ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଛି । ଏ ସମ୍ପର୍କରେ ତାଙ୍କ ଝିଅ ସୁନୀତା  ସୂଚନା ଦେଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୭ ଡିସେମ୍ବର ୧୯୮୯ରୁ ୫ ମାର୍ଚ୍ଚ ୧୯୯୦ ଏବଂ ୬ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୯ରେ ସୁନ୍ଦରଗଡ଼ର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶାର ପ୍ରଥମ ଅନୁସୂଚିତ ଜନଜାତି ବର୍ଗର ମୁଖ୍ୟମନ୍ତ୍ରୀ ଥିଲେ ।

ସମଗ୍ର ଦେଶରେ ଜଣେ ଅଗ୍ରଣୀ ଆଦିବାସୀ ନେତା ରୂପେ ପରିଚିତ ହେମାନନ୍ଦ ବିଶ୍ୱାଳ ୧୯୩୯ ମସିହା ଡିସେମ୍ବର ୧ ତାରିଖରେ ଅଧୁନା ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଠାକୁରପଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ I କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ପଶ୍ଚିମ ଓଡ଼ିଶାର ଏହି ଟାଣୁଆ କଂଗ୍ରେସ ନେତା ମୋଟ ୨ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ I

ଶିକ୍ଷକତା ବୃତ୍ତିକୁ ଛାଡି ରାଜନୀତିରେ ପାଦ ଥାପିବା ପରେ ୧୯୬୭ ଓ ୧୯୭୧ରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ I ୧୯୭୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ୧୯୭୪ରେ ଲଇକେରା ସଂରକ୍ଷିତ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ I ଏହାପରେ ୧୯୮୦ରୁ କ୍ରମାଗତ ୫ ଥର ଏହି ଆଦିବାସୀ ବହୁଳ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରି ସେ ଜଣେ ଅପ୍ରତିଦ୍ବନ୍ଦୀ ନେତା ରୂପେ ପ୍ରତିଷ୍ଠା ଲାଭ କରିଥିଲେ I ଏପରିକି ୧୯୯୦ ମସିହା ବିଧାନସଭା ନିର୍ବାଚନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ଆଗରେ କଂଗ୍ରେସ ଦଳ ଧରାଶାୟୀ ହୋଇଯାଇଥିବା ବେଳେ ହେମାନନ୍ଦ ବିଶ୍ୱାଳ ତାଙ୍କ ସ୍ଥିତି ବଜାୟ ରଖିଥିଲେ।

ଶପଥ ଗ୍ରହଣ କରୁଛନ୍ତି ହେମାନନ୍ଦ ବିଶ୍ବାଳ

ସେହିପରି ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ଆଗରେ କଂଗ୍ରେସର ଅନେକ ବରିଷ୍ଠ କଂଗ୍ରେସ ନେତା ପରାଜୟ ବରଣ କରିଥିଲେ ହେଁ ଲଇକେରାରେ କଂଗ୍ରେସ ପତାକା ଉଡାଇବାରେ ଶ୍ରୀ ବିଶ୍ୱାଳ ସକ୍ଷମ ହୋଇଥିଲେ I କଂଗ୍ରେସ ସରକାରର ସଂକଟ ସମୟରେ ଦଳୀୟ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ଲାଗି କଂଗ୍ରେସର ତତ୍କାଳୀନ ଶୀର୍ଷ ନେତୃତ୍ୱ ହେମାନନ୍ଦଙ୍କୁ ୧୯୮୯ ଓ ୧୯୯୯ରେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରିଥିଲେ I ଦୀର୍ଘ ୫ ଦଶନ୍ଧୀରୁ ଉର୍ଦ୍ଧ୍ୱ ଲମ୍ବା ରାଜନୈତିକ ଜୀବନରେ ଏହି ପୁରୁଖା ନେତା ୧୯୯୫-୯୮ରେ ଉପମୁଖ୍ୟମନ୍ତ୍ରୀ, ୧୯୮୫-୮୬ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ (ରାଜ୍ୟ ପାହ୍ୟା), ୧୯୯୮-୯୯ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ୧୯୮୪-୮୫ରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର କଂଗ୍ରେସ କମିଟି ସଭାପତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।

ଗତ ୨୦୦୯ ସାଧାରଣ ନିର୍ବାଚନରେ ଲଇକେରା ବିଧାନସଭା ନିର୍ବାଚନ ମଣ୍ଡଳୀ ଝାରସୁଗୁଡା ଆସନ ସହ ବିଲୀନ ହେବା ପରେ ରାଜ୍ୟର ଅନ୍ୟତମ ଆଦିବାସୀ ଅଧୁଷିତ ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼ରୁ ସେ ନିର୍ବାଚନ ଲଢ଼ିଥିଲେ I ବିଜେପିର ହେଭିୱେଟ ନେତା ଜୁଏଲ ଓରାମଙ୍କ ପାରମ୍ପରିକ ନିର୍ବାଚନମଣ୍ଡଳୀରୁ ତାଙ୍କୁ ପରାସ୍ତ କରି ସେ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ I ସୁନ୍ଦରଗଡ଼ ଅଞ୍ଚଳ ହେମାନନ୍ଦଙ୍କ ପାଇଁ ନୂଆ ହୋଇଥିଲେ ସୁଦ୍ଧା ଆଦିବାସୀ ମହଲରେ ତାଙ୍କ ଅସାଧାରଣ ଗ୍ରହଣୀୟତା ଯୋଗୁଁ ଦୀର୍ଘ ୧୧ ବର୍ଷ ଧରି ବିଜେପି ଅକ୍ତିଆରରେ ଥିବା ସୁନ୍ଦରଗଡ଼ ଲୋକସଭା ଆସନ କଂଗ୍ରେସ ଖାତାକୁ ଯାଇଥିଲା I ତେବେ ୟୁପିଏ-୨ ସରକାରର ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ କରା ନଯିବାରୁ ପଶ୍ଚିମ ଓଡିଶାରେ କଂଗ୍ରେସ ପ୍ରତି ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା I ଫଳସ୍ୱରୂପ ୨୦୧୪ ଓ ୨୦୧୯ ନିର୍ବାଚନରେ ୫ଟି ଯାକ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀଙ୍କୁ ପଶ୍ଚିମ ଓଡିଶାବାସୀ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ ।

ସକ୍ରିୟ ରାଜନୀତିରୁ ଦୂରେଇ ଯିବା ପରେ ଜନ୍ମମାଟି ପ୍ରତି ଅତୁଟ ମୋହ ହେମାନନ୍ଦଙ୍କୁ ତାଙ୍କ ପୈତୃକ ଗ୍ରାମ ଠାକୁରପଡାକୁ ଟାଣି ଆଣିଥିଲା I ସହରୀ ବିଳାସ ବ୍ୟସନ ପ୍ରତି ବିମୁଖ ଏହି ପ୍ରବୀଣ ରାଜନେତା ୨୦୧୪ ପରେ ନିଜ ଗାଁ ମାଟିରେ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ ଜୀବନ ଯାପନ କରିବା ସହ ଚାଷବାସ କଥା ବୁଝୁଥିଲେ I ତାଙ୍କ ବାପା ବାସୁଦେବ ବିଶ୍ବାଳ ଦୀର୍ଘବର୍ଷ ପର୍ଯ୍ୟନ୍ତ ସରପଞ୍ଚ ଥିଲେ । ସେ ଉର୍ମିଳା ବିଶ୍ବାଳଙ୍କୁ ବିବାହ କରିଥିଲେ। ତାଙ୍କର ୫ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର