ଦୂରଦର୍ଶନର ପୂର୍ବତନ କେନ୍ଦ୍ର ନିର୍ଦେଶକ କାକଲି ପାଲ୍‌ଙ୍କ ପରଲୋକ

କଟକ : ଦୂରଦର୍ଶନର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ କାକଲି ପାଲ୍‌ (୬୭)ଙ୍କର ଶନିବାର ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ହୃଦ୍‌ଘାତରେ ପରଲୋକ ଘଟିଛି। ସେ କିଛି ଦିନ ହେଲା ଫୁସ୍‌ଫୁସ୍ ସଂକ୍ରମଣଜନିତ‌ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ଶେଷ ଶଯ୍ୟା ନିକଟରେ ସ୍ବାମୀ ତଥା ଦୂରଦର୍ଶନର ପୂର୍ବତନ ‌ଉପନିର୍ଦ୍ଦେଶକ ସତ୍ୟରଞ୍ଜନ ମହାନ୍ତି, ଝିଅ କାରୁବାକି ମହାନ୍ତି, ଜ୍ବାଇଁ ଶୁଭଙ୍କର, ଦିଅର ଜ୍ୟୋତିରଞ୍ଜନ ମହାନ୍ତି, ସୁଦ୍ଧିରଞ୍ଜନ ମହାନ୍ତି, ବିଶ୍ବରଞ୍ଜନ ମହାନ୍ତିଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ପରେ ତାଙ୍କ ମରଶରୀରକୁ କଟକ ତୁଳସୀପୁର ବାସଭବନକୁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ‌‌ଶେଷ ଦର୍ଶନ କରିଥିଲେ। ସତୀଚଉରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ଝିଅ କାରୁବାକି ଓ ଜ୍ବାଇଁ ଶୁଭଙ୍କର ମୁଖାଗ୍ନି ଦେଇଥିଲେ।

ଆକାଶବାଣୀର ଡ୍ରାମା ଆର୍ଟିଷ୍ଟ ଭାବରେ ସେ ବହୁ ନାଟକରେ ଅଭିନୟ କରିଛନ୍ତି। ଯୁବବାଣୀ ଉପସ୍ଥାପନା ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିଲା। ସେ ଆକାଶବାଣୀ କଟକର ଶିଶୁ ସଂସାର, ନାରୀମହଲର ସବୁ ବିଭାଗରେ ପାରଦର୍ଶିତା ଦେଖାଇଥିଲେ। ପରେ ସେ ଦୂରଦର୍ଶନରେ ସ୍ଥାୟୀ ଭାବରେ ଯୋଗ ଦେଇଥିଲେ। ପ୍ରଡକ୍ସନ ଆସିଷ୍ଟାଣ୍ଟରୁ ସେ କେନ୍ଦ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀମତୀ ପାଲ୍‌ ଭୁବନେଶ୍ବର, କଟକ, ଭବାନୀପାଟଣା, ସମ୍ବଲପୁର ଆଦି ଦୂରଦର୍ଶନ କେନ୍ଦ୍ରରେ କାର୍ଯ୍ୟ କରି ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରରୁ ଉପନିର୍ଦ୍ଦେଶକ ଭାବେ ୨୦୧୬ରେ ଅବସର ଗ୍ରହଣ କରିଥିଲେ। ତୁଳସୀପୁର ଦେଉଳ ସାହିରେ ଘର କରି ସେ ପରିବାର ସହ ରହୁଥିଲେ।

ସମ୍ବନ୍ଧିତ ଖବର