ଲଇକେରା : ଅଗଷ୍ଟ ମାସରେ ଆବଶ୍ୟକତାଠ‌ାରୁ ବହୁ କମ୍‌ ବର୍ଷା ହୋଇଛି। ବର୍ଷା ଅଭାବ ଯୋଗୁଁ ରୁଆ ଓ ବୁଣା ଧାନ ମରିବାକୁ ବସୁଲାଣି। ପ୍ରଚଣ୍ଡ ଖରା ଯୋଗୁଁ ଜମି ଫାଟି ଆଁ କରିଛି। କିପରି ଋଣ ଶୁଝିବେ, ପରିବାର ଚଳେଇବେ ବୋଲି ଚିନ୍ତାରେ ଅଛନ୍ତି। ବର୍ଷା ନ ହେଲେ ଧାନ ସବୁ ମରିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସବୁଆଡ଼ୁ ହତାସ ହୋଇ ଚାଷୀ ଏବେ ଗାଁ ଗାଁରେ ଇନ୍ଦ୍ର ପୂଜା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ୍‌ ଠାକୁରପଡ଼ା ଗାଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ସପତ୍ନୀକ, ଭାଇ କ୍ଷୀରୋଦ ଚନ୍ଦ୍ର ବିଶ୍ୱାଳ ଓ ଗ୍ରାମବାସୀ ଏକତ୍ରିତ ହୋଇ ଇନ୍ଦ୍ର ଦେବତାଙ୍କୁ ପୂଜା କରିଛନ୍ତି।

Advertisment

ଏହି ଅବସରରେ ଶ୍ରୀ ବିଶ୍ୱାଳ କହିଛନ୍ତି, ଅଗଷ୍ଟ ମାସରେ ବହୁତ କମ ବର୍ଷା ହୋଇଛି। ଅଗଷ୍ଟ ମାସର ରିପୋର୍ଟକୁ ଆଧାର କରି ଏବେଠାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମରୁଡ଼ି ଗ୍ରସ୍ତ ଘୋଷଣା କଲେ ମଧ୍ୟ କୌଣସି ବାଧା ନାହିଁ। ପରବର୍ତ୍ତୀ ସମୟରେ ଯାହା ଆବଶ୍ୟକ ତାହା ସଂଗ୍ରହ କରିବାର କଥା। କିନ୍ତୁ ଆଗରୁ ଘୋଷଣା କରି ଦେବା କଥା। ସରକାର ଆନୁଷଙ୍ଗିକ ସାହାଯ୍ୟ ମଧ୍ୟ ଲୋକଙ୍କୁ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଧାରା ଶ୍ରାବଣ ସରିଗଲା, ଭାଦ୍ରବ ବି ଆସିଲା ହେଲେ ୨ ମାସ ହେବ ବର୍ଷା ଉଭାନ ହୋଇଯାଇଛି। ବର୍ଷା ଅଭାବ ଯୋଗୁଁ ଏବେ ଜମି ଫାଟି ଆଁ କରିଛି ଓ କେତେକ ସ୍ଥାନରେ ଧାନ ମରିଯାଉଛି। ଯାହାକୁ ଦେଖି ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଓ ଜଳାଭାବ ଯୋଗୁଁ ଧାନ ହଳଦିଆ ହୋଇ ମରିବାକୁ ବସୁଛି। ହଜାର ହଜାର ଟଙ୍କା ଦେଇ ଉନ୍ନତ କିସମର ବିହନ ଚାଷ କରିଥିବା ଚାଷୀ ଏବେ ଆଶା ଓ ଆଶଙ୍କା ମଧ୍ୟରେ ଅଛନ୍ତି।