କଙ୍କଡ଼ାହାଡ଼ : କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିରାଶାଳ ଆଞ୍ଚଳିକ ଡିଗ୍ରି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଟଳ ବିହାରୀ ବାରିକ ସାର୍ଟିଫିକେଟ୍ ଜାଲିଆତି କରିବା ସହ ଅନେକ ଅପରାଧ ମାମଲାରେ ଗିରଫ ହୋଇଛନ୍ତି। ଶ୍ରୀ ବାରିକ ୨୦୦୯ଠାରୁ ୨୦୧୭ ମସିହା ପର୍ଯ୍ୟନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ।
ଏ ସମ୍ପର୍କରେ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟକ୍ଷ ଯୁଧିଷ୍ଠିର ସାହୁ କହିଛନ୍ତି, ପୂର୍ବତନ ଅଧ୍ୟକ୍ଷ ଅଟଳ ବିହାରୀ ବାରିକ ଛତିଶଗଡ଼ସ୍ଥିତ ରବିଶଙ୍କର ବିଶ୍ୱବିଦ୍ୟାଳୟରେ ପିଜି କରିଥିବା ଜାଲ ପ୍ରମାଣପତ୍ର ଦେଇ ଏହି ମହାବିଦ୍ୟାଳୟରେ ନିଯୁକ୍ତି ହୋଇ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ। ଏଥିସହ ମହାବିଦ୍ୟାଳୟର ଅର୍ଥ ଆତ୍ମସାତ କରିଥିଲେ। ସେ ହାତଲେଖା ଆଡ୍ମିଟ୍ କାର୍ଡ ଦେଇ କିଛି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ବସାଇ ପରୀକ୍ଷା କରାଉଥିବା ନେଇ ମଧ୍ୟ ତାଙ୍କ ନାମରେ ଅଭିଯୋଗ ହୋଇଥିଲା।
୨୦୧୮ ମସିହାରେ ଏ ସମସ୍ତ ଅଭିଯୋଗ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନେ ପୂର୍ବତନ ଅଧ୍ୟକ୍ଷକଙ୍କ ନାଁରେ କଙ୍କଡ଼ାହାଡ଼ ଥାନା, ଉଚ୍ଚ ନ୍ୟାୟାଳୟ, କାମାକ୍ଷାନଗର ଏସ୍ଡିଜିଏମ୍ଙ୍କ ଆଦାଲତର ଦ୍ବାରସ୍ଥ ହୋଇଥିଲେ। ତତ୍କାଳୀନ କାମାକ୍ଷାନଗର ଉପଜିଲ୍ଲାପାଳ ସୂଚନା ଅଧିକାର ଆଇନରେ ମିଥ୍ୟା ପ୍ରମାଣପତ୍ର ଦେଇ ଅଟଳବିହାରୀ ନିଯୁକ୍ତି ପାଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଙ୍କଡ଼ାହାଡ଼ ଥାନାରେ ମାମଲା ରୁଜୁ ହୋଇଥିଲା। ସେହି ଦିନଠାରୁ ପୂର୍ବତନ ଅଧ୍ୟକ୍ଷ ଅଟଳବିହାରୀ ଫେରାର ଥିଲେ। ଗତକାଲି କଙ୍କଡାହାଡ଼ ଥାନାର ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ବିଷ୍ଣୁପ୍ରିୟା ରଣାଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ପୈତୃକ ବାସଭବନରେ ଚଢ଼ଉ କରି ଗିରଫ କରିଥିଲେ। ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ବିଷ୍ଣୁପ୍ରିୟା ରଣାଙ୍କୁ ପଚାରିବାରୁ ସେ କହିଥିଲେ ଅଟଳ ବିହାରୀ ବାରିକଙ୍କ ନାଁରେ ଅନେକ ସଙ୍ଗିନ ଅପରାଧ ମାମଲା ଅଛି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।