ଅତିବଡ଼ୀଙ୍କ ପୀଠକୁ ବିପଦ ପ୍ରସଙ୍ଗ: ଚର୍ଚ୍ଚାରେ ପୂର୍ବତନ ଜିଲ୍ଲାପାଳ, ସେବାୟତ

ପୁରୀ:ଓଡ଼ିଆ ଜାତିର ଗର୍ବ ଓ ଗୌରବ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପୀଠ ସାତଲହଡ଼ି ମଠରେ ଦୁଇମହଲା କୋଠା ନିର୍ମାଣକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ଐତିହ୍ୟ ଭାବେ ସୁରକ୍ଷା ଦେବା ପାଇଁ ଯୋଜନା କରିବା ସମୟରେ ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତି ରକ୍ଷା କମିଟି ଏଠାରେ ଦୋକାନ ନିର୍ମାଣ କରିବାକୁ ଯାଉଛି। ଯେଉଁଠି ଅତିବଡ଼ୀଙ୍କ ପ୍ରାର୍ଥନାରେ ସମୁଦ୍ର ସାତ ଲହଡ଼ି ପଛକୁ ଚାଲି ଯାଇ ଜମି ଦେଇଥିଲା, ସେହି ଜମିକୁ ସୁରକ୍ଷା ଦେବା ପରିବର୍ତ୍ତେ ବିଲ୍‌ଡରଙ୍କ ହାତକୁ ଟେକି ଦେବା ପାଇଁ ଯୋଜନାକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଉଛି।
ଏହାକୁ ସୁରକ୍ଷା ଦେବା ପାଇଁ କ୍ଷମତାଶାଳୀ ନେତାଙ୍କ ସହ ଲଢ଼େଇ କରି ପାଚେରି ନିର୍ମାଣ କରିଥିବା ତତ୍‌କାଳୀନ ଜିଲ୍ଲାପାଳ ପଦ୍ମନାଭ ସାମଲ ଏହି ଖବର ପାଇବା ପରେ ମର୍ମାହତ ହୋଇ ପଡ଼ିଛନ୍ତି। ଏହି ଅପରାଧ ଅକ୍ଷମଣୀୟ ବୋଲି ସେ କହିବା ସହ ପ୍ରତ୍ୟେକସ୍ତରରୁ ଜୋରଦାର ବିରୋଧର ସ୍ୱର ଉଠିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି। କମିଟିର ଏହି ଯୋଜନା ଶୁଣିବା ପରେ ସେତେବେଳର କଥା ମନେପକାଇ ସେ ବାଷ୍ପରୁଦ୍ଧ ହୋଇପଡ଼ିଛନ୍ତି। ଏହାର ସୁରକ୍ଷା ପାଇଁ ସେ ସରକାରଙ୍କୁ ଲେଖିବେ ବୋଲି କହିଛନ୍ତି। ପୂର୍ବତନ ଜିଲ୍ଲାପାଳ ଅଶୋକ ମିଶ୍ର, ସେବାୟତ ବୀରକିଶୋର ମିଶ୍ର ପ୍ରମୁଖ ଏଠାରେ ଜାଗା କିଣିବା ପ୍ରସଙ୍ଗକୁ ମଧ୍ୟ ସେ ଗ୍ରହଣ କରି ପାରିନାହାନ୍ତି। ଜାଗା କିଣିବା ପାଇଁ ଅନେକ ଜାଗା ଅଛି; ହେଲେ କ୍ଷମତାରେ ଥାଇ ଏହି ମଠରୁ ଜାଗା କିଣିବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି। ଅନ୍ୟପଟେ ଖୋଦ୍‌ କମିଟିର ସଦସ୍ୟ ଏହାକୁ ନେଇ ମୁହଁ ଖୋଲିଛନ୍ତି। ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତି କମିଟିର ସଦସ୍ୟ ଡ. କୈଳାସ ଚନ୍ଦ୍ର ଟିକାୟତରାୟ କହିଛନ୍ତି, ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଁ ‘ସମ୍ବାଦ’ରୁ ଏହି ଖବର ପଢ଼ୁଛି। କମିଟିର ବୈଠକରେ ଏଥିନେଇ ନିଷ୍ପତ୍ତି ହୋଇନାହିଁ। କିଭଳି