ମାଲକାନଗିରି: ଲମ୍ବା ଆଇନଗତ ଲଢ଼େଇ ପରେ ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ କୋର୍ଟରେ ହାଜର ହୋଇ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିଲେ। ଆଜି କୋର୍ଟ ତାଙ୍କ ଜାମିନ ଆବେଦନ ମଞ୍ଜୁର କରିଛନ୍ତି। ଆବଶ୍ୟକ ପଡ଼ିଲେ ପୁଣି ହାଜର ହେବାକୁ ଏସ୍‌ଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ଅଭି‌ଯୁକ୍ତ ଅଛନ୍ତି ଆଇଏଏସ୍‌ ମନୀଷ ଅଗ୍ରୱାଲ। ଦେବ ନାରାୟଣଙ୍କୁ ହତ୍ୟା ନେଇ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମକଦ୍ଦମା କରିଥିଲେ। ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିବା ପରେ ବାରମ୍ବାର ମନୀଷ ଅଗ୍ରୱାଲଙ୍କୁ ହାଜର ନିମନ୍ତେ କୋର୍ଟ ଆଦେଶ ଦେଇଥିଲେ। କିନ୍ତୁ ବିଭିନ୍ନ ଆଳରେ ସେ ଏଡ଼ାଇ ଚାଲିଥିଲେ। ଏପରିକି କୋର୍ଟରେ ହାଜର ନ ହେବା ଲାଗି ମନୀଷ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକୁ ଖାରଜ କରି ତୁରନ୍ତ ତଳ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ କୌଣସି ରାସ୍ତା ନ ପାଇ ମନୀଷ ଆଜି ଚୁପ୍‌ଚାପ୍‌ ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହୋଇଥିଲେ। ମନୀଷ କୋର୍ଟରେ ହାଜର ହେଉଥିବା ନେଇ ତାଙ୍କ ଓକିଲଙ୍କ ବ୍ୟତୀତ କେହି ଜାଣି ନଥିଲେ। କୋର୍ଟରେ ଜାମିନ ପ୍ରକ୍ରିୟା ଚାଲିଥିବା ସମୟରେ ଗଣମାଧ୍ୟମକୁ କୌଣସି ସୂତ୍ରରୁ ଏହି ଖବର ମିଳିଥିଲା। ତେଣୁ ମନୀଷଙ୍କ ପ୍ରତିକ୍ରିୟା ନେବାକୁ କୋର୍ଟରେ ଭିଡ଼ ବଢ଼ିଥିଲା। ତେବେ ୫୦ହଜାର ଟଙ୍କା ଲେଖାଏଁ ଦୁଇଟି ମୁଚାଲିକାରେ ତାଙ୍କୁ ଜାମିନ ମିଳିବା ପରେ ‌କୋର୍ଟରୁ ବାହାରି ସିଧା ନିଜ ଗାଡ଼ିରେ ବସି ଚାଲି ଯାଇଥିଲେ।

ମନୀଷ କୌଣସି ପ୍ରତିକ୍ରିୟା ଦେଇ ନଥିଲା ବେଳେ ତାଙ୍କ ଓକିଲ ନୃସିଂହ ଚରଣ ମହାନ୍ତି କହିଥିଲେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ମନୀଷ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟଙ୍କ ପ୍ରକ୍ରିୟା ଅନୁସାରେ ଏହି ମାମଲାର ଶୁଣାଣି ଚାଲିବ। ଅନ୍ୟପକ୍ଷରେ ଅଭିଯୋଗକାରିଣୀ ବନଜା ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଅର୍ଥ ଓ କ୍ଷମତା ବଳରେ ମନୀଷ ବାରମ୍ବାର କୋର୍ଟଙ୍କ ଅବମାନନା କରି ଚାଲିଥିଲେ। ଶେଷରେ ସୁପ୍ରିମ‌କୋର୍ଟଙ୍କ ଆଦେଶକ୍ରମେ ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହୋଇଛନ୍ତି। ଆମ ପ୍ରତି ଅନ୍ୟାୟ ହୋଇଛି, କୋର୍ଟ ଆମକୁ ନ୍ୟାୟ ଦେବେ ବୋଲି ପୂର୍ଣ୍ଣ ବିଶ୍ବାସ ରହିଛି। ତେବେ ମନୀଷ ମାମଲାକୁ ପ୍ରଭାବିତ କରିବା ଲାଗି ପଦବିର ଅପବ୍ୟବହାର କରିବାର ସମ୍ଭାବନା ରହିଛି। କୋର୍ଟରେ ନିରପେକ୍ଷ ଶୁଣାଣି ନିମନ୍ତେ ସରକାର ତାଙ୍କୁ ତୁରନ୍ତ ନିଲମ୍ବନ କରନ୍ତୁ ବୋଲି ଦାବି କରିଛନ୍ତି।