କାର୍ରେ ଆସିଥିଲେ ୫ ଦୁର୍ବୃତ୍ତ
ତଦନ୍ତ ପାଇଁ ପୁଲିସର ୩ ଟିମ୍
ବେଗୁନିଆପଡା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁ(୫୨)ଙ୍କୁ ବଜାର ମଝିରେ ଦୁବୃର୍ତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ମୁଣ୍ଡ ଓ ଛାତିରେ ୭ ରାଉଣ୍ଡ୍ ଗୁଳି ବାଜିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଆଜି ସକାଳ ୮ଟା ୧୫ ମିନିଟ୍ ସମୟରେ କୋଦଳା ଥାନା ଅଧୀନ ସମୁଣ୍ଡଳ ବଜାର ଛକରେ ଥିବା ଏକ ଚା ଦୋକାନରେ ଦେବରାଜ ବସିଥିବାବେଳେ ଦୁର୍ବୃତ୍ତମାନେ ଏହି ବର୍ବରକାଣ୍ଡ ଘଟାଇଛନ୍ତି। ଏକ କାର୍ରେ ଆସିଥିବା ୫ ଜଣ ଅପରାଧୀ ଘଟଣା ଘଟାଇ ଆଖିପିଛୁଳାକେ ଫେରାର୍ ହୋଇଯାଇଥିଲେ। ଏହାପରଠାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି। ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ଘଟଣାସ୍ଥଳରେ ଛାନ୍ଭିନ୍ କରିବା ସହିତ ତଦନ୍ତ ପାଇଁ ୪ ଜଣ ଥାନାଧିକାରୀ ଓ ଦୁଇ ଜଣ ଏସ୍ଡ଼ିପିଓଙ୍କ ନେତୃତ୍ବରେ ୩ଟି ଟିମ୍ ଗଠନ କରିଛନ୍ତି। ତେବେ, ଗୁଳିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ଏବଂ ତଦନ୍ତ ପରେ ହିଁ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ କହିଛି।
ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ମୋହନପୁର ସାହିରେ ଦେବରାଜଙ୍କ ଘର। କୋଦଳା ନିର୍ବାଚନମଣ୍ଡଳୀରୁ ରାମକୃଷ୍ଣ ପଟ୍ଟନାୟକ ବିଧାୟକ ଥିବାବେଳେ ଦେବରାଜ ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷ ଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ବ୍ଲକ୍ ଅଧ୍ୟକ୍ଷ ଥିଲେ ଓ ବର୍ତ୍ତମାନ ବି ସେ ବିଜେଡିରେ ଜଣେ ବରିଷ୍ଠ ସଦସ୍ୟ ଭାବେ ରାଜନୀତିରେ ସକ୍ରିୟ ଥିଲେ। ତାଙ୍କ ଭାଇବୋହୂ ସନ୍ତୋଷିନୀ ସାହୁ ଏବେ ସମୁଣ୍ଡଳ ପଞ୍ଚାୟତର ସରପଞ୍ଚ ଅଛନ୍ତି। ସବୁଦିନ ଭଳି ଆଜି ମଧ୍ୟ ଦେବରାଜ ସୁମଣ୍ଡଳ ଛକରେ ଥିବା ସେହି ଚା ଦୋକାନକୁ ଯାଇଥିଲେ। ସେଠାରେ ବସି କିଛି ଲୋକଙ୍କ ସହ ଦେବରାଜ କଥା ହେଉଥିଲେ। ଚା ପିଇ ନ ଥିଲେ। ଆଜି ସକାଳୁ ସକାଳୁ ସମୁଣ୍ଡଳ ବଜାରରେ ଅଧିକ ଭିଡ଼ ବି ରହିଥିଲା। ସକାଳ ପ୍ରାୟ ୮ଟା ୧୫ । ଏହି ସମୟରେ ଏକ କାର୍ ଆସି କିଛି ଦୂରରେ ଅଟକିଲା। ଜଣେ ଯୁବକ କାର୍ ଚଳାଉଥିବାବେଳେ ଅନ୍ୟ ୪ଜଣ କାର୍ରେ ବସିଥିଲେ। ପ୍ରଥମେ ୨ଜଣ ଦୁର୍ବୃତ୍ତ ଗାଡ଼ିରୁ ଓହ୍ଲାଇ ଦେବରାଜଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ଆଉ ଦୁଇ ଦୁର୍ବୃତ୍ତ କାର୍ରୁ ଓହ୍ଲାଇ ମାଉଜର୍ ବାହାର କରି ଅତର୍କିତ ଭାବେ ଦେବରାଜ ଉପରକୁ ଅତି ନିକଟରୁ ଆଖିବୁଜା ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ପ୍ରାୟ ୧୦ ରାଉଣ୍ଡ୍ରୁ ଅଧିକ ଗୁଳି ଚଳାଇଥିବା ଜଣାପଡ଼ିଛି। ତେବେ ୭ ରାଉଣ୍ଡ୍ କେବଳ ଦେବରାଜଙ୍କ ମୁଣ୍ଡ ଓ ଛାତିରେ ଲାଗିଥିଲା। ସେହିଠାରେ ହିଁ ଦେବରାଜ ଟଳି ପଡ଼ିଥିଲେ।
ଚା ଦୋକାନ ମାଲିକ ସଙ୍ଗେ ସଙ୍ଗେ ଦୋକାନ ବନ୍ଦ କରି ପଳାଇ ଯାଇଥିଲେ। ଏହି ଘଟଣା ପରେପରେ ସମୁଣ୍ଡଳ ବଜାର ଶୂନ୍ଶାନ୍ ହୋଇ ଯାଇଥିଲା, ଚରିଆଡ଼େ ଏକରକମ ଭୟର ବାତାବରଣ। ସୂଚନା ପାଇ ସଙ୍ଗେ ସଙ୍ଗେ କୋଦଳା ଥାନାଧିକାରୀ ଦେବାଶିଷ ମହାନ୍ତି ଓ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ପୁରୁଷୋତ୍ତପୁର ଏସ୍ଡିପିଓ ସୀମା ସ୍ୱାଇଁ, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ, ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଗଂଜାମ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏଥିସହ ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବିଧାୟିକାଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡି, ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା, ତ୍ରିନାଥ ଭୂୟାଁଙ୍କ ସମେତ ବିଜେଡିର ବହୁ କର୍ମୀ ଥିଲେ। ବିଧାୟିକା ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜେଡିର ଜଣେ ସକ୍ରିୟ ସଦସ୍ୟ ଥିଲେ। ଜଣେ ଭଲ କର୍ମୀଙ୍କୁ ଦଳ ହରାଇଲା। ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ କରିବା ଲାଗି ବିଧାୟିକା ଗଞ୍ଜାମ ଏସ୍ପିଙ୍କୁ ଅନୁରୋଧ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଅନୁସାରେ, ଦୁର୍ବୃତ୍ତମାନେ ହତ୍ୟାକାଣ୍ଡ ଘଟାଇ ସୁମଣ୍ଡଳ ଗାଁ ରାସ୍ତା ଦେଇ ଫେରାର ହୋଇ ଯାଇଥିଲେ। ପୁଲିସ ଘଟଣାସ୍ଥଳରୁ ୪ଟି ଖୋକା ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି। ଅନ୍ୟପକ୍ଷରେ ପୁଲିସ ଘଟଣାସ୍ଥଳ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ପଟ୍ରୋଲ ପମ୍ପ୍ ଓ ବାଣିଆବାଡ଼ି ଠାରେ ଜଣେ ବ୍ୟକ୍ତିଙ୍କ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଦୁର୍ବୃ୍ତ୍ତମାନେ କେଉଁ ଦିଗରୁ ଆସିଛନ୍ତି ଓ ଯାଇଛନ୍ତି ତାହା ଜାଣିବା ଲାଗି ଛାନ୍ଭିନ୍ କରିଛି। ଏଥିସହ ପୁଲିସ ପ୍ରତକ୍ଷ୍ୟଦର୍ଶୀଙ୍କ ବୟାନ ରେକର୍ଡ଼ କରିଛି। ଏହି ଘଟଣା ପରେ ପୁଲିସ ସୁମଣ୍ଡଳ-ବାଣପୁର ରାସ୍ତା ଏବଂ ବେଗୁନିଆପଡା, କୋଦଳା ଓ ଖଲ୍ଲିକୋଟ ରାସ୍ତାକୁ ନାକାବନ୍ଦୀ କରି ତଦନ୍ତ କରିଥିଲା। ଅନ୍ୟପକ୍ଷରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଦେବରାଜଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ବେଳେ ଦେବରାଜଙ୍କ ମୁଣ୍ଡରୁ ୩ଟି ଏବଂ ଛାତିରୁ ୪ଟି ଗୁଳି ବାହାରିଥିବା ଜଣାପଡ଼ିଛି। ଦେବରାଜଙ୍କ ବଡ଼ପୁଅଙ୍କ ଏତଲା କ୍ରମେ ବେଗୁନିଆପଡ଼ା ଥାନାରେ ମାମଲା ରୁଜୁ ହୋଇଛି। ୩ ଜଣ ଅଜଣା ଯୁବକ ଆସି ଗୁଳି କରି ହତ୍ୟା କରିଥିବା ଏତଲାରେ ଦର୍ଶାଯାଇଥିବା ବେଗୁନିଆପଡ଼ା ଥାନା ଅଧିକାରୀ କହିଛନ୍ତି।