ଭବାନୀପାଟଣା : ଇଗନୋ ସୁପରିଟେଣ୍ଡେଣ୍ଟ ପଦରୁ ପୂର୍ବ ଅଧ୍ୟକ୍ଷ ହଟିଲେ, ଡ଼ଃ ସୁବ୍ରତ କୁମାର ପାଣିଗ୍ରାହୀ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ନିଯୁକ୍ତ

ସମ୍ବାଦ ପ୍ରଭାବ

ଭବାନୀପାଟଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଇଗନୋ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ କୋଡ଼ିନେଟର ଦାୟିତ୍ୱରେ ଥିବା ପୂର୍ବଅଧ୍ୟକ୍ଷଙ୍କୁ ଆଜି ଆଞ୍ଚଳିକ ନିର୍ଦ୍ଦେଶକ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସମ୍ବାଦରେ ଏନେଇ ଖବର ପ୍ରକାଶ ପରେ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ପଦକ୍ଷେପ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇ ଗତ ଜାନୁଆରୀ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ । ସେ କେନ୍ଦ୍ରର କୋଡ଼ିନେଟର ଓ ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ତୁଲାଉଥିଲେ । ଆଜି ସମ୍ବାଦରେ ପୂର୍ବଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କୁ ହଟେଇବା ପାଇଁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଚିଠି ଲେଖିବା ଘଟଣା ସମ୍ବାଦରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଆଞ୍ଚଳିକ ନିର୍ଦେଶକ ଡ଼ଃ ବି. ରାଜଗପାଳଙ୍କ ପକ୍ଷରୁ ଦାୟିତ୍ୱରେ ଥିବା ଡ଼ଃ ସୁବ୍ରତ କୁମାର ପାଣିଗ୍ରାହୀଙ୍କୁ ସହକାରୀ କୋଡିନେଟର ଓ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଅନ୍ୟ ପକ୍ଷରେ ପୂର୍ବଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କୁ ଇଗନୋର ସମସ୍ତ ଦାୟିତ୍ୱରୁ ହଟାଯାଇଛି । ସେହିଭଳି ଡ଼ଃ ସୁବ୍ରତ କୁମାର ପାଣିଗ୍ରାହୀ ଇଗନୋର ସମସ୍ତ ପରୀକ୍ଷା ଦାୟିତ୍ୱ ତୁଲାଇବେ ବୋଲି ବର୍ତ୍ତମାନର ଅଧ୍ୟକ୍ଷ ପଦ୍ମଲୋଚନ ଭୁଏଙ୍କୁ ଇମେଲ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି । ବହୁ ଦିନରୁ ଚାଲିଥିବା ଆଶା ଆଶଙ୍କା ନେଇ ଅବସାନ ଘଟିଛି । ଏ ନେଇ ଆଞ୍ଚଳିକ ନିର୍ଦେଶକଙ୍କୁ ପଚାରିବାରୁ ଡ଼ଃ ସୁବ୍ରତ କୁମାର ପାଣିଗ୍ରାହୀଙ୍କୁ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ପ୍ରଦାନ କରାଯାଇଛି । ପରୀକ୍ଷା ସ୍ଵାଭାବିକ ହେବ ବୋଲି କହିଥିଲେ ।

ସୂଚନା ଯୋଗ୍ୟ ଯେ, ଭବାନୀପାଟଣା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇ ଅବସର ପରେ ପଦ୍ମଲୋଚନ ଭୁଏ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ । ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଅବସର ପ୍ରାପ୍ତ ପୂର୍ବ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କୁ ଇଗନୋ ଷ୍ଟଡି ସେଣ୍ଟରର କୋଡ଼ିନେଟର ପଦରୁ ହଟାଇବା ପାଇଁ ଚିଠି ନଂ ୮୩୦ ତା ୧୩.୩.୨୦୨୦ରେ କୋରାପୁଟ ସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ରାଜଗପାଳ ରାଓଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଆଞ୍ଚଳିକ ନିର୍ଦ୍ଦେଶକ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ପ୍ରଦବୀରୁ ହଟାଇ ନଥିଲେ । ଏନେଇ ଅଧ୍ୟକ୍ଷ ଚିଠି ନଂ ୧୯୯୨ ତା ୧୧.୯.୨୦୨୦ରେ ପୁର୍ନବାର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଚିଠି ଯୋଗେ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କୁ ହଟାଇ ନୂତନ କୋଡିନେଟର ଓ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ନିଯୁକ୍ତି ପାଇଁ ଚିଠି ଲେଖିଥିଲେ। ତଥାପି କୋଡିନେଟର ପଦବୀ ପରିବର୍ତ୍ତନ ନହେବା ଯୋଗୁଁ ଅଧ୍ୟକ୍ଷ ତାଙ୍କ ଚିଠି ନଂ ୧୯୯୬ ତା ୧୪.୯.୨୦୨୦ରେ ଇଗନୋର ରେଜିଷ୍ଟାରଙ୍କୁ ଚିଠି ଯୋଗେ ଅବଗତ କରିଥିଲେ । ବର୍ତ୍ତମାନ ବାରମ୍ବାର ଅଧ୍ୟକ୍ଷଙ୍କ ଚିଠି ସତ୍ତ୍ୱେ କୋଡିନେଟର ପରିବର୍ତ୍ତନ ହେବା ଯୋଗୁଁ ଅଧ୍ୟାପକମାନେ ଅସହଯୋଗ କରିବା ନେଇ ଚେତାବନୀ ଦେଇଥିଲେ । ଫଳରେ ଆସନ୍ତା ସେପ୍ଟେମ୍ବର ୧୭ରେ ହେବାକୁ ଥିବା ଇଗନୋ ପରୀକ୍ଷା ନେଇ ଆଶା ଆଶଙ୍କା ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର