ଭୁବନେଶ୍ୱର : ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍‌ ଅଧିକାରୀ ବି.ଭେଙ୍କଟରମଣଙ୍କ ଦିଲ୍ଲୀସ୍ଥିତ ଆପୋଲା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ୧୯୫୦ ମସିହା ବ୍ୟାଚର ଏହି ପୂର୍ବତନ ପ୍ରଶାସକ ଓଡ଼ିଶାର ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସହିତ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ଏବଂ ଗୃହ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୮୦ ମସିହା ଫେବ୍ରୁଆରି ମାସରେ ସେ ୧ ମାସ ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ଏହାସହିତ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଭାବେ ସ୍ବର୍ଗତ ଭେଙ୍କଟରମଣ କାର୍ଯ୍ୟ କରିଥିଲେ।

Advertisment

ଓଡ଼ିଶାରେ ତାଙ୍କ କାର୍ଯ୍ୟକାଳ ସମୟରେ ଭୁବନେଶ୍ବର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ତାଳପତ୍ର ସଂରକ୍ଷଣ, ଲକ୍ଷ୍ମଣେଶ୍ବର, ଶତ୍ରୁଘ୍ନେଶ୍ବର, ଓ ଭରତେଶ୍ବର ଭଳି ପୁରାତନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ପାଇଁ ସେ ପଦକ୍ଷେପ ନେଇଥିଲେ। ଫୁଲବାଣୀ ସହରକୁ ପାନୀୟ ଜଳ ଯୋଗାଣ ଓ କେନ୍ଦୁଝର କଲେଜ୍‌ ପ୍ରତିଷ୍ଠା କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଚୋଳ କଳା ଇତିହାସ ଓ ମନ୍ଦିର ଉପରେ ଗବେଷଣା କରି ସେ ଅନେକ ପୁସ୍ତକ ରଚନା କରିଛନ୍ତି। ଓଡ଼ିଶାର କଳା, ସଂସ୍କୃତି ଓ ଇତିହାସ ପ୍ରତି ତାଙ୍କର ଗଭୀର ଅନୁରକ୍ତି ଥିଲା।