ସୁକିନ୍ଦା : ମୂଳରୁ ସ୍ନାତକୋତ୍ତର ଯୋଗ୍ୟତା ନାହିଁ, କିନ୍ତୁ ଜାଲ୍‌ ସାର୍ଟିଫିକେଟ ଦେଇ ଅଧ୍ୟାପକ ଚାକିରି। ସେଥିରେ ପୁଣି ଡିଗ୍ରି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବରେ ଦୀର୍ଘ ୮ ବର୍ଷ କାର୍ଯ୍ୟ କରିଛନ୍ତି। କ୍ଷମତାର ଅପବ୍ୟବହାର କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍‌ ବି କରିଛନ୍ତି। ଏଭଳି ଅଭିଯୋଗରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଖରଡ଼ି ପଞ୍ଚାୟତ ବରଡ଼ି ଗ୍ରାମର ଅଟଳ ବିହାରୀ ବାରିକଙ୍କୁ ପୁଲିସ ଗିରଫ କରିଛି।

Advertisment

ଅଟଳ ବିହାରୀ ୨୦୦୯ ରୁ ୨୦୧୭ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ଅନ୍ତର୍ଗତ ବିରାଶାଳ ଆଞ୍ଚଳିକ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ। ମାତ୍ର, ତାଙ୍କର ପିଜି (ସ୍ନାତକୋତ୍ତର) ଯୋଗ୍ୟତା ନଥିଲା। ସେ ଛତିଶଗଡ଼ ରବିଶଙ୍କର ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିବାର ସାର୍ଟିଫିକେଟ ପ୍ରଦାନ କରି ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ନିଜର ପାରିବାପଣିଆ ସହିତ କ୍ଷମତାଶାଳୀ ନେତାଙ୍କ ସହିତ ସୁସମ୍ପର୍କ ରଖି ଅଧ୍ୟକ୍ଷ ପଦବି ହାତେଇବାରେ ସକ୍ଷମ ହୋଇଥିଲେ। ସେ ଅଧ୍ୟକ୍ଷ ଥିବା ସମୟରେ ମହାବିଦ୍ୟାଳୟର ଆଡମିସନଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନାରେ ବିଭିନ୍ନ ଅନୈତିକ ଉପାୟ ଅବଲମ୍ବନ କରିଆସୁଥିଲେ। ବହୁ ଛାତ୍ରଛାତ୍ରୀଙ୍କଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହୋଇଆସୁଥିଲା। ସଙ୍ଗୀନ ଅଭିଯୋଗ ଥିଲେ ମଧ୍ୟ ନିଜ ରାଜନୈତିକ ପ୍ରଭାବ ବଳରେ ବହୁଦିନ ଧରି କାର୍ଯ୍ୟାନୁଷ୍ଠାନକୁ ଟାଳି ଦେଇଥିଲେ।

ଅଟଳ ବିହାରୀଙ୍କ ଏହି କଳା କାରନାମା ସଂକ୍ରାନ୍ତ ଅଭିଯୋଗର ଲମ୍ବା ଫର୍ଦ୍ଦ ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ ଆଦେଶ ଅନୁଯାୟୀ କାମାକ୍ଷାନଗର ଉପଜିଲ୍ଲାପାଳ ବିରାଶାଳ ମହାବିଦ୍ୟାଳୟର ବର୍ତ୍ତମାନର ଅଧ୍ୟକ୍ଷ ଯୁଧିଷ୍ଠିର ସାହୁଙ୍କୁ ଏହି ଅନିୟମିତତା ସମ୍ପର୍କରେ ଥାନାରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଥାନାରେ ମାମଲା ରୁଜୁ ହେବାପରଠାରୁ ଅଟଳ ବିହାରୀ ଫେରାର ହୋଇଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ବିଶେଷସୂତ୍ରରୁ ଖବର ପାଇ କଙ୍କଡ଼ାହାଡ଼ ପୁଲିସ ସୁକିନ୍ଦା ଥାନାର ବରଡ଼ି ଗ୍ରାମରେ ଚଢ଼ଉ କରି ପୈତୃକ ଘରୁ ଅଟଳଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନାଯୋଗ୍ୟ ଯେ ସଂପ୍ରତି ଅଟଳ ବିହାରୀ ବାରିକଙ୍କ ପତ୍ନୀ ଖରଡ଼ି ପଞ୍ଚାୟତର ସମିତି ସଭ୍ୟା ଅଛନ୍ତି।