ମହାଙ୍କାଳି ନାୟକ: ଦିନେ ଥିଲେ ନେତ୍ରୀ, ଆଜି ବେସାହାରା; ବାଣ୍ଟୁଥିଲେ ଭତ୍ତା, ଆଜି ନେବାପାଇଁ ଧାଡ଼ିରେ

ରା.ଉଦୟଗିରି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ ପୁଟୁରୁପଡ଼ାର ପୂର୍ବତନ ସମିତି ସଭ୍ୟା ମହାଙ୍କାଳି ନାୟକ। ୫ବର୍ଷ ସମିତି ସଭ୍ୟା ଭାବେ ପଞ୍ଚାୟତରେ ଦାୟିତ୍ବ ନିର୍ବାହ କଲେ, ହେଲେ ନିଜ ଭାଗ୍ୟ ବଦଳାଇ ପାରିଲେ ନାହିଁ। ଆଜି ସେ ବେସାହାରା।

ସମିତି ସଭ୍ୟା କିମ୍ବା ସରପଞ୍ଚଟିଏ ହେଲେ ଧାରଣା ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ଆର୍ଥିକ ଦୃଷ୍ଟିରୁ ବେଶ୍‌ ସ୍ବଚ୍ଛଳ ହୋଇଯାଆନ୍ତି। ନେତାଟିଏ ହେବା ପାଇଁ ସଭିଏଁ ଏଭଳି ଏକ ମୌକାକୁ ଚାତକ ପରି ଅନେଇ ରହିଥାନ୍ତି। ରାଜନୀତିରେ ପୋଖତ ବ୍ୟକ୍ତି ଏଭଳି ପଦପଦବିରେ ରହି ଘରଦ୍ୱାର, ଗାଡ଼ି, ବ୍ୟାଙ୍କ୍‌ ବାଲାନ୍ସ, ଏମିତି କେତେ କ’ଣ କରିଦିଅନ୍ତି। ହେଲେ, ମହାଙ୍କାଳିଙ୍କ ଚିନ୍ତାଧାରା ଅନନ୍ୟ। ନା ନିଜ ପାଇଁ ଘରଟିଏ କଲେ, ନା କୌଣସି ସ୍ଥାବର କି ଅସ୍ଥାବର ସମ୍ପତ୍ତି କରି ପାରିଲେ।

ସମିତି ସଭ୍ୟା ଥିବା ସମୟରେ ଇନ୍ଦିରା ଆବାସ ପିଛା ୭୫ହଜାର ଟଙ୍କା ଦେଉଥିଲେ ସରକାର। ଯୋଗ୍ୟ ହିତାଧିକାରୀମାନଙ୍କୁ ଗୃହ ବଣ୍ଟନରେ ସହଯୋଗ କରୁଲେ ସିନା, ନିଜ କଥା ଭୁଲି ଗଲେ। ପିଲାବେଳୁ ବାପାମା’ଙ୍କୁ ହରାଇଥିବା ମହାଙ୍କାଳି ଲୋକଙ୍କ ସମସ୍ୟା କଥା ବୁଝୁ ବୁଝୁ ନିଜ ବାହାଘର କଥା ମଧ୍ୟ ଭୁଲିଗଲେ, ବୟସ ଗଡ଼ି ଏବେ ତାଙ୍କୁ ୩୪ ବର୍ଷ। ବେସହାରା ମହାଙ୍କାଳି ସାନ ଭଉଣୀ ପାଖରେ ଆଶ୍ରା ନେଇଛନ୍ତି। ଆଗକୁ ସେ ଚଳିବେ କେମିତି, ବଞ୍ଚିବେ କେମିତି ସେ ଚିନ୍ତା ବଢ଼ୁଛି। ଆଜି ସେ ଅବିବାହିତା ଭତ୍ତା ପାଇବା ପାଇଁ ପଞ୍ଚାୟତରେ ଧାଡ଼ିରେ ଠିଆ ହୋଇଥିଲେ। ନୂଆ ସରପଞ୍ଚ ଚୈତନ୍ୟ ଭୂୟାଁ ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ସମୟରେ ଆଖିରେ ପଡ଼ିଥିଲେ ମହାଙ୍କାଳି। ଡାକି ଆଣିଥିଲେ ଭତ୍ତା ପାଇଁ ଅନ୍‌ଲାଇନ୍‌ ଆବେଦନ କରିବା ନିମନ୍ତେ। ପାଖରେ ରାସନ କାର୍ଡ଼ଟିଏ ଥିବାରୁ ଚାଉଳ ଟିକକରେ ଯେନତେନ ଘର ଚଳୁଛି। ଆଉ ଏହି ଅବିବାହିତା ପୂର୍ବତନ ନେତ୍ରୀଙ୍କୁ ଯେମିତି ହେଲେ ଯୋଗ୍ୟତା ଭିତ୍ତିରେ ବାସଗୃହଟିଏ ଯୋଗାଇ ଦେବେ ବୋଲି ସରପଞ୍ଚ ଶ୍ରୀ ଭୂୟାଁ ପ୍ରତିଶ୍ରୁତି ଦେଇଛନ୍ତି। ସବୁ କ୍ଷମତା ହାତପାଆନ୍ତାରେ ପାଇ ମଧ୍ୟ ମହାଙ୍କାଳି ନାୟକ ଏହାର ସୁଯୋଗ ନନେଇ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଗଲେ ସିନା ସରକାର ତାଙ୍କ ଭଳି ମହିଳାଙ୍କୁ ଆଗ ଧାଡ଼ିରେ ପହଞ୍ଚାଇବା ପାଇଁ କେମିତି ଭୁଲିଗଲେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର