ଭୁବନେଶ୍ୱର : ସାରୁଅ ଜମି ଦୁର୍ନୀତି ମାମଲାରେ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ (ଓଆଇପିଏଲ୍) ପୂର୍ବତନ ନିର୍ଦ୍ଦେଶକ ବିଭୂ ରଥଙ୍କୁ ଜେରା କରିଛି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ପୂର୍ବରୁ ତାଙ୍କୁ ଇଓଡବ୍ଲୁରେ ହାଜର ହେବା ପାଇଁ ସମନ କରା ଯାଇଥିଲା। ଆଜି ଅପରାହ୍ନରେ ସେ ଇଓଡବ୍ଲୁରେ ପହଞ୍ଚିବା ପରେ ତାଙ୍କୁ ଜେରା କରାଯାଇଥିଲା। ଅନୁସୂଚିତ ଜାତି ବର୍ଗର ଜମି ମାଲିକଙ୍କ ପାଖରୁ ସାଧାରଣ ବର୍ଗର ଲୋକ ଜମି କିଣିବା ନିଷିଦ୍ଧ ଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଜମି କିଣା ଯାଇଥିଲା? ସେତେବେଳେ ଏଭଳି ଏକ ବେଆଇନ କାରବାରରେ ଆଉ କିଏ ସାମିଲ ଥିଲେ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଚାହିଥିଲେ ମାମଲାର ତଦନ୍ତକାରୀ ଅଧିକାରୀ। ଆଗକୁ ତାଙ୍କୁ ପୁଣି ଥରେ ଡକା ଯାଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
୨୦୧୦ ମସିହାରୁ ବିଭୂ ରଥ ଏହି ସଂସ୍ଥାର ନିର୍ଦ୍ଦେଶକ ଥିଲେ। ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଇଓଡବ୍ଲୁ ପୂର୍ବରୁ ଗିରଫ କରି ସାରିଛି। ଆଜି ମନୋରଞ୍ଜନଙ୍କର ଜାମିନ୍ ଆବେଦନର ଶୁଣାଣି ତାରିଖ ଥିଲା। ତେବେ ଆଜି ଜାମିନ୍ ପ୍ରଦାନ ହୋଇ ନାହିଁ। ଆସନ୍ତା ୯ ତାରିଖରେ ଶୁଣାଣି ହେବ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଯେଉଁମାନଙ୍କର ଜମି ନିଆଯାଇଛି ସେମାନଙ୍କୁ ପକ୍ଷଭୁକ୍ତ କରାଯିବା ସହ ସମନ କରାଯାଇଛି। ସେମାନଙ୍କର ପକ୍ଷ ଗ୍ରହଣ ସହ ଜାମିନ୍ ଆବେଦନ ଉପରେ ବିଚାର କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/eow.jpg)