ବ୍ରହ୍ମପୁର : ସରକାରୀ ଅର୍ଥ ‌‌ହେର୍‌ଫେର୍‌ ମାମଲାର ଶୁଣାଣି କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଆବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ବରର ପୂର୍ବତନ ମୁଖ୍ୟ ବିତ୍ତ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ହେଉଛନ୍ତି ପ୍ରକାଶ ଚନ୍ଦ୍ର ମହାନ୍ତି। ଏହା ସହିତ ୭ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଦେଇଛନ୍ତି।

Advertisment

ସୂଚନା ଅନୁସାରେ ଗତ ୧୯୯୬ ସେପ୍ଟେମ୍ବରରୁ ୧୯୯୬ ଡିସେମ୍ବର ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସ୍କୁଲକୁ ଆଲମିରା ଯୋଗାଇବା ପାଇଁ ଟେଣ୍ଡର୍‌ ଦିଆ ଯାଇଥିଲା। ବ୍ରହ୍ମପୁରର ଏକ ସଂସ୍ଥାକୁ ଟେଣ୍ଡର୍‌ ମିଳିଥିଲା। ଏଥିପାଇଁ ସେମାନଙ୍କୁ ପ୍ରାୟ ୨୬ଲକ୍ଷ ୬୬ହଜାର ଟଙ୍କା ମଂଜୁର କରା ଯାଇଥିଲା। ବିଭିନ୍ନ ସ୍ଥାନକୁ ଏହି ସଂସ୍ଥା ଆଲମିରା ଯୋଗାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି ଆଲମିରା ନିମ୍ନମାନର ବୋଲି ଜଣାପଡ଼ିଥିଲା। ଏଣୁ ଭିଜିଲାନ୍ସ ବିଭାଗ ୧୯୯୮ ଏପ୍ରିଲ୍‌ ମାସରେ ସରକାରୀ ଅର୍ଥ ହେରଫେର୍‌ ଅଭିଯୋଗରେ କେସ୍ ନମ୍ବର ୧୯/୯୮ରେ ମୋଟ ୫ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ସେମାନେ ହେଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ କାହ୍ନୁ ଚରଣ ମାଝୀ, ସିନିୟର୍‌ ଆସିଷ୍ଟାଣ୍ଟ୍‌ ଅଲେଖ ଚରଣ ବେହେରା, ମୁଖ୍ୟ ବିତ୍ତ ଅଧିକାରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଓ ଟେଣ୍ଡର୍‌ ନେଇଥିବା ସଂସ୍ଥାର ମାଲିକ ଦମ୍ପତି ସୁରେଶ ଚନ୍ଦ୍ର ପାଢ଼ୀ ଏବଂ ଅନୁପମା ପାଢ଼ୀ।

ସମ୍ପୃକ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରାୟ ୫ଲକ୍ଷ ୨୭ହଜାର ଟଙ୍କା ହେର୍‌ଫେର୍‌ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ କୋର୍ଟରେ ଚାର୍ଜଫ୍ରେମ୍‌ ବେଳେ ପାଢ଼ୀ ଦମ୍ପତିଙ୍କୁ ଏହି ମାମଲାରୁ ବାଦ୍‌ ଦିଆଯାଇଥିଲା। ୩ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇ ମାମଲାର ବିଚାରଣା ଆରମ୍ଭ ହୋଇଥିଲା। ବିଚାରଣା ଚାଲିଥିବା ସମୟରେ ଉପନିର୍ଦ୍ଦେଶକ ମାଝୀ ଓ ସିନିୟର୍‌ ଆସିଷ୍ଟାଣ୍ଟ୍‌ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାର ବିଚାରଣା ବେଳେ ୨୬ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଉପଯୁକ୍ତ ପ୍ରମାଣ ଥିବାରୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦମା ପରିଚାଳନା କରିଥିଲେ।