ପୂର୍ବତନ କୁଳପତିଙ୍କୁ ହତ୍ୟା, ଦୁର୍ବୃତ୍ତ ଆକ୍ରମଣରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାଏକ ନିହତ

ଝାରସୁଗୁଡ଼ା : ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ଧ୍ରୁବରାଜ ନାଏକ(୮୩ବର୍ଷ)ଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ରବିବାର ଅପରାହ୍‌ଣ ପ୍ରାୟ ୨ଟାରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ କୁଅଁରମାଲ ଗ୍ରାମସ୍ଥିତ ତାଙ୍କ ବାସଭବନରେ ଏହି ଅଘଟଣ ଘଟିଛି। ଜଣେ ଦୁର୍ବୃତ୍ତ ଘରେ ପଶି ଗଣ୍ଡଗୋଳ କରିବା ସହିତ ଘର ସାମନାରେ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଲଇକେରା ମୁଦ୍ରାଜୋରଠାରେ ଥିବା ସିଏଚ୍‌ସିକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଝାରସୁଗୁଡ଼ାସ୍ଥିତ ସମଲେଶ୍ବରୀ ହସ୍‌ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ଶୋକର ଛାୟା ଖେଳିଯାଇଛି।

ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଦେଇଥିବା ସୂଚନା ଅନୁଯାୟୀ ମଧ୍ୟାହ୍ନରେ ଡ. ଧ୍ରୁବରାଜ ନାଏକ ଘରେ ନଥିଲେ। ଏହି ସମୟରେ ସର୍ଗିଡିହି, କୁଆଁରମାଲର ଜଣେ ଯୁବକ ପ୍ରବୀଣ ଧରୁଆ ଏକ ଟାଙ୍ଗିଆ ଧରି ତାଙ୍କ ଶୋଇବା ଘର ପର୍ଯ୍ୟନ୍ତ ପଶିଯାଇଥିଲା। ଘରେ ତାଙ୍କ ପତ୍ନୀ, ଝିଅ ଓ ଜ୍ବାଇଁ ଥିଲେ। ସେତିକିବେଳେ ଧ୍ରୁବରାଜ ଘରେ ପହଞ୍ଚିଥିଲେ। ଯୁବକକୁ ଘରେ ଦେଖି ବାହାର କରିଦେଇଥିଲେ। ବାହାରେ ବି ଯୁବକ ଜଣକ ପାଟିତୁଣ୍ଡ କରିଥିଲା। ବାହାରକୁ ଯାଇ ଧ୍ରୁବଚରଣ ପଚାରିବାରୁ ଯୁବକ ଜଣକ ହଠାତ୍‌ ଟାଙ୍ଗିଆରେ ତାଙ୍କ ବେକକୁ ଏକ ଚୋଟ ମାରିଥିଲା। ସେଠାରେ ହିଁ ଧ୍ରୁବରାଜ ଟଳି ପଡ଼ିଥିଲେ।

ଘଟଣାପରେ ପରେ ପୁଲିସ ଓ ଜଙ୍ଗଲ ସାଥୀ ଜଙ୍ଗଲ ଭିତରୁ ଅଭିଯୁକ୍ତ ପ୍ରବୀଣକୁ ଧରିଥିଲେ। ଏ ନେଇ ଲଇକେରା ଥାନାରେ ୧୫୯ ନମ୍ବର କେସ୍‌ରେ ଏକ ହତ୍ୟା ମାମଲା ଦାୟର ହୋଇଛି। ପୂର୍ବରୁ ଜମି ଗଣ୍ଡଗୋଳ, ଗ୍ରାମ୍ୟ ବିବାଦ ନେଇ ଥାନାରେ ଅଭିଯୋଗ ମଧ୍ୟ ଥିଲା। ପୋଖରୀକୁ ନେଇ ମଧ୍ୟ କିଛି ବିବାଦ ଥିଲା। ବିଭିନ୍ନ କଥା ଶୁଣାଯାଉଥିବାରୁ ଏ ସବୁ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ ‌ହୋଇଥିବା ଏସ୍‌ପି ଶ୍ରୀ ଦାଶ ସୂଚନା ଦେଇଛନ୍ତି। ତେବେ, ମାଛ ଚୋରି ବିବାଦରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଧ୍ରୁବରାଜ ତିନି ବର୍ଷ ପୂର୍ବରୁ ଘର ନିକଟରେ ଥିବା ନିଜର ପୋଖରୀକୁ ଲିଜ ଆକାରରେ କାଙ୍କମାଲ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ। ସର୍ଗିଗୁଡା ଗ୍ରାମର ପ୍ରବୀଣଙ୍କ ସମେତ କିଛି ବ୍ୟକ୍ତି ନିୟମିତ ଭାବରେ ଉକ୍ତ ପୋଖରୀରୁ ମାଛ ଚୋରି କରୁଥିଲେ। ଏହାକୁ ନେଇ ଲିଜ ନେଇଥିବା ବ୍ୟକ୍ତି ଓ ପ୍ରବୀଣଙ୍କ ମଧ୍ୟରେ କଥା କଟାକଟି ହେଉଥିଲା। ୧୫ ଦିନ ପୂର୍ବରୁ ଲିଜ୍‌ ନେଇଥିବା ବ୍ୟକ୍ତି ପ୍ରବୀଣ ନାମରେ ଲଇକେରା ଥାନାରେ ଅଭିଯୋଗ କରିଥିଲେ। ପ୍ରବୀଣ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ଉକ୍ତ ଅଭିଯୋଗରେ ଜେଲ ଯାଇ କିଛି ଦିନ ରହିବା ପରେ ଜାମିନ୍‌ରେ ଗ୍ରାମକୁ ଫେରିଥିଲେ। ଧ୍ରୁବରାଜଙ୍କ ଯୋଗୁଁ ସେମାନେ ଜେଲ ଯାଇଥିବା ଅଭିଯୋଗ କରି ତାଙ୍କ ଉପରେ ରାଗ ରଖିଥିଲେ। ପ୍ରବୀଣ ଆଜି ଧ୍ରୁବରାଜଙ୍କ ଘରେ ପଶିଯାଇଥିଲା। ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲା।

ତା’ ପରେ ଟାଙ୍ଗିଆରେ ଚୋଟ ମାରିଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ଏହି ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ବାଞ୍ଛାନିଧି ସାହୁ, ପ୍ରେମସେନ ରାୟ, ନିଶିକାନ୍ତ ପଟେଲ ସନ୍ଧ୍ୟାରେ ଡ. ନାଏକଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ। ଶତାଧିକ ବ୍ୟକ୍ତି, ବନ ବିଭାଗର ଅଧିକାରୀଙ୍କ ସମେତ ମା ଅନ୍ଧାରୀ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ପହଞ୍ଚି ଶେଷ ଦର୍ଶନ କରିଥିଲେ। ରାତିରେ ସ୍ଥାନୀୟ ନଦୀ କୂଳରେ ତାଙ୍କର ଅନ୍ତିମ ସତ୍କାର ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଡ. ଧ୍ରୁବରାଜ ନାଏକ ୧୯୩୮ ମସିହା ଜୁନ୍‌ ୧୨ ତାରିଖ ଦିନ ପିତା ସ୍ବର୍ଗତ ହେମସାଗର ନାଏକ ଓ ମାତା ସ୍ବର୍ଗତା ଲାବଣ୍ୟ ଦେବୀଙ୍କ ଔରସରୁ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କୁଅଁରମାଲ ଠାରେ ଜନ୍ମଗ୍ରହଣ କରିଥିଲେ। ଝାରସୁଗୁଡ଼ା ମନମୋହନ ଏମ୍‌ଇ ସ୍କୁଲ, ସୁନ୍ଦରଗଡ଼ ଭବାନୀଶଙ୍କର ହାଇସ୍କୁଲରେ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ। ଗଙ୍ଗାଧର ମେହେର କଲେଜରୁ ୧୯୬୦ ରେ ବିଏସ୍‌ସି, ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟରୁ ୧୯୬୨ରେ ଏମ୍‌ଏସ୍‌ସି ପାସ୍‌ କରିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲେ। ୧୯୬୨ରୁ ୧୯୭୩ ପର୍ଯ୍ୟନ୍ତ ସେ ଓଡ଼ିଶା ସରକାରଙ୍କ ଶିକ୍ଷାସେବାରେ ଅଧ୍ୟାପକ, ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ୧୯୭୩ ରୁ ୧୯୯୮ ଉତ୍କଳ ବିଶ୍ବ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ ପ୍ରଫେସର। ୧୯୭୯ ରୁ ୧୯୮୦  ମସିହାରେ ସେ ବିଶ୍ବ ବିଦ୍ୟାଳୟ ଅନୁଦାନ ବୃତ୍ତିରେ ଆମେରିକାର ନର୍ଥ କେରୋଲାଇନା ବିଶ୍ବ ବିଦ୍ୟାଳୟରେ ପରିଦର୍ଶକ ବୈଜ୍ଞାନିକ ଭାବରେ ଗବେଷଣା କରିଥିଲେ। ୧୯୯୦ ରୁ ୯୨ ପର୍ଯ୍ୟନ୍ତ ସେ ଟୋକିଓର ଜିଜେଇ ବିଶ୍ବ ବିଦ୍ୟାଳୟରେ ପରିଦର୍ଶକ ପ୍ରଫେସର ଦାୟିତ୍ବ ନିର୍ବାହ କରିଥିଲେ। ୧୯୯୦ ରୁ ୯୨ ଉତ୍କଳ ବିଶ୍ବ ବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୯୮ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳପତି ଦାୟିତ୍ବ ନିର୍ବାହ କରି ଅବସର ଗ୍ରହଣ କରିଥିଲେ।

ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଥିବା ସମୟରେ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ସମେତ ସାମଗ୍ରିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଜବରଦଖଲ ରୋକିବା ଉଦ୍ଦେଶ୍ୟରେ ବିଶ୍ବବିଦ୍ୟାଳୟ ପରିସରରେ ପାଚ‌େରି ନିର୍ମାଣ କରାଇଥିଲେ। ବିଶ୍ବବିଦ୍ୟାଳୟରେ ସ୍ବଭାବ କବି ଗଂଗାଧର ମେହେରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଇଥିଲେ। ଏହା ବ୍ୟତୀତ କବି ଗଂଗାଧର ମେହେର ସାହିତ୍ୟ କୃତିଗୁଡ଼ିକର ଇଂରାଜୀ ଅନୁବାଦ କରାଇ ପ୍ରକାଶନ କରିଥିଲେ। ଏହା ଛଡ଼ା ଅନେକ ଉପାଦେୟ ଗ୍ରନ୍ଥ ବିଶ୍ବବିଦ୍ୟାଳୟ ତରଫରୁ ତଥା ବ୍ୟକ୍ତିଗତ ଭାବରେ ପ୍ରକାଶନ କରାଇଥିଲେ। ଅନ୍ଧାରୀ ଜଙ୍ଗଲ ସଂରକ୍ଷଣ ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ଯାହାକି ପାଠ୍ୟ ପୁସ୍ତକ ଭାବରେ ସ୍ଥାନ ପାଇଛି। ‘ଅନ୍ଧାରୀ ଚିନ୍ତାରୁ ଧରିତ୍ରୀ ଚିନ୍ତା’ ଓ ‘ଅନ୍ଧାରୀ ଭାଗବତ’ ଶୀର୍ଷକ ଦୁଇଟି ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ପରିବେଶ ସୁରକ୍ଷା ତଥା କୃଷି ପାଇଁ ୨୦୧୨-୧୩ରେ ପ୍ରକୃତି ମିତ୍ର ପୁରସ୍କାର ଏବଂ କୃତୀ କୃଷକ ସମ୍ମାନ ଲାଭ କରିଥିଲେ। ଏହାଛଡ଼ା ୨୦୧୭ରେ ବିଜ୍ଞାନ କ୍ଷେତ୍ରରେ ‌ବିଶେଷ ଅବଦାନ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମି ପୁରସ୍କାର ଓ ପରିବେଶ ସଂରକ୍ଷଣ ପାଇଁ ଓଡ଼ିଶା ପରିବେଶ ସମିତି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର