ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେଉ

ଭୁବନେଶ୍ବର : ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ପ୍ରତିଷ୍ଠା କରାଯାଉ। ସ୍ବର୍ଗତ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛି କଂଗ୍ରେସ ସେବା ଦଳ।

ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଜୟନ୍ତୀ ଉତ୍ସବ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସ୍ବର୍ଗତ ଜାନକୀ ବାବୁଙ୍କ ମୁଖ୍ୟମନ୍ତ୍ରୀଙ୍କତ୍ବ ସମୟରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଷ୍ଟି ଦେଇଥିଲେ। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଶିଳ୍ପ, କୃଷି, ଜଳସେଚନ ପ୍ରଭୃତି କ୍ଷେତ୍ରରେ ରାଜ୍ୟ ଉନ୍ନତିର ଶୀର୍ଷରେ ପହଞ୍ଚିଥିଲା। ‌ଓଡ଼ିଶାକୁ ଦେଶର ୧ନମ୍ବର ରାଜ୍ୟଭାବେ ପ୍ରତିଷ୍ଠା କରିବା ପାଇଁ ସେ ତାଙ୍କର ସମସ୍ତ ଶକ୍ତି ଖଟାଇ ଦେଇଥିଲେ। ଏଭଳି ଜଣେ ଯଶସ୍ବୀ ଜନନେତାଙ୍କ ଜୀବନୀ ବିଷୟରେ ଯୁବପିଢ଼ି ଅବଗତ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଥିଲେ, ସ୍ବର୍ଗତ ପଟ୍ଟନାୟକ କେବଳ ଜଣେ ରାଜନେତା ନ ଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟକୁ ବିଶ୍ବରେ ପହଞ୍ଚାଇବା ପାଇଁ ତାଙ୍କ ଉଦ୍ୟମର ପଟାନ୍ତର ନାହିଁ। ଏଭଳି ଜଣେ ମହାନ ଜନନେତାଙ୍କ ପ୍ରତିମୂର୍ତି ଆଜି ପର୍ଯ୍ୟନ୍ତ ରାଜଧାନୀରେ ପ୍ରତିଷ୍ଠା ନ ହେବା ଅତ୍ୟନ୍ତ ଲଜ୍ଜାର ବିଷୟ। ବିଧାନସଭାରେ ସ୍ବର୍ଗତ ପଟ୍ଟନାୟକଙ୍କ ଏକ ପ୍ରତିମୂର୍ତି ପ୍ରତିଷ୍ଠା ପାଇଁ ବାଚସ୍ପତିଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି ଶ୍ରୀ ସେଠୀ କହିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ ହଜାର ଦିନରେ ହଜାର କୋଟିରେ ହଜାର ଶିଳ୍ପର ଆହ୍ବାନ ଦେଇ ଜାନକୀ ବାବୁ ଏହାକୁ କାର୍ଯ୍ୟକାରୀ କରିଥିଲେ। ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ କହିଥିଲେ, ସାଧାରଣ ଓଡ଼ିଆ ଭାଷାରେ ଜାନକୀ ବାବୁ ଭାଗବତ, ମହାଭାରତ ଓ ରାମାୟଣକୁ କଥା ଆକାରରେ ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।

ପ୍ରାରମ୍ଭରେ ସ୍ବର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟ ସୁନ୍ଦର ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଂଜନ ଦାଶ, ବିଶ୍ବଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ସଞ୍ଜୀବ ମହାନ୍ତି, ଆଲୋକ ମହାନ୍ତି, ଏମ୍‌ଡି ସାହାଦୁଲ୍ଲା, ନିରଞ୍ଜନ ଲେଙ୍କା, କୁଳମଣି ସାହୁ, ତାପସ ସେଠୀ, ସୁଶାନ୍ତ ମହାରଣା, ଖଗେଶ୍ବର ମଲ୍ଲିକ ଓ ପ୍ରସନ୍ନ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର