ବ୍ରହ୍ମପୁର: ପ୍ଲଟ୍ ବିକ୍ରି ନାଁରେ ବ୍ରହ୍ମପୁରର ଦୁଇଜଣ ଲୋକଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ପି. ଶ୍ୟାମବାବୁ ପାତ୍ର(୫୮)ଙ୍କୁ ଟାଉନ୍‌ ଥାନା ପୁଲିସ ଆଜି ଗିରଫ କରିଛି। ସେ ବିଏମ୍‌ସିରେ ଇଂଜିନିୟର୍‌ ଭାବେ କାମ କରୁଥିବା ସହ ପ୍ଲଟ୍‌ ବେପାର କରୁଥିଲେ। ଲୋକଙ୍କୁ ନାନା ପ୍ରତିଶ୍ରୁତି ଦେଇ ମୋଟା ଅଙ୍କର ଟଙ୍କା ନେଇ ଜମି ଦେଇ ନଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଶ୍ୟାମବାବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି।

Advertisment

ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବା ନୟାଗଡ଼ ରାଜାବଗିଚାର ମୂଳବାସିନ୍ଦା ଶ୍ୟାମବାବୁ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ରେ ସେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ୨୦୧୭ରେ ଗାନ୍ଧୀନଗର ଅଞ୍ଚଳର ରଶ୍ମିତା ସାହୁ ଲୋଚାପଡ଼ା ଅଞ୍ଚଳରେ ୬ଟି ପ୍ଲଟ୍‌ କିଣିବା ପାଇଁ ଶ୍ୟାମବାବୁଙ୍କ ସହ ଯୋଗାଯୋଗ କରିଥିଲେ। ୭୧ ଲକ୍ଷ ଟଙ୍କାରେ ୬ଟି ପ୍ଲଟ୍‌ ବିକ୍ରି କରିବା ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। ଏଥିପାଇଁ ରଶ୍ମିତା ବିଭିନ୍ନ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ଅଗ୍ରିମ ଆକାରରେ ଦେଇଥିଲେ। 

କିନ୍ତୁ ବହୁତ ଦିନ ବିତିସାରିଥିଲେ ମଧ୍ୟ ଶ୍ୟାମବାବୁ ଗୋଟିଏ ହେଲେ ପ୍ଲଟ୍‌ ରଶ୍ମିତାଙ୍କ ନାମରେ ପଞ୍ଜୀକରଣ କରାଇ ନଥିଲେ। ପଚାରିବାରୁ ତାଙ୍କୁ ନାନା ଧମକଚମକ ଦେଇଥିଲେ। ରଶ୍ମିତାଙ୍କ ସ୍ବାମୀ ସୁଶାନ୍ତ ସାହୁ ଏନେଇ ଥାନାରେ ଅଭିଯୋଗ କରିବେ ବୋଲି କହିବାରୁ ୨୦୨୧ରେ ଶ୍ୟାମବାବୁ ୧୫ ଲକ୍ଷ ଟଙ୍କା ଫେରାଇଥିଲେ। କିନ୍ତୁ ବଳକା ୧୫ ଲକ୍ଷ ‌ଫେରାଇ ନଥିଲେ। ଟଙ୍କା ମାଗିଲେ ନାନା ଧମକ ଦେବା ସହିତ ସେ ଧରାଛୁଆଁ ଦେଉ ନଥିଲେ। ଶେଷରେ ରଶ୍ମିତାଙ୍କ ସ୍ବାମୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।

ସେହିପରି ଅଷ୍ଟ୍ରେଲିଆରେ ରହୁଥିବା ବ୍ରହ୍ମପୁରର ସନ୍ତୋଷ କୁମାର ମୁନିଙ୍କୁ ଗୋସାଇଁନୂଆଗାଁ ଅଞ୍ଚଳରେ ଏକ ପ୍ଲଟ୍‌ ଦେବାକୁ କହି ଶ୍ୟାମବାବୁ ୨୫ ଲକ୍ଷ ଟଙ୍କା ନେଇଥିଲେ। ପରେ ସେ ପ୍ଲଟ୍‌ ପଞ୍ଜୀକରଣ କରାଇ ନଥିଲେ କି ଟଙ୍କା ମଧ୍ୟ ଫେରସ୍ତ କରି ନଥିଲେ। ଏଣୁ ଶ୍ରୀ ମୁନି ମଧ୍ୟ ଏନେଇ ଗୋସାଇଁନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁଦ୍ଧା ଶ୍ୟାମବାବୁଙ୍କ ନାମରେ ଦୁଇଟି ଠକେଇ ମାମଲା ରୁଜୁ ହୋଇସାରିଛି। ତେବେ ତାଙ୍କ ଦ୍ବାରା ଯଦି ଅନ୍ୟ କୌଣସି ବ୍ୟକ୍ତି ଠକେଇର ଶିକାର ହୋଇଥି‌ବେ, ତେବେ ପୁଲିସକୁ ଜଣାଇବାକୁ ଏସ୍‌ପି କହିଛନ୍ତି।