ଭବାନୀପାଟଣା: କଳାହାଣ୍ଡିରେ ରାଜପରିବାର ଯୋଗୁଁ ବିଜେଡି ଅକଳରେ ପଡ଼ିଛି। ଆଜି ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ପୂର୍ବ ବିଜେଡି ସାଂସଦ ଅର୍କକେଶରୀ ଦେଓ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ପତ୍ନୀ ମାଳବିକା ଦେଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ମାଳବିକା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ବିଧାନସଭା ପାଇଁ ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଅଡୁଆ ବଢ଼ିଛି। ସେହିଭଳି ମଦନପୁର ରାମପୁର ରାଜପରିବାରର ସିରାମିକ ଚିତ୍ରଶିଳ୍ପୀ ପୃଥ୍ବୀରାଜ ସିଂହଦେଓଙ୍କ ପତ୍ନୀ ତଥା ପୂର୍ବ ବିଧାୟକ କୁମାର ଯୋଗେଶ ଚନ୍ଦ୍ର ସିଂହଦେଓଙ୍କ ବୋହୂ ସଂଯୁକ୍ତା ସିଂହଦେଓ ଓ ଏହି ପରିବାରର ତନ୍ମୟ ସିଂହଦେଓ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି।

Advertisment

ଅର୍କକେଶରୀ ବିଜେଡି ଟିକେଟ୍‌ରେ ୨୦୧୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଅର୍କକେଶରୀ ପୂର୍ବ ସାଂସଦ ସ୍ବର୍ଗତ ବିକ୍ରମ କେଶରୀ ଦେଓଙ୍କ ପୁତ୍ର। ପୂର୍ବରୁ ଅର୍କକେଶରୀଙ୍କ ଶୁଭେଚ୍ଛା ବାର୍ତ୍ତା ହୋର୍ଡିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶଙ୍ଖଚିହ୍ନ ରହୁଥିବା ବେଳେ ଏଥର ନୂଆବର୍ଷ ଅବରସରେ ହୋର୍ଡିଂରେ କଳାହାଣ୍ଡି ମହାରାଜା ସ୍ବର୍ଗତ ପ୍ରତାପ କେଶରୀ ଦେଓ ଓ ବିକ୍ରମ କେଶରୀ ଦେଓଙ୍କ ଫଟୋ ରହିଥିଲା। ଏହାକୁ ନେଇ ସେବେଠୁ ରାଜନୀତି ମହଲରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଅର୍କକେଶରୀଙ୍କୁ ‌ବିଜେଡି ପକ୍ଷରୁ କୋଣଠେସା କରାଯାଇଥିଲା। ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ତାଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇ ନଥିଲା। ୨୦୧୯ରେ ତାଙ୍କ ସ୍ଥାନରେ ଲୋକସଭା ପାଇଁ ବିଜେଡି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଟିକେଟ ଦେଇଥିଲା। ତେବେ, ବିଜେଡିକୁ ଏହି ଆସନ ହରାଇବାକୁ ପଡ଼ିଲା।

ଅର୍କକେଶରୀଙ୍କ ବାପା ସ୍ବର୍ଗତ ବିକ୍ରମ କେଶରୀ ଦେଓ ୧୨ତମ, ୧୩ତମ ଓ ୧୪ତମ ଲୋକସଭାକୁ ବିଜେପିରୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହା ଅକ୍ଟୋବର ୭ ତାରିଖରେ ତାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ତାଙ୍କର ଦାୟାଦ ଭାବରେ ଅର୍କକେଶରୀ ଦେଓ ୨୦୧୩ରେ ବିଜେପି ପରିବର୍ତ୍ତେ ବିଜେଡିରେ ଯୋଗ ଦେଇଥିଲେ। ତେବେ ଗତ ପଞ୍ଚାୟତ ନିର୍ବାଚନରୁ ଆରମ୍ଭ କରି ପୈାର ନିର୍ବାଚନ ପର୍ଯ୍ୟନ୍ତ ପ୍ରଚାରବେଳେ ଅର୍କକେଶରୀଙ୍କ ଦେଖାଦର୍ଶନ ମିଳି ନଥିଲା। ଏବେ ହଠାତ ଆଗକୁ ନିର୍ବାଚନ ଋତୁ ଆସୁଥିବା ହେତୁ ଅର୍କକେଶରୀଙ୍କ ବିଜେପିରେ ଯୋଗଦାନ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି।
ମାଳବିକା ଜୁନାଗଡ଼ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ଅର୍କକେଶରୀଙ୍କ ବାପା ସ୍ୱର୍ଗତ ବିକ୍ରମ କେଶରୀ ଦେଓ ଲଗାତାର ବିଧାୟକ ଓ ପରେ ସାଂସଦ ହୋଇ ବିଜେପିର ସଙ୍ଗଠନକୁ ମଜବୁତ କରିଥିଲେ। କଳାହାଣ୍ଡି ରାଜ୍ୟର ପୁରୁଣା ରାଜଧାନୀ ଜୁନାଗଡ଼ ଥିଲା। ଏଥିଯୋଗୁଁ ରାଜପରିବାରର ପ୍ରଭାବ ଥିବା ଯୋଗୁ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ବିଜେପିରେ ସଂଯୁକ୍ତାଙ୍କ ଯୋଗଦାନ ପରେ ସ୍ଥାନୀୟ ନେତାଙ୍କୁ ଟିକେଟ ଦେବା ଦାବି ବିଜେପି ପାଇଁ ଅଡ଼ୁଆ ସାଜିଛି। ଏହି ରାଜପରିବାରର ଯୁବ ନେତା ନୀଳମାଧବ ସିଂହ ଦେଓ ମଧ୍ୟ ଟିକେଟ ଆଶାୟୀ ଅଟନ୍ତି। ଗତ କିଛିଦିନ ତଳେ ନୀଳମାଧବ ସିଂହଦେଓଙ୍କ ହୋର୍ଡିଂ ଶାସକ ଦଳର କର୍ମୀ ଚିରି ଥିବା ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏନେଇ ମଦନପୁର ରାମପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଚୁପ ରହିବା ଘଟଣା ଶାସକ ଦଳର ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।