୮୭ ହଜାର ୨୬୯ ଟଙ୍କା, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ୧ ଲକ୍ଷ ୫୯ ହଜାର ୩୭୩ ଟଙ୍କା, ଗୋଟି ଗ୍ୟାରେଜ ଘର ୫୯ ହଜାର ୨୦ ଟଙ୍କା, ୬ଟି ଚାଷ ଜମି, ୯୪ ଲକ୍ଷ ୭ ହଜାର ଟଙ୍କା, ଗୋଟିଏ ଟ୍ରାକ୍ଟର ୭ ଲକ୍ଷ ଟଙ୍କା, ୨ଟି ଚାରି ଚକିଆ ମହିନ୍ଦ୍ରା ସ୍କର୍ପିଓ ଓ ଇନୋଭା ୨୪ ଲକ୍ଷ ଟଙ୍କା, ୩ଟି ବାଇକ ୧ଲକ୍ଷ ୬୧ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କରେ ୪୯ ଲକ୍ଷ ୩୩ ହଜାର ୭୦୨ ଟଙ୍କା, ଏଲ୍‌ଆଇସି ପଲିସି ୨ ଲକ୍ଷ ଟଙ୍କା, ସୁନା ଗହଣା ୮୦ ହଜାର ଟଙ୍କା, ନଗଦ ଟଙ୍କା ୧୩ ହଜାର ୬୮୦ ଟଙ୍କା, ଘର ସାମଗ୍ରୀ ୬ ଲକ୍ଷ ୨୧ ହଜାର ୩୭୭ ଟଙ୍କା, ମଦନପୁର ରାମପୁର ମାର୍କେଟ କମ୍ପ୍ଲେକ୍ସଠାରେ ଥିବା ବିଦେଶୀ ମଦଦୋକନ ସମ୍ପତ୍ତି ୩ ଲକ୍ଷ ୨୦ ହଜାର ୩୫୦ ଟଙ୍କା ସମୁଦାୟ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କା ଆକଳନ କରାଯାଇଛି।

ଅନାମ ନାଏକ ଚଢ଼ଉକୁ ନେଇ କହିଛନ୍ତି ଯେ ଆଇନକୁ ସମ୍ମାନ ଜଣାଉଛି, ମୋର ପୈତୃକ ସମ୍ପତ୍ତି ରହିଛି, ଯାହାର ଟିକିନିକି ହିସାବ ଦେବାକୁ ପ୍ରସ୍ତୁତ।

ଅନାମ ୧୯୯୦ ମସିହାରେ ଜିଲ୍ଲାପାଳ କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ ଯୋଗଦେଇଥିଲେ। ପରେ ଭବାନୀପାଟଣା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ। ୨୦୦୫ ମସିହାରେ କିରାଣି ପଦରୁ ସ୍ୱେଚ୍ଛାକୃତ ଅବସର ନେଇ କଂଗ୍ରେସ ଟିକଟରେ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ। ସେତେବେଳେ ସେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ପରିମାଣ ମୋଟ ୩୫ ଲକ୍ଷ ଉଲ୍ଲେଖ କରିଥିଲେ। ୨୦୧୪ ମସିହାରେ ସେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହି ସମୟରେ ଖଣି ଲିଜ୍‌ ପାଇଁ ଲାଞ୍ଚ କାରବାର ଅଭିଯୋଗର ଏକ ଷ୍ଟିଙ୍ଗ୍‌ ଅପରେସନର କ୍ୟାମେରାରେ ଧରାପଡ଼ିଥିଲେ। ଫଳରେ ୨୦୧୯ ନିର୍ବାଚନରେ ବିଜେଡି ଟିକଟରୁ ବଚିଂତ ହୋଇଥିବା ଅନ୍ୟତମ କାରଣ ବୋଲି ଚର୍ଚ୍ଚା ହୋଇଥିଲା। ଅନାମଙ୍କ ରାଜନୈତିକ କ୍ୟାରିୟର ଉପରେ ଏହି ଚଢ଼ଉ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଚଢ଼ଉ ତିନିଟି ସ୍ଥାନରେ ଜାରି ରହିଛି ବୋଲି ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି।

ଶାସକ ଦଳର ଜଣେ ପୂର୍ବ ବିଧାୟକଙ୍କ ଘରେ ଏଭଳି ଚଢ଼ଉ ଘଟଣା ଜିଲ୍ଲା ରାଜନୀତିରେ ନୂଆ ମୋଡ଼ ନେଇଛି। ଗତ ନିର୍ବାଚନରେ ଦଳୀୟ ଟିକଟ ପାଇ ନଥିବା ବେଳେ ବର୍ତ୍ତମାନ ଭିଜିଲାନ୍ସ ପଞ୍ଝାରେ ଅନାମ ନାଏକଙ୍କ ଛନ୍ଦି ହେବା ଘଟଣା ବିଜେଡିରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ସମ୍ବନ୍ଧିତ ଖବର