ବିଜ୍ଞାପନ ପ୍ରକାଶ ପାଇଲା, କିଭଳି କଥା ଏତେବାଟ ଆଗେଇଲା ତାହା ମୋତେ ଆଶ୍ଚର୍ଯ୍ୟ କରିଛି। ବିଧାୟକ ତଥା ବର୍ତ୍ତମାନର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଏଠାରେ ଐତିହ୍ୟସମ୍ପନ୍ନ ସଭାଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ଅରବିନ୍ଦ ଅଗ୍ରୱାଲ ଦୁଇଟି ବୈଠକରେ ଏହାର ଜମିଜମା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଜମି ଫେରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। କିନ୍ତୁ ଏଭଳି ନିଷ୍ପତ୍ତି କେବେ ହେଲା ଆମେ ଜାଣିପାରିଲୁ ନାହିଁ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି, ଏହି ମୂଲ୍ୟବାନ ଜମିକୁ ବିଲ୍‌ଡରଙ୍କ ହାତରେ ଟେକି ଦେବାପାଇଁ ନିଷ୍ପତ୍ତି ରୁଦ୍ଧଦ୍ଵାରରେ ହୋଇଛି। ଏହି ଯୋଜନା ପାଇଁ କୁଆଡ଼େ ତୃତୀୟ ମହଲାରୁ ମଧ୍ୟ ସବୁଜ ସଙ୍କେତ ରହିଛି।
୧୯୯୪-୯୫ ମସିହାରେ ପଦ୍ମନାଭ ସାମଲ ପୁରୀର ଜିଲ୍ଲାପାଳ ଥିଲେ। ତାଙ୍କ କହିବା ମୁତାବକ ସେତେବେଳେ ଏଠାରେ ପୁରୀ ମ୍ୟୁନିସିପାଲିଟି ୩୦ ଦୋକାନ ଘର ଭଡ଼ାରେ ଦେବା ପାଇଁ ନିଷ୍ପତ୍ତି ନେଇ ଯାଇଥିଲା। ମହେଶ୍ୱର ମହାନ୍ତି ପୌରାଧ୍ୟକ୍ଷ ଥିବା ବେଳେ କାକଟପୁର ବିଧାୟକ ସେତେବେଳେ ରାଜସ୍ୱ ମନ୍ତ୍ରୀ ଭାବେ କ୍ଷମତାଶାଳୀ ଥିଲେ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। ବିନୟ ବେହେରା ଏସ୍‌ପି ଥିଲେ। ଏଣୁ ଏଠାରେ ପାଚେରି କରାଇ ନ ଦେବା ପାଇଁ ପ୍ରବଳ ରାଜନୈତିକ ଚାପ ପଡ଼ିଥିଲା। ହେଲେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଭଳି ଜାଣିବା ପରେ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ। ତାଙ୍କ ସାହସରେ ସେ ଆଗକୁ ବଢିଥିଲେ ଏବଂ ସଫଳ ବି ହୋଇଥିଲେ। ସେବେଠାରୁ ଏହି ଏତିହାସିକ ପୀଠ ସୁରକ୍ଷିତ ଥିଲା। ଏହା ପରେ ପରେ ଜିଲ୍ଲାପାଳ ସୁରେଶଚନ୍ଦ୍ର ମହାପାତ୍ର ଗୋଟିଏ ମହଲା ନିର୍ମାଣ କରିଥିବା ବେଳେ ଏବେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଦୁଇମହଲା ପାଇଁ କମିଟି ମାଧ୍ୟମରେ ଯୋଜନା କରିଛନ୍ତି।
କମିଟିକୁ ଏକପାଖିଆ କରି ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ସୁପାରିସରେ ଏଭଳି କରାଯାଉଥିବା ଦର୍ଶାଯାଉଛି।

ସମ୍ବନ୍ଧିତ ଖବର