ବ୍ରହ୍ମପୁର: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ପ୍ରବୀଣ ରାଜନୀତି ବିଜ୍ଞାନ ବିଶାରଦ, ଉତ୍କଳ ସମ୍ମିଳନୀର ବରିଷ୍ଠ ସଦସ୍ୟ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍ ହରିହର ଦାଶ (୮୨) ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଗିରିରୋଡ଼ ସ୍ଥିତ ନିଜସ୍ବ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ କରୋନାରୁ ସୁସ୍ଥ ହୋଇ ଗତକାଲି ଘରକୁ ଫେରିଥିଲେ। ହେଲେ ବିଳମ୍ବିତ ରାତିରେ ହଠାତ୍ ହୃଦ୍ଘାତ ଯୋଗୁଁ ଗାଧୁଆ ଘରେ ହିଁ ଟଳି ପଡ଼ିଥିଲେ। ତାଙ୍କ ବିୟୋଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ପ୍ରାଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସମେତ ସାହିତ୍ୟିକ, ସଂଗଠକ, ଶିକ୍ଷାବିତ୍ ଓ ଗବେଷକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ପଢ଼ାଳରେ ୧୯୩୮ ମସିହା ଡିସେମ୍ବର ୭ତାରିଖରେ ଜନ୍ମିତ ଦିବଙ୍ଗତ ପ୍ରଫେସର ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୧୯୭୧ ମସିହାରେ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୭୮ ମସିହାରେ ପ୍ରଫେସର୍ ଭାବେ ପଦୋନ୍ନତି ପାଇଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସେ ବେଶ୍ ପରିଚିତ ଥିଲେ। ତାଙ୍କ ମାର୍ଗଦର୍ଶନରେ ବହୁ ଛାତ୍ରଛାତ୍ରୀ ରାଜନୀତି ବିଜ୍ଞାନରେ ଗବେଷଣା କରି ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ। ଏହାସହ ସେ ୧୯୮୮ ମସିହା ଜୁନ୍ ୧ ତାରିଖରୁ ୧୯୮୯ ମସିହା ମେ ୩୧ ତାରିଖ ପର୍ଯ୍ୟନ୍ତ ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ଏବଂ ୧୯୯୨ ମସିହା ଓ ୧୯୯୫ ମସିହାରେ ୨ଥର କୁଳପତି ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୯୮ରେ ଚାକିରିରୁ ଅବସର ନେଇଥିଲେ। ଦୀର୍ଘ ୨୭ ବର୍ଷ ଧରି ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରିବା ପରେ ପୁଣି ସିଣ୍ଡିକେଟ୍ ସଦସ୍ୟ ଭାବେ ଭୂମିକା ନିର୍ବାହ କରିଥିଲେ।
ସେ କେବଳ ରାଜନୀତି ବିଜ୍ଞାନ ବିଶାରଦ ନଥିଲେ, ଜଣେ ସୁସାହିତ୍ୟିକ, ପ୍ରାବନ୍ଧିକ, ବାଗ୍ମୀ, ଅନନ୍ୟ ସାରସ୍ବତ ସ୍ରଷ୍ଟା ଓ ସ୍ବାଭିମାନୀ ବ୍ୟକ୍ତିତ୍ବ ଭାବେ ରାଜ୍ୟରେ ପରିଚିତ ଥିଲେ। ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ପ୍ରତିଜ୍ଞାବଦ୍ଧ ହୋଇ କାର୍ଯ୍ୟ କରି ଆସୁଥିଲେ। ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରେ ପ୍ରଚଳିତ ଅନେକ ପୁସ୍ତକ ରଚନା କରିଥିଲେ, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉପାଦେୟ ସାବ୍ୟସ୍ତ ହୋଇଛି। ୧୯୬୮ରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘କ୍ରାନ୍ତିକାରୀ ଜୀବନର ଉପକଥା’ ପ୍ରକାଶିତ ହୋଇଥିଲା। ୨୦୧୦ ପର୍ଯ୍ୟନ୍ତ ସମୁଦାୟ ୧୪ଟି ଗଳ୍ପ, ସାହିତ୍ୟ, କବିତା ଓ ଉପନ୍ୟାସ ପୁସ୍ତକ ରଚନା କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଫେସର ଦାଶଙ୍କ ବିୟୋଗରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଓଡ଼ିଶା ବିଧାନସଭା ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ପୂର୍ବତନ ବିଧାୟକ ଡା.ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର. ବିଶିଷ୍ଟ କବି ଦିଲୀପ ଦାସ ଏବଂ ବହୁ ଶିକ୍ଷାବିତ୍ ଗଭୀର ଶୋକ ପ୍ରକଟ କରିଛନ୍ତି। ଗଞ୍ଜାମ ଜିଲ୍ଲା ଜଣେ ବିଶିଷ୍ଟ ରାଜନୀତିଜ୍ଞ ଓ ଯୋଗ୍ୟ ସନ୍ତାନକୁ ହରାଇଲା, ଏହା ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/sf654h9sf798sfh798fhsfshfshsfhsfhsfh.jpg)